କଟକ : ରାଜ୍ୟରେ କୌଣସି ବି ଜେଲ୍‌ରେ ଆଉ ଲାଗିବ ନାହିଁ ୪-ଜି ଜାମର‌୍‌! ଜେଲ୍‌ରେ କଏଦୀ ବ୍ୟବହାର କରୁଥିବା ମୋବାଇଲ୍‌ ଠାବ କରିବ ଡିପ୍‌ ସର୍ଚ୍ଚ ମେଟାଲ୍‌ ଡିଟେକ୍ଟର। ଚୌଦ୍ବାର ସର୍କଲ ଜେଲ୍‌ରୁ ବାହାର ଲୋକଙ୍କୁ ମୋବାଇଲ୍‌ରେ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର୍‌ଙ୍କ ମୋବାଇଲ୍‌ ଧରିବ ଏହି ମେଟାଲ୍‌ ଡିଟେକ୍ଟର। ଦୁଇଫୁଟ୍‌ ମାଟି ତଳେ ମୋବାଇଲ୍‌ ପୋତାଯାଇଥିଲେ ବି ଏହି ମେସିନ୍‌ ମାଧ୍ୟମରେ ମୋବାଇଲ୍‌ ଠାବ କରାଯାଇପାରିବ। କମିସନରେଟ୍‌ ପୁଲିସ ଚଢ଼ାଉ ସମୟରେ କଏଦୀମାନେ ମୋବାଇଲ୍‌ ଓ ସିମ୍‌କାର୍ଡ ମାଟି ତଳେ ପୋତିଦେଉଥିବାରୁ ଏଣିକି ଚିହ୍ନଟ ସହଜ ହୋଇପାରିବ ବୋଲି କୁହାଯାଉଛି।

ହାଇଦ୍ରାବାଦ୍‌ସ୍ଥିତ ବିଇଏଲ୍‌(ଭାରତ ଇଲୋକ୍ଟ୍ରନିକ୍ସ ଲିମିଟେଡ୍‌) ମାଧ୍ୟମରେ ୮୭ଟି ଜେଲ୍‌ରେ ୪ଜି ଟେଣ୍ତର ପାଇଁ ଯେଉଁ ଆବେଦନ ହୋଇଥିଲା, କେନ୍ଦ୍ର ସରକାର ଟେକ୍‌ନିକାଲ୍‌ ସ୍ପେସିଫିକେସନ୍‌ ଚୂଡ଼ାନ୍ତ ହୋଇ ନଥିବା ଦର୍ଶାଇ ଚୁକ୍ତି ବାତିଲ୍‌ କରିଦେଇଥିଲେ। ୨୦୧୭ ମାର୍ଚ୍ଚ ୩୧ ତାରିଖରେ ଜେଲ୍‌ ବିଭାଗରେ ୪-ଜି ଜାମର ଖଞ୍ଜିବାକୁ ହୋଇଥିବା ୨ କୋଟି ଟଙ୍କାର ବଜେଟ୍‌ ରାଜକୋଷକୁ ଫେରିଯିବା ପରେ ଏବେ ନୂଆ ଢ˚ଗରେ ଜେଲରେ କଏଦୀ ବ୍ୟବହାର କରୁଥିବା ମୋବାଇଲ ଠାବ କରିବାକୁ ଯୋଜନା ଆରମ୍ଭ କରିଛି ଜେଲ୍‌ ବିଭାଗ। ୩ଟି ୨-ଜି ଜାମର‌୍‌ ଚୌଦ୍ବାର ଜେଲ୍‌ରେ ପୂର୍ବରୁ ଲାଗିଥିବା ବେଳେ ଏବେ ୪-ଜି ଜାମର‌୍‌ ଲାଗିବା ଯୋଜନାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ୍‌ ପଡ଼ିଥିବା କୁହାଯାଉଛି।

ତେବେ ଡିପ୍‌ ସର୍ଚ୍ଚ ମେଟାଲ୍‌ ଡିଟେକ୍ଟର ମାଧ୍ୟମରେ ମୋବାଇଲ୍‌ ଖୋଜା ହେବ। ମେଟାଲ୍‌ ଡିଟେକ୍ଟର ବାଦ୍‌ ୨ଟି ମୋବାଇଲ୍‌ ଡିଟେକ୍ଟର ମାଧ୍ୟମରେ ମଧ୍ୟ ଵାର୍ଡ ଭିତରୁ ମୋବାଇଲ୍‌ ଖୋଜା ହେବ। ସୁରକ୍ଷା ବ୍ୟବସ୍ଥା ଯେଭଳି କଡ଼ାକଡ଼ି ହେଲାଣି ଜେଲ୍‌ ଭିତରେ କଏଦୀ ମୋବାଇଲ୍‌ ବ୍ୟବହାର କରିବା ଏଣିକି ଅଧିକ କଷ୍ଟକର ହୋଇପଡ଼ିବ। କଏଦୀମାନେ ମୋବାଇଲଗୁଡ଼ିକ ମାଟି ତଳେ ଏବ˚ ଜେଲ୍‌ ପାଇଖାନା ଭିତରେ ଲୁଚାଇ ରଖୁଥିବାରୁ ପୁଲିସ ଚଢ଼ାଉ ବେଳେ ଠାବି କରିବା ସମ୍ଭବପର ହେଉ ନଥିଲା। ଏବେ ମୋବାଇଲ୍‌ ଯେଉଁଠାରେ ବି ଲୁଚାଇ ରଖାଯିବ, ସହଜରେ ଠାବ ହୋଇପାରିବ।

