ରାୟଗଡ଼ା: ଚିକିତ୍ସା ଅଭାବରୁ ବର୍ଷେ ହେଲା ଖଟରେ ବିତୁଛି ଜୀବନ। ସାଙ୍ଗସାଥୀଙ୍କୁ ଦେଖି କଷ୍ଟ ହେଉଛି। ହେଲେ ସ୍କୁଲ୍ ଯାଇପାରୁନାହାନ୍ତି କି ପୂର୍ବ ପରି ଖେଳିପାରୁନାହାନ୍ତି। ତଥାପି ଆଶା ରଖିଛନ୍ତି ଭଲ ହୋଇ ସ୍କୁଲ୍ ଯିବେ, ପାଠ ପଢ଼ିବେ। କିନ୍ତୁ ଅର୍ଥ ଅଭାବ ଛାତ୍ରଙ୍କ ଆଶା ପୂରଣରେ ପ୍ରତିବନ୍ଧକ ସାଜିଛି। ରାୟଗଡ଼ା ବ୍ଲକ ହାଟଶେଷଖାଲ ପଞ୍ଚାୟତ କେସଦା ଗ୍ରାମର ଅମିର ପୁଆଲା। ଅତଡ଼ା ଆଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅମିର ଗତ ବର୍ଷ ସଂପର୍କୀୟଙ୍କ ବାହାଘରକୁ ଯାଇ ନାଚ କରୁଥିବା ବେଳେ ତଳେ ପଡ଼ି ଆହତ ହୋଇଥିଲେ। ଘରକୁ ଫେରି ଅମିର ଶୋଇ ପଡିଥିଲେ।

ପରଦିନ ସକାଳେ ଅସ୍ବାଭାବିକ ଭାବେ ଗୋଡ଼ ଫୁଲିଯିବା ପରେ ବାପା ଜୟଶେଖର ପୁଆଲା ଅମିରର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିଲେ। କିନ୍ତୁ ରାସ୍ତାରେ ଦିଶାରୀ ପାଖକୁ ନେଇ ଝଡ଼ା ଫୁଙ୍କା କରି ଚେରମୂଳି ଔଷଧ ଧରି ଘରକୁ ଯାଇଥିଲେ। ସମୟକ୍ରମେ ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ିବା ସହ ଗୋଡ଼ର ଅବସ୍ଥା ସାଂଘାତିକ ହୋଇ ପଡିଥିଲା। ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ ବର୍ଷେ ହେଲା ଖଟ ଉପରେ ପଡ଼ି ରହି ଯନ୍ତ୍ରଣା ଭୋଗୁଥିବା ଅମିର ମେଡ଼ିକାଲକୁ ଆସିପାରୁନି।

ବାପା ଜୟଶେଖର ପୁଆଲା, ମାଆ ଜାଗରାନି ପୁଆଲା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଉଭୟଙ୍କ ସ୍ବଳ୍ପ ଆୟ ଉପରେ ୪ ପ୍ରାଣୀ କୁଟୁମ୍ବ ନିର୍ଭର କରୁଛନ୍ତି। ମେଡ଼ିସିନ୍ ପାଇଁ ପାଖରେ ଟଙ୍କା ନଥିବାରୁ ବାପା ଜୟଶେଖର ସହାୟତାକୁ ଚାହିଁ ରହିଛନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ସହୃଦୟ ବ୍ୟକ୍ତି ସହାୟତାରେ ହାତ ବଢ଼ାଇଲେ ଅମିର ଭଲ ହେବା ସହ ସ୍କୁଲ ଯାଇ ପାରିବ ବୋଲି ଜୟଶେଖର କହିଛନ୍ତି।

The post ଚିକିତ୍ସା ପାଇଁ ଅର୍ଥ ଅଭାବ: ବର୍ଷେ ହେଲା ଖଟରେ ବିତୁଛି ଛାତ୍ରର ଜୀବନ first appeared on Sambad.



from ଜିଲ୍ଲା – Sambad https://ift.tt/3bLgOqC