
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ନାସନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର ଏକ ଟିମ୍। ଏନ୍ଏସ୍ଜିର ୩ ଜଣିଆ ସଦସ୍ୟଙ୍କ ସମେତ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ.କେ ବିଶାଲ ସିଂହ ଏବଂ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବା ସହ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ନୂତନ ଭାବେ ନିର୍ମିତ ଶ୍ରୀମନ୍ଦିରର ବାରିକେଡ୍, ଛାମୁଡ଼ିଆ ଓ ସିଂହଦ୍ବାରରେ ଥିବା ସୁରକ୍ଷା ବ୍ୟବସ୍ଥା ଏହି ଅବସରରେ ଯାଞ୍ଚ କରାଯାଇଥିଲା।
ଭକ୍ତମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ସମେତ ସଂପ୍ରତି ଚାଲିଥିବା ସୁରକ୍ଷା କଟକଣା ଟିମ୍ ଅନୁଧ୍ୟାନ କରିଥିଲା। ଏ ନେଇ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସମ୍ପର୍କରେ ଏନ୍ଏସ୍ଜି ଟିମ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଆଗକୁ ସୁରକ୍ଷା ପ୍ରାଚୀର ନିର୍ମାଣ ହେଲେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ତା’ ଉପରେ ଆଲୋଚନା କରାଯାଇଥିଲା। ସିଂହଦ୍ଵାର ସମ୍ମୁଖ ଧାଡ଼ି ଦର୍ଶନ ବ୍ୟବସ୍ଥା, ଭେଟ ମଣ୍ଡପ ସମ୍ମୁଖ, ମେଘନାଦ ପ୍ରାଚୀର ନିକଟ ଅଞ୍ଚଳ, ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦି ଯାଞ୍ଚ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସାକୁ ଟିମ୍ ତଦାରଖ କରିଥିଲା। ଆଲୋଚନା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂହ ଉପସ୍ଥିତ ଥିଲେ।
The post ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚକଲା ଏନ୍ଏସ୍ଜି first appeared on Sambad.from ଜିଲ୍ଲା | Sambad https://ift.tt/3tv6jO5
0 Comments