କଟକ: ସବୁ ପଞ୍ଚାୟତ ଉପରେ ଏବେ କୋଭିଡ ଖଟର ବୋଝ। କୋଭିଡ୍ ପାଇଁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର (ଟିଏମ୍‌ସି)ର ଖଟ ସମ୍ଭାଳିବା ଏବେ ପଂଚାୟତ ପାଇଁ ମୁସ୍କିଲ ହେଲାଣି। ୬ ମାସ ହେଲା ଟିଏମସି ବନ୍ଦ ହୋଇଯାଇଥିବା ବେଳେ ଏବେ ସେହି ଖଟକୁ କେଉଁଠି ସ୍କୁଲ, କଲେଜ ଘରେ ତ କେଉଁଠି ସରପଂଚଙ୍କ ଘରେ ଅଥବା ଘର ଭଡା ନେଇ ରଖାଯାଇଛି। ଅଧିକାଂଶ ପଞ୍ଚାୟତରେ ଗୋଦାମ ଘର ନାହିଁ କି ପଞ୍ଚା‌ୟତର ନିଜସ୍ବ ଗୃହ ମଧ୍ୟ ଅନେକ ସ୍ଥାନରେ ନାହିଁ।

ସୂଚନା ଅନୁଯାୟୀ କଟକ ଜିଲ୍ଲାକୁ ୨୪ ହଜାର ୩୫୪ ପ୍ରବାସୀ ଫେରିଥିବା ବେଳେ ଖୋଲାଯାଇଥିଲା ୬୧୭ଟି ଟିଏମ୍‌ସି। ଏଥିପାଇଁ ୧୮ହଜାରରୁ ଅଧିକ ଖଟିଆ କିଣା ଯାଇଥିଲା। ପ୍ରଥମରୁ କଟକରେ ଖଟିଆ କିଣାରେ ଦୁର୍ନୀତି ଅଭିଯୋଗ ଆସିଥିଲା। ବ୍ଲକ୍‌ ପକ୍ଷରୁ କେଉଁ ନିର୍ଦ୍ଦେଶନାମା ବଳରେ ଖଟିଆ ଓ କୋଭିଡ୍‌ କିଟ୍‌ ସବୁ ଯୋଗାଣ ହେଲା ତାକୁ ନେଇ ଏବେ ବି ପ୍ରଶାସନ ହରଡ ଘଣାରେ ପଡିଛି। କେତେ ଖଟିଆ, କେତେ ଟଙ୍କାର କୋଭିଡ୍‌ ସାମଗ୍ରୀ କିଣା ହୋଇଛି, କେତେ ଟଙ୍କାର କୋଭିଡ୍‌ ଖର୍ଚ୍ଚ ଜିଲ୍ଲାରେ କରାଯାଇଛି ଯଦିଓ ସେ ତଥ୍ୟ ପ୍ରଶାସନ ପକ୍ଷରୁ ଗୋପନୀୟ ରଖାଯାଇଛି ତଥାପି ପାଖାପାଖି ୪୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଏକ ସୂତ୍ରରୁ ଜଣାପଡିଛି। ଏବେ ପାଖାପାଖି ୬ମାସ ହେବ ସବୁ ଟିଏମ୍‌ସି ବନ୍ଦ। କିନ୍ତୁ ବନ୍ଦ ପରେ ପଞ୍ଚାୟତ ନିଜ ହେପାଜତରେ ସବୁ ସାମଗ୍ରୀ ରଖିବ ବୋଲି ନିର୍ଦ୍ଦେଶ ଦେଇଥିଲେ ସରକାର। କିନ୍ତୁ ଜିଲ୍ଲାର ୩୭୩ ପଞ୍ଚାୟତରେ କେଉଁଠି ଏସବୁ ସାମଗ୍ରୀ ରଖାଯିବ, ତାହାକୁ ନେଇ ଚିନ୍ତା ବଢୁଛି। ଆଜି ‘ସମ୍ବାଦ’ ପକ୍ଷରୁ ଜିଲ୍ଲାର ନିଆଳି, ଆଠଗଡ଼, ନରସିଂହପୁର, ନିଶ୍ଚିନ୍ତକୋଇଲି, ବାଙ୍କୀ ବ୍ଲକ୍‌ର ପାଖାପାଖି ୧୫ରୁ ଅଧିକ ଟିଏମ୍‌ସିର ସ୍ଥିତି ପରଖାଯାଇଥିଲା। ଯେଉଁଠି ଗୋଦାମ ଘର ଅଛି ସେଠାରେ ସବୁ ସାମଗ୍ରୀ ସେହି ଗୋଦାମ ଘରେ ମହଜୁଦ୍‌ ରଖାଯାଇଛି। କିନ୍ତୁ ଗୋଦାମ ଘର ନଥିବା ଓ ପର୍ଯ୍ୟାପ୍ତ ଜାଗା ନଥିବା ପଞ୍ଚା‌ୟତରେ ଏବେ ପ୍ରତିନିଧି ଓ ଅଧିକାରୀଙ୍କୁ ଖଟିଆ ଚିନ୍ତା ଘାରିଛି। ଯଦି କେଉଁଠି କିଛି ହଜି ଯାଏ ତେବେ ସେମାନଙ୍କ ଠାରୁ ହୁଏତ ଭରଣା କରାଯିବାର ଆଶଙ୍କା କରାଯାଉଛି।

The post ପଞ୍ଚାୟତକୁ ଘାରିଛି ଖଟିଆ ଚିନ୍ତା: ସ୍କୁଲ୍‌, କଲେଜ, ସରପଞ୍ଚଙ୍କ ଘରେ ଜମା ହୋଇଛି କୋଭିଡ୍‌ ଖଟ first appeared on Sambad.



from ଜିଲ୍ଲା – Sambad https://ift.tt/3et1elq