
କଟକ : ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ଫେଲ୍। କିନ୍ତୁ ମାଟ୍ରିମୋନି ୱେବ୍ସାଇଟ୍ରେ ପରିଚୟ ସିଆରପିଏଫ୍ ଡିଏସ୍ପି। ଏହି ପରିଚୟରେ ଜଣେ ଠକ ୫ ଜଣ ମହିଳାଙ୍କୁ ବିବାହ କରିଛି। ଜଣେ ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ଶେଷ ଥର ପାଇଁ ବିବାହ କରିଥିଲା। ଠକର କାରନାମା ଜଣା ପଡ଼ିବା ପରେ ଶିକ୍ଷୟିତ୍ରୀ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ନୟାଗଡ଼ ଜିଲ୍ଲା ରଣପୁର ପାମ୍ପଡ଼ାର ବଳରାମ ପ୍ରହରାଜ(୪୫)କୁ ପୁଲିସ ଗିରଫ କରିଛି। ତା ମୋବାଇଲ୍ ଓ ଲାପଟପ୍ରୁ ଏକାଧିକ ମହିଳାଙ୍କ ସହିତ ବିବାହର ଫଟୋ ପୁଲିସ ଜବତ କରିଛି। ପୁଲିସ ପୋଷାକରେ ଉଠାଇଥିବା ଫଟୋ ବି ପୁଲିସ ତା ମୋବାଇଲ୍ରୁ ଜବତ କରିଛି। ୪ଟି ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍, ସ୍କୁଟି, ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି।
ଠକ ବଳରାମର ପ୍ରକୃତ ଘର ନୟାଗଡ଼ ହୋଇଥିବା ବେଳେ ସେ ନିଜକୁ ନୂଆପଡ଼ା ଜିଲ୍ଲା ଖରିଆର୍ର କୈଳାଶ ଚନ୍ଦ୍ର ମିଶ୍ର ପରିଚୟ ଦେଇ ମାଟ୍ରିମୋନି େଵବ୍ସାଇଟ୍ରେ ବିବାହ ପାଇଁ ଆକାଉଣ୍ଟ ଖୋଲିଥିଲା। ଘରେ ତାର ସ୍ତ୍ରୀ ଓ ଦୁଇ ଛୁଆ ଥିବା ବେଳେ ମାଟ୍ରିମୋନି ସାଇଟ୍ରେ ଯୁବତୀଙ୍କୁ ଫସାଇବାକୁ ଗଲା ୫ ବର୍ଷ ତଳେ ଯୋଜନା କରିଥିଲା। ବଳରାମ ନିଜ ସ୍ତ୍ରୀ ସମେତ ନୟାଗଡ଼ ସମେତ ନାଗାଲାଣ୍ତ, ଖୋର୍ଧା, ଅନୁଗୁଳକୁ ମିଶାଇ ପ୍ରାୟ ୫ ଜଣଙ୍କୁ ମାଟ୍ରିମୋନି ସାଇଟ୍ ମାଧ୍ୟମରେ ବିବାହ କରିଥିଲା। ଅନୁଗୁଳର ଜଣେ ଯୁବତୀ କଟକ ନରସି˚ହପୁରରେ ଶିକ୍ଷକତା କରୁଥିବା ବେଳେ ତାଙ୍କୁ ବଳରାମ ଢେଙ୍କାନାଳର ଏକ ମନ୍ଦିରରେ ୨୦୧୯ରେ ବିବାହ କରିଥିଲା। ତାଙ୍କ ନିକଟକୁ ଏକ ନମ୍ବର ବିହୀନ ଗାଡ଼ିରେ ନିୟମିତ ଆସୁଥିଲା। ଯେତକ ଯୁବତୀଙ୍କୁ ଏହି ଠକ ବିବାହ କରିଛି, ସମସ୍ତଙ୍କୁ କିନ୍ତୁ ସେ ଭଡ଼ା ଘରେ ରଖୁଥିଲା। ନିଜେ ବ୍ରାହ୍ମଣ ପରିଚୟ ଦେଉଥିବା ବେଳେ ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରୁଥିବାରୁ ଘରେ ଗ୍ରହଣ କରୁନଥିବା କହି ସମସ୍ତଙ୍କୁ ବାହାରେ ଘର ଭଡ଼ା ନେଇ ରଖୁଥିଲା। କିଛି ମାସ ରହିବା ପରେ ସମ୍ପୃକ୍ତ ଯୁବତୀଙ୍କ ଏଟିଏମ୍ କାର୍ଡ, ସୁନା ଅଳଙ୍କାର ନେଇ ଚମ୍ପଟ୍ ମାରୁଥିଲା।
ନରସି˚ହପୁରର ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ବି ସେୟା ଘଟିଥିଲା। ଶୁକ୍ରବାର ଶିକ୍ଷୟିତ୍ରୀଙ୍କ ଏକ ସ୍କୁଟି ନିଜ ନାଁକୁ ଟ୍ରାନ୍ସଫର୍ କରିବା ପାଇଁ କଟକ ଆରଟିଓକୁ ଆସିଥିଲେ। ଆରଟିଓ ଅଫିସ ବାହାରେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ପାଟିତୁଣ୍ତ ହୋଇଥିଲା। ଏ ସ˚କ୍ରାନ୍ତରେ ଶିକ୍ଷୟିତ୍ରୀ ଜଣକ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଏଭଳି କେଳେଙ୍କାରୀ ସମ୍ପର୍କରେ ଖବର ପାଇଥିଲା। ଆଜି ତାକୁ ଗିରଫ କରାଯାଇଥିବା ବେଳେ ଆଉ କେଉଁ ରାଜ୍ୟରେ ଯୁବତୀଙ୍କୁ ଫସାଇଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
The post ଠକର ଚାଞ୍ଚଲ୍ୟକର କାରନାମା : ମାଟ୍ରିକ ଫେଲ୍; ପୁଲିସ ପରିଚୟ ଦେଇ ବାହା ହୋଇଛି ୫ ଜଣଙ୍କୁ first appeared on Sambad.
from ଜିଲ୍ଲା – Sambad https://ift.tt/3rXSS9n
0 Comments