ବଡ଼ବିଲ : କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡବିଲ ଅଞ୍ଚଳରେ ଲୁହାପଥର ଚୋରି ବଢ଼ିବାରେ ଲାଗିଛି। ବନ୍ଦ ଖଣିକୁ ମାଫିଆମାନେ ଟାର୍ଗେଟ କରିବା ସହ ବିଭିନ୍ନ ଗଳାବାଟରେ ଏହାକୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଏଭଳି କି ରେଳ ସାଇଡିଂରୁ ମଧ୍ୟ ଲୁହାପଥର ଚୋରି ହେଉଛି। ଆଜି ରେଳ ସାଇଡିଂରୁ ଲୁହାପଥର ଚୋରା ‌ଚାଲାଣ ବେଳେ ବଡ଼ବିଲ ପୁଲିସ ୪ଟି ଟ୍ରେଲର, ଲୁହାପଥର ବୋଝେଇ କରୁଥିବା ଏକ ଲୋଡର ମେସିନ ଓ ଏକ ବାଇକ୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ଷ୍ଟେସନ ରୋଡ୍‌ର ଜିତେନ୍ଦ୍ର ଝା, ବର୍କତନଗରର ଏମ୍‌ଡି ଇକ୍‌ବାଲ କ୍ୟୁରେସି, ଚମ୍ପୁଆ ଥାନା ଅନ୍ତର୍ଗତ ଗମ୍ଭାରିଆର ଗଙ୍ଗାଧର ମହାନ୍ତ, ଝାଡ଼ଖଣ୍ଡ ହଜାରିବାଗର ଇଟୱା ନାଗ୍‌, ରାମପରେଶ ଯାଦବ ଏବଂ ଝାଡ଼ଖଣ୍ଡ ଚତ୍ରା ଜିଲ୍ଲାର ବିକ୍ରମ ଯାଦବ ।

ଏସ୍‌ଡିପିଓ ହିମାଂଶୁ ଶେଖର ବେହେରାଙ୍କ ସୂଚନା ଅନୁଯାୟୀ, ଖଣି ବିଭାଗ ଦ୍ବାରା ଜବତ ହୋଇଥିବା ଲୁହାପଥର ସବୁ ବଡ଼ବିଲ ରେଳ ସାଇଡିଂରେ ଗଚ୍ଛିତ ରହିଥିଲା। ଖଣି ମାଫିଆମାନେ କିଛିଦିନ ହେବ ଲଗାତାର ଭାବେ ସେଠାରୁ ଲୁହାପଥର ଚୋରି କରୁଥିଲେ। ବଡ଼ବିଲ ଏସ୍‌ଡିପିଓଙ୍କ ନିର୍ଦ୍ଦେଶ‌କ୍ରମେ ଏସ୍‌ଆଇ ମହେନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଆଜି ଦିନବେଳା ରେଳ ସାଇଡିଂରେ ଚଢ଼ଉ କରି ଚୋରା ଲୁହାପଥର ବୋଝେଇ ହୋଇଥିବା ୪ଟି ଟ୍ରେଲର, ଗୋଟିଏ ଲୋଡର ମେସିନ ଓ ଏକ ବାଇକ୍‌ ଜବତ କରିଥିଲା।

The post ରେଳ ସାଇଡିଂରୁ ଲୁହାପଥର ଚୋରାଚାଲାଣ, ୪ ଟ୍ରେଲର, ଲୋଡର ମେସିନ୍‌ ଜବତ: ୬ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2PgrJjt