
କଟକ: ଆଉ ଦେଖିବାକୁ ମିଳିବନି ବାରବାଟୀ ଷ୍ଟାଡିୟମର ସେହି ପୁରୁଣା ପଡ଼ିଆ। ଆଗକୁ ନୂଆ ରୂପରେ ସଜେଇ ହେବ ଏହି ଐତିହାସିକ ଷ୍ଟାଡିୟମ୍ର ଆଉଟଫିଲ୍ଡ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପଡ଼ିଆ ରୂପରେଖ ଯୋଜନା ଅନ୍ତର୍ଗତ ଓ ଓସିଏର ଭିଜନ୍ ୨୦୨୪ ଅଧିନରେ ବାରବାଟୀ ଷ୍ଟାଡିୟମ୍ରେ ଏହି ପରିବର୍ତ୍ତନ କରାଯାଉଛି। ଆସନ୍ତା ୩ ମାସ ମଧ୍ୟରେ ପଡ଼ିଆର ନବୀକରଣ କାର୍ଯ୍ୟ ଶେଷ ହୋଇଯିବ ଓ ଏଥିପାଇଁ ପାଖାପାଖି ୨ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପିଚ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ପିଚ୍ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ନୂଆ ପଡ଼ିଆ ଯୋଜନା ଅନ୍ତର୍ଗତ ମାଟି ପରିବର୍ତ୍ତେ ପଡ଼ିଆରେ ବାଲି ବିଛାଯିବ। ପାଖାପାଖି ୧ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ମାଟି ଉଠାଯିବା ପରେ ସେଥିରେ ବାଲି ପକାଯିବ। ବାଲିରେ ଶୁଖିଲା ନିମ୍ବପତ୍ର ଓ କୋକୋ ପିଟ୍ କେକ୍ ମିଶ୍ରଣ କରାଯିବ। ଏହା ଉପରେ ଘାସ ବୁଣାଯିବ। ଘାସରେ କୌଣସି ପ୍ରକାରର ସ˚କ୍ରମଣ ନ ହେବା ଏବ˚ ଉଇ କିମ୍ବା ପିମ୍ପୁଡ଼ି ନ ଲାଗିବା ପାଇଁ ନିମ୍ବପତ୍ରର ପ୍ରୟୋଗ କରାଯାଉଥିଲାବେଳେ ଘାସ ଭଲଭାବେ ବାନ୍ଧିହେବା ଓ ବଢିବା ପାଇଁ କୋକୋପିଟ୍ ସହାୟକ କରିବ।
ପୂର୍ବରୁ ରହିଥିବା ମାଟି ପଡ଼ିଆରେ ବର୍ଷାଦିନେ ଅନେକ ସମସ୍ୟା ଦେଖାଦେଉଥିଲା। ପାଣି ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ଜମି ରହୁଥିଲା। ସୁପର ସକର୍ ବ୍ୟବହାର କରାଯାଉଥିଲେ ସୁଦ୍ଧା ପଡ଼ିଆ ଓଦାଳିଆ ରହୁଥିଲା। ଯାହାଦ୍ବାରା ବଲ୍ ମଧ୍ୟ ଶୀଘ୍ର ଓଦା ହୋଇଯାଉଥିଲା ଓ ପଡ଼ିଆ ଖସଡ଼ିଆ ରହୁଥିଲା। ଏପରିକି କାକର ପଡ଼ିଲେ ମଧ୍ୟ ପଡ଼ିଆ ଅଧିକ ସମୟ ପର୍ଯ୍ୟନ୍ତ ଓଦା ରହୁଥିଲା। କିନ୍ତୁ ବାଲି ଆଧାରିତ ପଡ଼ିଆରେ ଡ୍ରେନେଜ ବ୍ୟବସ୍ଥା ରହିବ। ଫଳରେ ବର୍ଷା ହେଲେ ମଧ୍ୟ ପାଣି ସିଧାସଳଖ ତଳକୁ ଟାଣି ହୋଇଯିବ। ଭୀଷଣ ବର୍ଷା ହେଲେ ବି ବର୍ଷା ଛାଡ଼ିବା ପରେ ପଡ଼ିଆ ୬୦ ପ୍ରତିଶତ ପ୍ରସ୍ତୁତ ହୋଇପାରିବ। ବାଲି ରହିବା ଦ୍ବାରା ଆଉଟ୍ଫିଲ୍ଡ ନରମ ରହିବ। ଯାହାଫଳରେ ଖେଳାଳିମାନେ ଡାଇଭ୍ ମାରିଲେ ଆହତ ଜନିତ ସମସ୍ୟା ଦୂର ହୋଇଯିବ। ବାଲିରେ ଘାସର ବାନ୍ଧିବା ଶକ୍ତି ଅଧିକ ବଢ଼ିବ ଏବ˚ ଚେର ଶୀଘ୍ରଶୀଘ୍ର ଚାରିଆଡେ ମାଡ଼ିବ। ତେଣୁ ଚାରିଆଡେ ସବୁଜିମା ରହିବ। ବାଲି ରହିବାରୁ ଘାସରେ ସ˚କ୍ରାମକ ରୋଗ ସମ୍ଭାବନା ପ୍ରାୟତଃ ରହିବନି। କାରଣ ପଡ଼ିଆ ଓଦା ହେବା ପରେ ଘାସ ସ˚କ୍ରମଣ ହେବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ବାଲି ଉପରେ ଖରାପଡ଼ିଲେ ଉତ୍ତାପ ସ˚ଗ୍ରହ ହେବ ଏବ˚ ସ˚କ୍ରାମକ ଜୀବାଣୁ ମରିଯିବ।
ବାରବାଟୀ ଷ୍ଟାଡିୟମରେ କ୍ରିକେଟ ବ୍ୟତୀତ ଦୌଡ଼କୁଦ, ଫୁଟବଲ, ହକି ଇତ୍ୟାଦି ଖେଳ ଖେଳାଯାଉଛି। ବର୍ଷାଦିନେ ଫୁଟବଲ ଖେଳାଯିବାବେଳେ ପଡ଼ିଆ ଖସଡ଼ିଆ ହୋଇଯାଉଥିଲା। ଯାହାଫଳରେ ଘାସ ନଷ୍ଟ ହେଉଥିଲା। କିନ୍ତୁ ବାଲି ଆଧାରିତ ପଡ଼ିଆ ହେଲେ ପଡ଼ିଆର କ୍ଷତି ହେବା ସମ୍ଭାବନା ବହୁତ କମ୍ ହୋଇଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ସବୁପ୍ରକାରର ଖେଳକୁ ଦୃଷ୍ଟିରେ ରଖି ପଡ଼ିଆରେ ବାଲି ବିଛାଯାଉଥିବା ସେ ପ୍ରତିକ୍ରିୟା ଦେଇଛନ୍ତି।
The post ଆରମ୍ଭ ହେଲା ବାରବାଟୀ ଷ୍ଟାଡିୟମ ପଡ଼ିଆ ଉନ୍ନତିକରଣ first appeared on Sambad.
from ଜିଲ୍ଲା – Sambad https://ift.tt/3sSFQtJ
0 Comments