କଟକ : ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୦ ସେପ୍ଟେମ୍ବର ୧୩ରେ ବାଲେଶ୍ବର ଏସଡିଜେଏମ୍ ଅଦାଲତ ଗ୍ରହଣ କରିଥିବା କଗନିଜାନ୍ସ ସଂପର୍କିତ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ଦେ ଦାୟର କରିଥିବା ଆବେଦନ ଖାରଜ ହୋଇଛି। ଏହି ପ୍ରସଂଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଜ‌ଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦେଙ୍କ ଆବେଦନକୁ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮ ଜୁନ୍ ୨୪ରେ ଟାଉନ ଥାନାରେ ତତ୍କାଳୀନ ବାଲେଶ୍ବର ଅତିରିକ୍ତ ତହସିଲଦାର ବିଧାୟକ ଥିବା ଶ୍ରୀ ଦେ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଏତଲା ଦେଇଥିଲେ। ୨୦୦୮ ଜୁନ୍ ୨୩ରେ ତହସିଲ କାର୍ଯ୍ୟାଳୟ ବାହାରେ ଶ୍ରୀ ଦେଙ୍କ ସମର୍ଥକ ତାଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ କରିଥିଲେ। ତାଙ୍କ ପ୍ରତି ଜାତିଆଣ ଆକ୍ଷେପ କରାଯାଇଥିଲା ବୋଲି ଅତିରିକ୍ତ ତହସିଲଦାର ଅଭିଯୋଗ କରିଥିଲେ। ପୁଲିସ ମାମଲାର ତଦନ୍ତ କରି ଶ୍ରୀ ଦେ ଓ ଅନ୍ୟମାନଙ୍କ ବିରୋଧ‌ରେ ଆଇପିସିର ଧାରା ୧୪୩, ୨୯୪, ୩୩୨, ୧୪୯ ଓ ଏସ୍‌ସି ଆଣ୍ଡ ଏସ୍‌ଟି (ପିଏ) ଆକ୍ଟର ଧାରା ୩ରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଏହାପରେ ୨୦୧୦ ସେପ୍ଟେମ୍ବର ୧୩ରେ ବାଲେଶ୍ବର ଏସଡିଜେଏମ୍ ଅଦାଲତ ଶ୍ରୀ ଦେ ଓ ଅନ୍ୟମାନଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ୨୦୧୦ ସେପ୍ଟେମ୍ବର ୨୮ରେ ଅଦାଲତ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ତେବେ କଗନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ୨୦୧୨ରେ ଶ୍ରୀ ଦେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୨ ଡିସେମ୍ବର ୧୪ରେ ହାଇକୋର୍ଟ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

The post ଅଡ଼ୁଆରେ ପୂର୍ବତନ ବିଧାୟକ ଅରୁଣ ଦେ first appeared on Sambad.



from ଜିଲ୍ଲା – Sambad https://ift.tt/3cp3w2a