ବ୍ରହ୍ମପୁର : ଏକଦା ରାଜ୍ୟର କରୋନା ହଟସ୍ପଟ୍‌ ପାଲଟିଥିବା ଗଞ୍ଜାମରେ କିଛି ମାସ ହେଲା ସ୍ଥିତି ନିୟନ୍ତ୍ରଣରେ ଅଛି। ଏବେ ଖୁବ୍‌ ଧୀରେ ଧୀରେ କରୋନା ପୁଣି କାୟା ମେଲିବା ଆରମ୍ଭ କରିଛି। ବହୁ ଦିନ ହେଲା ଜିଲ୍ଲରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଏକ ଅଙ୍କରେ ରହୁଥିଲା। ଲମ୍ବା ବ୍ୟବଧାନରେ ଗତକାଲି ଠାରୁ ଏହି ସଂଖ୍ୟା ଦୁଇଅଙ୍କ ଛୁଇଁଛି। ଆଜି ଜିଲ୍ଲାରେ ପୁଣି ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତ ସଂଖ୍ୟା ୧୩ରେ ପହଞ୍ଚିଛି। ଗତ ୧୩ ତାରିଖରେ ଜିଲ୍ଳାରୁ ୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୧୪ ଓ ୧୫ତାରିଖରେ ୨ଜଣ ଲେଖାଏଁ ଏବଂ ୧୬ତାରିଖରେ ୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୋଟିଏ ପଟେ ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁରତରେ ମଧ୍ୟ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି।

Deccan Herald

ସୁରତରେ ରାତି ୧୦ ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି। ଏପରିକି ସୁଇମିଂ ପୁଲ୍‌, ସିଟି ବସ୍‌ସେବା ବନ୍ଦ କରାଯାଇଛି। ପ୍ରବଳ ଭିଡ଼ କାରଣରୁ ସୁରତ ପାଣ୍ଡେସାରା ଅଞ୍ଚଳର ଦୈନିକ ବଜାର ଆଜି ଦିନ ବେଳେ ବନ୍ଦ କରି ଦିଆ ଯାଇଥିବା ମଧ୍ୟ ସୂଚନା ମିଳିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା, ପ୍ରତି ଶନିବାର ଓ ରବିବାର ସୁରତ୍‌ର ଟେକ୍ସଟାଇଲ ମାର୍କେଟ୍‌ ବନ୍ଦ ଲାଗି ମଧ୍ୟ ପ୍ରଶାସନର ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଏଥିସହ ସୁରତ ପୌରନିଗମ ଇଲାକା ମଧ୍ୟରେ ଷ୍ଟେସନ୍‌ ଗୁଡ଼ିକରେ ଆଜି ଠାରୁ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି। ବାହାରୁ ଆସୁଥିବା ଯାତ୍ରୀଙ୍କ ହାତରେ ଷ୍ଟାମ୍ପ୍ ଲଗାଯିବା ସହ ୭ଦିନ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ସୁରତରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ବେଳେ ଗଞ୍ଜାମରେ ଏ ଯାବତ୍ ସେଭଳି ପ୍ରତିଷେଧମୂଳକକୁ ପଦକ୍ଷେପ ନିଆଯାଇ ନାହିଁ। ପ୍ରଥମତଃ ସୁରତରେ ଯଦି କରୋନା ସ୍ଥିତି ଅଣାୟତ୍ତ ହୁଏ ଏବଂ ଗତବର୍ଷ ଭଳି ସୂତାକଳ ବନ୍ଦ ହୁଏ, ତେବେ ପ୍ରବାସୀ ପୁଣି ଭିଟାମାଟି ଫେରିବା ସମ୍ଭାବନା ରହୁଛି। ଅନ୍ୟପକ୍ଷରେ ସବୁ ବେଳେ ଖରାଦିନେ ଅର୍ଥାତ ଦଣ୍ଡଯାତ୍ରା ସମୟରେ ସୁରତରୁ ପ୍ରବାସୀମାନେ ଫେରିଥାନ୍ତି। କିନ୍ତୁ ଅଧିକାଂଶ ପ୍ରବାସୀ ଖରିଫ୍‌ ଅମଳ ପରେ ଗତ ଡିସେମ୍ବରରେ କାର୍ମକ୍ଷେତ୍ରକୁ ଫେରିଥିବାରୁ ଦଣ୍ଡଯାତ୍ରା ସମୟରେ ଫେରିବା ସମ୍ଭାବନା କ୍ଷୀଣ ରହୁଛି। ଯଦି ଫେରିବେ, ଖୁବ୍‌ କମ ସଂଖ୍ୟକ। ବର୍ତ୍ତମାନ ସ୍ଥିତିରେ କରୋନା ହଟସ୍ପଟ୍‌ ପାଲଟିଥିବା ସୁରତ୍‌ରୁ ଜଣେ ବି ଜିଲ୍ଲାକୁ ଆସିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଏ ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଶୁ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି, ଜିଲ୍ଲାରେ ପୂର୍ବସ୍ଥିତି ଉପୁଜିବା ସମ୍ଭାବନା ନାହିଁ। ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି ଓ ୧୫ଦିନ ହେଲା ସ୍ଥିତି ମନିଟରିଂ କରାଯାଉଛି। ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଫେରିବା ନେଇ କିଛି ସୂଚନା ଜିଲ୍ଲା ପ୍ରଶାସନ ପାଖରେ ନାହିଁ।

