ରାଜକନିକା: ସବୁଆଡ଼ୁ ନିରାଶ ହୋଇ ଗତ ୨ ତାରିଖରେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ମାନିନୀ। ତାଙ୍କ ସମସ୍ୟା ବୁଝିବ ବୋଲି ପୁଲିସ କହିଥିଲା। ଏ ଯାଏ ତାଙ୍କ ଦୁଃଖ ବୁଝୁ ନାହାନ୍ତି କେହି। ନିଜ ଜମିରେ ବି ସରକାରୀ ଆବାସ ତୋଳି ପାରୁ ନାହାନ୍ତି। ଭଙ୍ଗା ଘରେ ପଡ଼ି ରହିଛନ୍ତି। ଅସହାୟ ଜୀବନ ଜିଉଁଛନ୍ତି। ହାଟସାହିର ମାନିନୀ ସାହାଣୀ। ଅଭାଗିନୀ ମାନିନୀଙ୍କ ଦୁଃଖ କହିଲେ ନ ସରେ। ନିଜ ଘର ଭାଙ୍ଗି ଯାଇଥିଲା। ଜରି ପାଲ ଟଙ୍ଗା ନୂଆଣିଆ ଭଙ୍ଗା ଘରେ ଦୁଇ ପିଲା, ମାନସିକ ଅନଗ୍ରସର ସ୍ବାମୀଙ୍କୁ ଧରି ପଡ଼ିଛନ୍ତି। ପର ଘରେ ମୂଲ ଲାଗି ସେମାନଙ୍କ ପେଟକୁ ଆହାର ଜୁଟାଉଛନ୍ତି।

ଆବାସ ଯୋଜନାରେ ଘର ଖଣ୍ତେ ମିଳିଥିଲା ତାଙ୍କୁ। ହେଲେ, ନିଜ ଜାଗାରେ ବି ଦିଅର ଓ ଅନ୍ୟ ସମ୍ପର୍କୀୟମାନେ ତାଙ୍କୁ ଘର କରାଇ ଦେଲେନି। ଅସହାୟ ହୋଇ ଗୋଚର ଜମିରେ ଆବାସ ତୋଳିବାରୁ ନାଏବ ସରପଞ୍ଚ ତାଙ୍କୁ ବାରଣ କଲେ। ସମସ୍ତେ ଘର କରିଥିବା ବେଳେ ତାଙ୍କୁ କାହିଁକି ବାରଣ କରାଯାଉଛି ବୋଲି ପଚାରିବାରୁ ନାଏବ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିଥିଲେ। ଏ ସମ୍ପର୍କରେ କଣ୍ତିଆ ଫାଣ୍ତିରେ ଜଣାଇଥିଲେ ମାନିନୀ। ଫାଣ୍ତି ଅଧିକାରୀ କିଛି ବୁଝି ନ ଥିଲେ। ପରବର୍ତ୍ତୀ ସମୟରେ ଦିଅର ଓ ନାଏବ ସରପଞ୍ଚ ଜାନୁଆରି ୯ ତାରିଖ ରାତିରେ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମାନିନୀ ୧୦ ତାରିଖରେ କଣ୍ତିଆ ଫାଣ୍ତିରେ ଅଭିଯୋଗ କରିଥିଲେ।

ଫାଣ୍ତି ଅଧିକାରୀ କିଛି କଥା ଶୁଣାଯିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେବାରୁ ମାନିନୀ ରାଜକନିକା ଥାନା ଓ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିଲେ। ନ୍ୟାୟ ତ ମିଳିଲାନି, ପୁଲିସ୍‌ ତାଙ୍କୁ ବାରମ୍ବାର ଥାନାକୁ ଡାକି ମାନସିକ ଯନ୍ତ୍ରଣା ଦେବାରୁ ମାନିନୀ ଗତ ମାସ ୨ ତାରିଖ ଦିନ ରାଜକନିକା ଥାନା ଆଗରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ରାଜକନିକା ଥାନା ଅଧିକାରୀ ସ˚ଜୀବ୍‌ କୁମାର ରଣଭୈଁସା ଅଭିଯୋଗର ତଦନ୍ତ କରି ତୁରନ୍ତ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ପର୍କୀୟମାନଙ୍କ ବିରୋଧ ଯୋଗୁ ମାନିନୀ ଏବେ ଘର ତିଆରି କରି ପାରୁ ନାହାନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇ ନିରାଶ ହୋଇଛନ୍ତି। ‘ତହସିଲଦାରଙ୍କୁ ନେଇ ଜମି ମାପ କରାଯିବ। ପୁଲିସ ଉପସ୍ଥିତିରେ ଘର ତିଆରି ହେବ।’ ଏହି କଥା ଶୁଣିଶୁଣି ମାନିନୀଙ୍କ ଦିନ ଗଡ଼ୁଛି।

The post ଅଭାଗିନୀ ମାନିନୀ; କେବେ ମିଳିବ ନ୍ୟାୟ ? first appeared on Sambad.



from ଜିଲ୍ଲା – Sambad https://ift.tt/3rsZKeC