ଜଗତସିଂହପୁର ଟାଉନ୍: ମୋଟା ଅଙ୍କର ଦରମା ଛାଡ଼ି କୃଷି କ୍ଷେତ୍ରକୁ ଆପଣାଇ ନେଇଛନ୍ତି ଜଗତସିଂହପୁର ବ୍ଳକ୍ ଆଶ୍ରମପାଟଣା ରସଲପୁର ଗାଁର ୩୧ ବର୍ଷୀୟ ସୌମ୍ୟକାନ୍ତ ମହାନ୍ତି। ଜଗତସିଂହପୁର ଜିଲ୍ଲାରେ ପ୍ରଥମଥର ପାଇଁ ଲାଭଦାୟକ ଲେୟାର ଫାର୍ମିଂ (ଅଣ୍ତାଦିଆ କୁକୁଡ଼ା ଫାର୍ମ) କରି ନିଜେ ସ୍ବାବଲମ୍ବୀ ହେବା ସହ ୧୨ ଜଣରୁ ଅଧିକ ଲୋକଙ୍କୁ ରୋଜଗାର କ୍ଷମ କରି ପାରିଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ସୌମ୍ୟକାନ୍ତ ମହାନ୍ତିଙ୍କ ବାପା ଯଚୀନ୍ଦ୍ର ମହାନ୍ତି ବ୍ୟବସାୟ କରୁଥିବା ବେଳେ ମା’ ବାସନ୍ତୀ ମହାନ୍ତି ଗୃହିଣୀ। ସୌମ୍ୟ ବି’ଟେକ୍ ମେକାନିକାଲ ପରେ କଲିକତାରେ ‘ବ୍ୟୁରୋ ଅଫ୍ ଇଣ୍ତିଆନ୍ ଷ୍ଟାଣ୍ତାର୍ଡ’ରେ ଇନ୍‌ଭେଷ୍ଟିଗେଟିଭ୍ ଅଫିସର ଭାବେ ମୋଟା ଅଙ୍କର ଦରମାରେ କାମ କରୁଥିଲେ। ହେଲେ ଚାକିରି ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା। ନୂଆ ପିଢ଼ି ଚାଷକୁ ମୁହଁ ମୋଡୁଥିବା ବେଳେ ସେ ଖୁସିରେ ଚାଷ କାମକୁ ଆଦରି ନେଇଥିଲେ। ପ୍ରାୟ ତିନିବର୍ଷ ତଳେ ନୂତନ ଜ୍ଞାନକୌଶଳରେ ନିଜ ଜନ୍ମମାଟିରେ ଆରମ୍ଭ କରିଥିଲେ ଲେୟାର ଫାର୍ମିଂ। ନାନା ଘାତ ପ୍ରତିଘାତ ଭିତରେ ପ୍ରୋଜେକ୍ଟ ସରିବା କଷ୍ଟକର ହୋଇ ପଡ଼ିଥିଲା। ଏହାପରେ କରୋନାର ଭୟାବହତା ମଧ୍ୟ ଦାଉ ସାଧିଲା। ଏ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟିବା ପରେ ସୌମ୍ୟଙ୍କ ଆଗ୍ରହ ଦେଖି ଜିଲ୍ଲାପାଳ ସହଯୋଗର ହାତ ବଢ଼ାଇଥିଲେ। ପ୍ରାଶାସନିକସ୍ତରରେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିଲେ ଜିଲ୍ଲାପାଳ। ୮୦ ଲକ୍ଷ ଟଙ୍କାର ପ୍ରୋଜେକ୍ଟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୦ ପ୍ରତିଶତ ସବ୍‌ସିଡି ମଧ୍ୟ ସରକାର ଯୋଗାଇ ଦେଇଛନ୍ତି।

Sambad

୧ ଏକର ଜମିରେରେ ଲେୟାର ଫାର୍ମ କରାଯାଇଛି। ଦୁଇଟି ଫ୍ଲକ୍ସରେ ବର୍ତ୍ତମାନ ୧୫ ହଜାର କୁକୁଡ଼ା ରଖିଛନ୍ତି। ଏଥିପାଇଁ ନୂତନ ଜ୍ଞାନକୌଶଳରେ ସମସ୍ତ ସୁବିଧା ଉପଲବ୍‌ଧ କରାଯାଇଛି। ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ କୁକୁଡ଼ା ଅଣ୍ତା ଦେବା ଆରମ୍ଭ କରିବେ। ପ୍ରତ୍ୟେକ ଦିନ ୧୩ରୁ ୧୪ ହଜାର ଅଣ୍ତା ବାହାରିବ ବୋଲି ସୌମ୍ୟ କହିଛନ୍ତି। ତେବେ ଏହି ସଫଳତା ପାଇଁ ସୌମ୍ୟ ଜିଲ୍ଲାପାଳଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତିନିବର୍ଷ ତଳୁ ଆରମ୍ଭ କରିଥିଲେ ହେଁ ପ୍ରାଶାସନିକ ସ୍ତରରେ ଅନେକ ବାଧା ଉପୁଜିଥିଲା। କିନ୍ତୁ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ସହଯୋଗ ଯୋଗୁଁ ମୁଁ ସଫଳତା ପାଇଛି। ପ୍ରଶାସନ ସ୍ତରରେ ଏଭଳି ସହଯୋଗ ଜାରି ରହିଲେ ଅଧିକରୁ ଅଧିକ ଯୁବକ କୃଷି କ୍ଷେତ୍ରକୁ ନିଶ୍ଚୟ ଆପଣାଇବେ। ତେବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ବେହେରା, ଜଗତସିଂହପୁର ବ୍ଳକ୍ ଭେଟେନାରି ଡେପୁଟି ଡାଇରେକ୍ଟର ବିକ୍ରମ ଆଚାର୍ଯ୍ୟ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଲୋପାମୁଦ୍ରା ମଲ୍ଲିକ, ଇଣ୍ଡିଆନ୍ ବ୍ୟାଙ୍କ ମ୍ୟାନେଜର ପ୍ରମୋଦ କୁମାର ମଲ୍ଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଉପସ୍ଥିତ ରହି ଏହି ଫାର୍ମକୁ ଉଦ୍‌ଘାଟନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଇଛି। କୋଭିଡ୍ ସମୟରେ ମଧ୍ୟ ପଶ୍ଚିମବଙ୍ଗରୁ ଲୋକ ଆଣି କାମ କରାଯାଇଥିଲା। ସୌମ୍ୟ ଜଣେ ଶିକ୍ଷିତ ଯୁବକ। ସଫଳ ଉଦ୍ୟେଗୀ ହେବା ପାଇଁ ତାଙ୍କର ଦୃଢ଼ ଇଚ୍ଛା ଅଛି। ଆମେ ରେକର୍ଡ ସମୟରେ ଭିତରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେଗ ଯୋଜନାରେ ୩୧ ଲକ୍ଷ ଟଙ୍କାର ସବ୍‌ସିଡି ଯୋଗାଇ ଦିଆଯାଇଛି। ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରଶାସନର ଦ୍ବାର ସବୁ ସମୟରେ ଖୋଲା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

The post ଜଗତସିଂହପୁର ଜିଲ୍ଲାରେ ପ୍ରଥମ; ଚାକିରି ଛାଡ଼ି ଆପଣାଇଲେ ଚାଷ first appeared on Sambad.

from ଜିଲ୍ଲା | Sambad https://ift.tt/3rsQZAr