
ସୁନ୍ଦରଗଡ଼ : ସମାଜ ଓ ପରିବାରର ଚାପରେ ବହୁ ଉଚ୍ଚଶିକ୍ଷିତା ଓ ଆଧୁନିକା ଝିଅ ଯାହା କରି ପାରନ୍ତିନାହିଁ; ଗ୍ରାମାଞ୍ଚଳର ଜଣେ ଝିଅ ଯିଏକି ଜଣେ ନାବାଳିକା, ତାହା କରି ଦେଖାଇଛନ୍ତି। ନିଜ ବିବାହକୁ ରୋକିଥିବାରେ ସକ୍ଷମ ହୋଇଛନ୍ତି ଏହି ନାବାଳିକା। ପରିବାରର ସମସ୍ତ ଉଦ୍ୟମ ସତ୍ତ୍ବେ ବିବାହ ବୟସ ହୋଇନଥିବାରୁ ଏବଂ ପଢ଼ିବା ପାଇଁ ଆଗ୍ରହ ଥିବାରୁ ମୁଣ୍ଡ ନୁଅଁାଇ ନାହାନ୍ତି। ବରଂ, ଗତବର୍ଷ ଜୁନ୍ ମାସରୁ ବିବାହ କରିବାକୁ ଚାହୁଁଥିବା ପରିବାର ନିଷ୍ପତ୍ତିକୁ ଦୃଢ଼ ଭାବେ ସାମ୍ନା କରିଛନ୍ତି। ଏହି ନାବାଳିକା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଆଜି ସମ୍ମାନିତ କରାଯାଇଛି।
ଏ ସାହସୀ ଝିଅ ହେଲେ ମଧୁମିତା ଭୋଇ। ଭେଡ଼ାବାହାଲ ନିକଟ ବାଙ୍କିବାହାଲରେ ମଧୁମିତାଙ୍କ ଘର। ମଧୁମିତା ବାରଗାଡ଼ ମଙ୍ଗଳ ବିଭାଗ ବିଦ୍ୟାଳୟରେ ଦଶମ ପଢ଼ୁଛନ୍ତି। ଗତବର୍ଷ ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟରେ ତାଲା ପଡ଼ିଯିବାରୁ ସେ ଘରେ ରହୁଥିଲେ। ଏହି ସମୟରେ ବାପା ରୋହିତ ଓ ମା’ ପୁଷ୍ପଲତା ମଧୁମିତାଙ୍କ ବିବାହ କରିଦେବାକୁ ପ୍ରସ୍ତୁତ ହେଉଥିଲେ। ଗତବର୍ଷ ଜୁନ୍ ମାସରେ ଲେଫ୍ରିପଡ଼ା ବ୍ଳକ୍ କାଦୋମାଲରୁ ପ୍ରସ୍ତାବ ଆସିଥିଲା। ବରର ପିତା ମାତା ମଧୁମିତାଙ୍କୁ ଦେଖିବାକୁ ଆସିଥିଲେ। ଏଥିରେ ବିଚଳିତ ହୋଇପଡ଼ିଥିଲେ ମଧୁମିତା। ସେ ପଢ଼ିବାକୁ ଚାହୁଥିବା ଓ ବୟସ କମ୍ ଥିବାରୁ ସିଧାସିଧା ବିବାହ ହେବାକୁ ମନା କରି ଦେଇଥିଲେ। କିନ୍ତୁ ବାପା ମା’ ତାଙ୍କ କଥା ନଶୁଣି କଥାକୁ ଆଗକୁ ବଢ଼ାଇଲେ। ଶେଷରେ ମଧୁମିତା ଗାଁକୁ ଆସିଥିବା ସ୍ବେଚ୍ଛାସେବୀ ଜ୍ୟୋତିର୍ମୟୀ ଦାଶଙ୍କୁ ସବୁ କଥା କହି ବାପା ମା’ଙ୍କୁ ବୁଝାଇବାକୁ ଅନୁରୋଧ କରିଥିଲେ। ଜ୍ୟୋତିର୍ମୟୀ ଗାଁରେ ମା’ମାନଙ୍କ ଏକ ସଭା ଡାକିଥିଲେ। ସେଠାକୁ ମଧୁମିତାଙ୍କ ମା’ ପୁଷ୍ପଲତାଙ୍କୁ ମଧ୍ୟ ଡକାଯାଇଥିଲା। ସେଠାରେ ସମସ୍ତଙ୍କ ସାମନାରେ ସେ ପୁଷ୍ପଲତାଙ୍କୁ ବାଲ୍ୟ ବିବାହର ଅପକାରିତା ଓ ଆଇନଗତ ଦିଗ ସମ୍ପର୍କରେ ବୁଝାଇ ମଧୁମିତାଙ୍କ ବିବାହ ନକରି ତାଙ୍କୁ ପାଠପଢ଼ି ଆଗକୁ ବଢ଼ିବାକୁ ସୁଯୋଗ ଦେବାକୁ ବୁଝାଇ ଥିଲେ। ଶେଷକୁ ନାବାଳିକା ଝିଅର ବିବାହ ସେଇଠି ଅଟକି ଯାଇଥିଲା। ଏହାପରେ ଚର୍ଚ୍ଚାକୁ ଆସିଛନ୍ତି ମଧୁମିତା। ଏପରି ସାହସ ପାଇଁ ଆଜି ବିଶ୍ବ ମହିଳା ଦିବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା।
The post ନିଜ ବିବାହକୁ ରୋକିଲେ ନାବାଳିକା, ପରିବାର ବିରୋଧରେ ଠିଆ ହୋଇ ଚର୍ଚ୍ଚାରେ first appeared on Sambad.
from ଜିଲ୍ଲା – Sambad https://ift.tt/3rAKUmo
0 Comments