ଭଦ୍ରକ: ‘ଆମକୁ ଟୋକନ ଦେଇଛ ଆମ ଧାନ ନିଅ. ନଚେତ ଆମେ ଧାରଣାରେ ବସିରହିବୁ’ ଏଭଳି ନାରା ଦେଇ ଭଦ୍ରକ ଜିଲ୍ଲା କିଷାନ ମଜଦୁର ସଂଘ ପକ୍ଷରୁ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି | ଜାତୀୟ ରାଜପଥ ଅବରୋଧ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଭଦ୍ରକ ଗେଲଟୁଆ ଗ୍ରାମପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମା ତାରିଣୀ ମହାସଂଘକୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିଲା |

ଏହି ମହାସଂଘ ମାଧ୍ୟମରେ ୨୯ହଜାର ୭୨୪କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦେବା ସହ ଚାଷୀମାନଙ୍କୁ ଟୋକନ ମଧ୍ୟ ପ୍ରଦାନ କରାଯାଇଥିଲା | ତେବେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଅନୁମତି ମିଳିଛି | ଯାହା ଦ୍ୱାରା ଫେବୃଆରୀ ୩ ତାରିଖରୁ ୧୦ତାରିଖ ମଧ୍ୟରେ ଥିବା ୭ ହଜାର କୁଇଣ୍ଟାଲର ଟୋକନ ଅବଧି ସରିଯାଇଛି |

ଯାହା ଫଳରେ ଅନେକ ଚାଷୀ ଧାନ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଛନ୍ତି | ଏହାକୁ ନେଇ ଚାଷୀଙ୍କ ମହଲ ରେ ତୀବ୍ର ଅସନ୍ତୋଷ ଦେଖାଯାଇଛି | ଆଉ ଚାଷୀଙ୍କ ଧାନ ବିକ୍ରି ସମସ୍ୟାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଶତାଧିକ ଚାଷୀ ଟ୍ରାକଟରରେ ଧାନକୁ ରଖି, ଧାନ କିଣିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି |

The post ଭଦ୍ରକରେ ଚାଷୀ ହନ୍ତସନ୍ତ: ୧୬ନମ୍ବର ଜାତୀୟ ରାଜପଥ ଅବରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3vznkZu