Sambad English

କରୋନା ପୁଣି ଡରାଇବା ଆରମ୍ଭ କରିଥିବା ବେଳେ କୋଭିଡ଼୍‌ କଟକଣା ଆଦୌ ପାଳନ ହେଉନାହିଁ। ସଚେତନତା-ସାମାଜିକ ଦୂରତା ଅବଲମ୍ବନ ଓ ସ୍ବଚ୍ଛତାକୁ ସମସ୍ତେ ଭୁଲିଗଲଣି। ଅଧିକାଂଶ ଲୋକ ମାସ୍କ୍‌ ବ୍ୟବହାର କରୁନାହାନ୍ତି। ବସ୍‌ ମାଲିକ ନିୟମିତ ବ୍ୟବଧାନରେ ବସ୍‌କୁ ସାନିଟାଇଜ୍‌ କରିବା ନିର୍ଦ୍ଦେଶ ପାଳୁନାହାନ୍ତି। ବସ୍‌ରେ ଯାତ୍ରୀ ମାସ୍କ୍‌ ପିନ୍ଧୁନାହାନ୍ତି। ସିଟ୍‌ ତୁଳନାରେ ଅଧିକ ଯାତ୍ରୀ ଖଚାଖଚ୍‌ ହୋଇ ଯାଉଛନ୍ତି। ଦ୍ବିତୀୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ କୋଭିଡ଼୍‌ ନିୟମ କଡ଼ାକଡ଼ି ପାଳନ ନିର୍ଦ୍ଦେଶକୁ ବେଖାତିର କରାଯାଉଛି। ଗତକାଲି(ମଙ୍ଗଳବାର) ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ଲୋକଙ୍କ ଅପ୍ରତ୍ୟାଶିତ ଭିଡ଼ ଜମିଥିଲା। ବିଶେଷ କରି ମା’ ତାରାତାରିଣୀ ଓ ବାଙ୍କେଶ୍ବରୀ ପୀଠରେ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ମୁଣ୍ଡନ ହୋଇଥିଲେ। ଭକ୍ତଙ୍କ ଦର୍ଶନକୁ ନେଇ ଠେଲାପେଲା ଲାଗିଥିଲା। କୋଭିଡ଼୍‌ ନିୟମ ଫସର ଫାଟି ଯାଇଥିଲା। ସେହିପରି ବଜାର ଓ ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼୍‌ ଜମୁଥିବା ବେଳେ ପଞ୍ଚସୂତ୍ରୀ ନିୟମ କେହି ମାନୁନାହାନ୍ତି। ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ବଡ଼ବଜାର ସ୍ଥିତିକୁ ଦେଖିଲେ ଏହା ଜଳଜଳ ଦିଶୁଛି। ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କୋଭିଡ଼୍ ନିୟମ ପାଳନ ହେଉନାହିଁ। ମହାରାଷ୍ଟ୍ର, ଗୁଜରାଟ, କେରଳ ଆଦି ୬ଟି ରାଜ୍ୟରେ ପୁଣି କରୋନା ପ୍ରକୋପ ବଢିବା ପରେ ରାଜ୍ୟ ସରକାର କୋଭିଡ଼୍‌ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡ଼ିକରେ କରୋନା କଟକଣା ପାଳନ ହେଉଛି କି ନାହିଁ ତାହାର କଡ଼ାକଡ଼ି ଯାଞ୍ଚ କରିବାକୁ ଜିଲ୍ଲାପାଳ ବିଡ଼ିଓ, ତହସିଲଦାର ଓ ସହରାଞ୍ଚଳ ସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଚିଠି ଲେଖିଥିଲେ। କ‌ୋରନା କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ ଜିଲ୍ଲାରେ ଯାଞ୍ଚକୁ ଏ ଯାବତ୍‌ ଯାଞ୍ଚ କଡ଼ାକଡ଼ି କରାଯାଇନି। ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ ଗୁଜରାଟରେ କରୋନା ପ୍ରକୋପ ବଢିଛି। ଯଦି ସେଠାରେ ଗତବର୍ଷ ଭଳି ସ୍ଥିତି ଉପୁଜେ, ତେବେ ପ୍ରବାସୀ ପୁଣି ଭିଟାମାଟି ଫେରିବା ସମ୍ଭାବନା ରହିଛି। ଏ ସବୁକୁ ଅନୁଧ୍ୟାନ କଲେ, କରୋନାକୁ ଗଞ୍ଜାମ ପୁଣି ହାତ ଠାରି ଡାକିବା ସ୍ଥିତି ଉପୁଜିଛି।

The post ଗଞ୍ଜାମରେ କାୟା ମେଲୁଛି କରୋନା, କଟକଣା ଶୂନ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3cLaFKb