ବିଶୋଇ : ମୟୂରଭଂଜ ଜିଲ୍ଲା ଅଧୀନ ଶିମିଳିପାଳରେ ନିଆଁ ଲାଗିଛି। ଏନେଇ ସରକାରୀ କଳ ତଥା ସ୍ବେଚ୍ଛାସେବୀମାନେ ନିଆଁ ଲିଭା କାମରେ ଲାଗିପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବନ କର୍ମଚାରୀ ଅଛନ୍ତି, ଯିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ହେଉଛନ୍ତି; ବାରିପଦା ଦକ୍ଷିଣ ଫରେଷ୍ଟ ଡିଭିଜନ୍‌ ଅନ୍ତର୍ଗତ ପିଠାବଟା (ଉତ୍ତର) ବନ୍ୟପ୍ରାଣୀ ରେଞ୍ଜର ମହିଳା ବନପାଳ ଶ୍ରୀମତୀ ସ୍ନେହଲତା ଧଳ। ଆଜି ତାଙ୍କର ନିଆଁ ଲିଭାଇବାର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଫଳରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସ୍ନେହଲତାଙ୍କ କହିବା ମୁତାବକ ଗତ ୧ ତାରିଖରୁ ସେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିପାଇଁ ତାଙ୍କୁ ଚାଲିଚାଲି ୧୦ କିଲୋମିଟର ଦୂର ଜଙ୍ଗଲ ଅତିକ୍ରମ କରିବାକୁ ପଡ଼େ। ତାଙ୍କ ସହ ଅନ୍ୟ ୪ ଜଣ କର୍ମଚାରୀ ରହନ୍ତି। ଉଲ୍ଲେଖଥାଉ କି, ସ୍ନେହଲତାଙ୍କ ସ୍ୱାମୀ ତାରାକାନ୍ତ ସି ମଧ୍ୟ ଖୁଣ୍ଟାରେ ବନରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ସ୍ନେହଲତାଙ୍କ ଏକ ୫ ବର୍ଷର ଝିଅ ମଧ୍ୟ ଅଛନ୍ତି। ଯାହାକୁ ସେ ଘରଲୋକଙ୍କ ପାଖରେ ଛାଡ଼ି ନିଜ କର୍ତବ୍ୟ ପାଳନ କରୁଛନ୍ତି।

The post ଶିମିଳିପାଳ ନିଆଁ ସହ ଲଢ଼ୁଛନ୍ତି ସ୍ନେହଲତା, ପ୍ରତିଦିନ ୧୦ କିଲୋମିଟର ଚାଲୁଛନ୍ତି first appeared on Sambad.



from ଜିଲ୍ଲା – Sambad https://ift.tt/2Oxsynu