ଅନ୍ୟପଟେ ଚୌଦ୍ବାର ଜେଲ୍‌ରେ ୯୩ ଟି ବୁଲେଟ୍‌ କ୍ୟାମେରା ଏବ˚ ୩ ଟି ପିଟିଜେଡ୍‌ କ୍ୟାମେରା ୫୦ ଟି ଵାର୍ଡ, ସମସ୍ତ ବ୍ଲକ୍‌, ଜେଲ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଖଞ୍ଜା ଯାଇଥିବା ବେଳେ ଆହୁରି ୧୦୦ କ୍ୟାମେରା ଲଗାଯିବ। ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ହେବାକୁ ଯାଉଛି। ୧୯୬ କ୍ୟାମେରାରେ ରେକର୍ଡ ହେଉଥିବା ଦୃଶ୍ୟ ଜେଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ପ୍ରୋଜେକ୍ଟର ମାଧ୍ୟମରେ ୨୭ ଘଣ୍ଟା ନିୟନ୍ତ୍ରଣ କରାଯିବ। ୨୦ ଜଣ ଵାର୍ଡରଙ୍କୁ ୨୦ଟି ବଡି ଓନ୍‌ କ୍ୟାମେରା ଦିଆଯିବ। କମିସନରେଟ୍‌ ପୁଲିସରେ ଟ୍ରାଫିକ୍‌ ପୋଷ୍ଟରେ ପୁଲିସ ବ୍ୟବହାର କରୁଥିବା ବଡି ଓନ୍‌ କ୍ୟାମେରା ଭଳି ଜେଲ୍‌ର ଵାର୍ଡରଙ୍କୁ ଏହି କ୍ୟାମେରା ଦିଆଯିବ। ଵାର୍ଡ ଓ ସେଲ୍‌ରେ ଡ୍ୟୁଟି କରୁଥିବା ଵାର୍ଡର‌୍‌ ଏହି କ୍ୟାମେରା ବ୍ୟବହାର କରି ଡ୍ୟୁଟି କରିବେ। ଏମିତିକି ଵାର୍ଡ ବାହାରେ ଶାରୀରିକ କାର୍ଯ୍ୟରେ ନିୟୋଜିତ କଏଦୀ ମଧ୍ୟ କାର୍ଯ୍ୟକଳାପ ଵାର୍ଡର ଏହି କ୍ୟାମେରାରେ ରେକର୍ଡ କରିବେ। ଚୌଦ୍ବାର ସର୍କଲ ଜେଲ୍‌ରେ ରାଜନେତାଙ୍କଠୁ ଆରମ୍ଭ କରି ଦୁର୍ଦ୍ଦାନ୍ତ ଅପରାଧୀ, ମାଓନେତା ଏବ˚ ଚିଟ୍‌ ଫଣ୍ତ ଠକେଇରେ ସମ୍ପୃକ୍ତ ପ୍ରତିଷ୍ଠିତ ବ୍ୟକ୍ତି, କଏଦୀ ଭାବେ ଅଛନ୍ତି। ଗଲାବର୍ଷ ସକିଲ୍‌ ଭଳି ଗ୍ୟାଙ୍ଗ୍‌ଷ୍ଟର‌୍‌ ଚୌଦ୍ବାର ଜେଲର‌୍‌ ବାରମ୍ବାର ଫୋନ୍‌ ଯୋଗେ ବ୍ୟବସାୟୀଙ୍କୁ ଧମକ ଦେବାରୁ ତାକୁ ବାହାର କେନ୍ଦୁଝର ଜେଲ୍‌ ସ୍ଥାନାନ୍ତର କରିଦିଆଯାଇଥିଲା।

ସୁରକ୍ଷା ବ୍ୟବସ୍ଥା ବାଦ୍‌ ଚୌଦ୍ବାର ସର୍କଲ ଜେଲ୍‌ର ସ୍ବେରେଜ୍‌ ଓ ଡ୍ରେନେଜ୍‌ ବ୍ୟବସ୍ଥାର ନବୀକରଣ କରାଯିବ। ଏବେ ଯେଉଁଗୁଡ଼ିକ ଜେଲ୍‌ରେ ରହିଛି, ଠିକ୍‌ରେ କାମ କରୁ ନାହିଁ। ୧ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ କରାଯିବାକୁ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଏହି କାମ ହାତକୁ ନେଇଛି। ସ୍ବତନ୍ତ୍ର ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇ ଜେଲରୁ ନିଷ୍କାସିତ ହେଉଥିବା ଆବର୍ଜନ ବାହାରକୁ ଯିବ। ୨୦୦ କଏଦୀ ରହିଲା ଭଳି ନୂତନ ବ୍ଲକ ତିଆରି କରାଯିବାକୁ ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।

The post ବଦଳିଲା ଜେଲ୍‌ର ସୁରକ୍ଷା ଶୈଳୀ : ମେସିନ୍‌ ଖୋଜିବ ମାଟି ତଳୁ ମୋବାଇଲ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/3kYYkpB