ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ରେଞ୍ଜ ବସନ୍ତପୁର ଗ୍ରାମରେ ୧୬ଟି ହାତୀ ବୁଲୁଥିବା ବେଳେ ଦଳରୁ ଏକ ଦନ୍ତା ବାହାରି ଗାଁ ଭିତରେ ପଶି ଘର ଭାଙ୍ଗି, ସାଇକେଲ ଓ ବିଭିନ୍ନ ଅସବାବପତ୍ର ଦଳି ନଷ୍ଟ କରି ଦେଇଛି।

ସୂଚନାଯୋଗ୍ୟ, ଗତକାଲି ରାତି ସାଢ଼େ ୯ ଟାରେ ହାତୀପଲରୁ ଏକ ଦନ୍ତା ହାତୀ ବାହାରି ଗ୍ରାମର କୁମୁଦ ବିଶ୍ୱାଳ(୪୬)ଙ୍କ ଘର ଛପର ଆଜବେଷ୍ଟସ ଭାଙ୍ଗି ଦେଇଥିଲା। ଏଥିସହିତ ଘରେ ଥିବା ସାଇକେଲ ଓ ବିଭିନ୍ନ ଆସବାବପତ୍ର ଦଳି ନଷ୍ଟ କରି ଦେଇଛି।
ତାଙ୍କ ଘରକୁ ଲାଗି ଅନ୍ତର୍ଯ୍ୟାମୀ ପ୍ରଧାନ(୫୨) ଓ ତାଙ୍କ ଭାଇ ଟଙ୍କଧର ପ୍ରଧାନ(୪୮)ଙ୍କ ଘର ଟାଇଲ ଛପର ଓ କବାଟ ମଧ୍ୟ ଭାଙ୍ଗି ଦେଇଛି। ଏହି ସମୟରେ ଗ୍ରାମବାସୀ ନିଆଁ ଓ ବାଜା ବଜେଇ ହାତୀକୁ ତଡ଼ିଥିବା ବେଳେ ଦନ୍ତା ଜଙ୍ଗଲକୁ ଚାଲି ଯାଇଥିଲା।
ଆଖପାଖରେ ହାତୀପଲ ରହୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ରାତିରେ କୌଣସି କାମ ପଡ଼ିଲେ ବି ଲୋକେ ଘରୁ ବାହାରୁ ନାହାନ୍ତି। ଦିନ ଥାଉଥାଉ ସବୁ କାମ କରି ଦେଉଛନ୍ତି। ଗ୍ରାମବାସୀ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ବନ ବିଭାଗ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

The post ବସନ୍ତପୁରରେ ହାତୀ ଉପଦ୍ରବ; ଘର ଭାଙ୍ଗିବା ସହିତ ଅସବାବପତ୍ର ଦଳି ନଷ୍ଟ କରି ଦେଇଛି first appeared on Sambad.

from ଜିଲ୍ଲା | Sambad https://ift.tt/3eIXEDR