ଚିକିଟି/ବ୍ରହ୍ମପୁର: ଗତରାତିରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁନାପୁର ନିକଟ ଅନନ୍ତରାୟପୁରରେ ପଛୁଆ ଫେରୁଥିବା ଗୋଟାଏ ମାଛ-ଟ୍ରକ୍‌ ଟ୍ରାନ୍‌ସ୍‌ଫର୍‌ମର୍‌ ବସିଥିବା ଏକ ବିଜୁଳି ଖମ୍ବରେ ଧକ୍କା ଖାଇବାରୁ ସର୍ଟସର୍କିଟ୍‌ ହୋଇ ଟ୍ରକ୍‌ ଚାଳକ ଓ ସୁପର୍‌ଭାଇଜର୍‌ଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିଦ୍ୱୟ ହେଉଛନ୍ତି ୪୭ ବର୍ଷିୟ ତାମିଲନାଡୁର ଟ୍ରକ୍‌ ଚାଳକ ସୋନ୍ଧିନାଥନ୍‌ ସୁବ୍ରମଣ୍ୟମ୍‌ ଏବଂ ୩୭ ବର୍ଷିୟ ସୁପର୍‌ଭାଇଜର୍‌ ମଧମ କୁମାର ମୁଥାଝାଗମ୍‌।

ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ସେମାନେ ଅନନ୍ତରାୟପୁର ଗ୍ରାମରେ ପହଞ୍ଚି ମାଛ ବୋଝେଇ କରିବା ଲାଗି ଟ୍ରକ୍‌ଟିକୁ ପାର୍କିଙ୍ଗ୍‌ କରାଉଥିଲେ। ଏଥିପାଇଁ ହେଲ୍‌ପର୍‌ ଲେଲିନ୍‌ ତଳକୁ ଓହ୍ଲାଇ ପଡ଼ି ଟ୍ରକ୍‌କୁ ପଛୁଆ ଚଳାଉଥିବା ଡ୍ରାଇଭର୍‌ଙ୍କୁ ଠିକ୍‌ ରାସ୍ତା ବତାଉଥିଲେ। କିନ୍ତୁ, ଘନ ଅନ୍ଧାର ଯୋଗୁଁ ଟ୍ରାନ୍‌ସ୍‌ଫର୍‌ମର୍‌ ବସିଥିବା ବିଜୁଳି ଖମ୍ବଟି ତାଙ୍କର କି, ଡ୍ରାଇଭର୍‌ଙ୍କର ଦୃଷ୍ଟିରେ ପଡ଼ି ନ ଥିଲା। ପଛୁଆ ଚାଲୁଥିବା ଟ୍ରକ୍‌ଟି ଟ୍ରାନ୍‌ସ୍‌ଫର୍‌ମର୍‌ ଖମ୍ବକୁ ଧକ୍କା ଦେବାରୁ ସର୍ଟସର୍କିଟ୍‌ ହୋଇ ଟ୍ରକ୍‌ ମଧ୍ୟକୁ ବିଜୁଳି ପ୍ରବାହିତ ହୋଇଥିଲା। ପ୍ରଥମେ ହେଲ୍‌ପର୍‌ ବିଜୁଳି ଆଘାତ ପାଇ ସେଠାରେ ଟଳିପଡ଼ିଥିଲେ। ହେଲ୍‌ପର୍‌ ପଡ଼ିଯିବା ଦେଖି ଡ୍ରାଇଭର୍‌ ଓ ସୁପର୍‌ଭାଇଜର ତଳକୁ ଓହ୍ଲାଇବା ଲାଗି ଟ୍ରକ୍‌ କ୍ୟାବିନ୍‌ ଡୋର୍‌କୁ ଧରିବା ମାତ୍ରେ ବିଜୁଳି ଆଘାତ ପାଇ ମୃତ୍ୟୁବରଣ କରିଥିଲେ।

ଘଟଣା ସଂକ୍ରାନ୍ତରେ ଜାଣିବା ପରେ ଗ୍ରାମବାସୀମାନେ ତୁରନ୍ତ ବିଜୁଳି ବିଭାଗ ଓ ପୁଲିସକୁ ଖବର ଦେଇ ୧୦୮ ଆମ୍ବୁଲାନ୍‌ସ୍‌ରେ ସମସ୍ତଙ୍କୁ ନେଇ ‘ଏମ୍‌କେସିଜି’ରେ ଭର୍ତ୍ତି କରିଥିଲେ। ଟ୍ରକ୍‌ ଚଳାକ ଓ ସୁପର୍‌ଭାଇଜର୍‌ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

କିନ୍ତୁ, ସଙ୍କଟାପନ୍ନ ଅବସ୍ଥାରେ ଥିବା ଟ୍ରକ୍‌ ହେଲ୍‌ପର୍‌ଙ୍କର ଚିକିତ୍ସା ଚାଲିଛି।

The post ଟ୍ରାନ୍ସଫର୍‌ମରେ ଧକ୍କା ଖାଇଲା ପଛକୁ ଫେରୁଥିବା ମାଛ-ଟ୍ରକ୍‌; ବିଜୁଳି ଆଘାତରେ ଡ୍ରାଇଭର୍‌ ଓ ସୁପର୍‌ଭାଇଜର୍‌ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3u4lspR