
କଟକ : ଏସ୍ସିବିରେ ପୁଣି ନିଆଁ। ଗତକାଲି ଶିଶୁଭବନ ଏସ୍ଏନ୍ସିୟୁରେ ଅଗ୍ନିକାଣ୍ଡ ପରେ ଆଜି ଏସ୍ସିବି ଆଂଚଳିକ ନିଦାନ କେନ୍ଦ୍ରର ସିଟି ସ୍କାନ୍ ରୁମ୍ ପାଖରେ ଥିବା ଡାର୍କରୁମ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସେଭଳି ବଡ଼ଧରଣର କ୍ଷୟକ୍ଷତି ଘଟିନି। ଏସି ସଂଯୋଗରେ ସର୍ଟସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ କହିଛି। ଅଗ୍ନିକାଣ୍ଡରେ କୋଠରୀରେ ଥିବା କିଛି ଆସବାବପତ୍ର, ସସ୍ପେନ୍ ଆଦି ପୋଡ଼ିଥିବା କୁହାଯାଉଛି। ଏଭଳି ଅଘଟଣ ସତ୍ତ୍ବେ ସିଟି ସ୍କାନ୍ ବ୍ୟବସ୍ଥା ସଂପୂର୍ଣ୍ଣ ସ୍ବାଭାବିକ ଥିବା ଜଣାପଡ଼ିଛି। କେବଳ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ତେବେ, ଏସ୍ସିବିରେ ବାରମ୍ବାର ବିଭିନ୍ନ ବିଭାଗରେ ଏଭଳି ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି।
ଏସ୍ସିବିର ନାହିଁ ଫାୟାର ସେଫ୍ଟି ଲାଇସେନ୍ସ୍
ଏସ୍ସିବି ମାନସିକ ରୋଗ ବିଭାଗ, ନ୍ୟୁ ମେଡିସିନ୍, ସେଣ୍ଟ୍ରାଲ ଆଇସିୟୁ ଭଳି କିଛି ହାତଗଣତି ବିଭାଗକୁ ଛାଡିଦେଲେ ବାକି କୌଣସି କୋଠାରେ ନାହିଁ ଫାୟାର ସେଫ୍ଟି ଲାଇସେନ୍ସ। ପୁରୁଣା କୋଠାରେ ଫାୟାର ସେଫ୍ଟି ଲାଇସେନ୍ସ ନଥିବାରୁ ବାରମ୍ବାର ଫାୟାର ସେଫ୍ଟି ଲାଇସେନ୍ସ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ତାଗିଦ୍ କରାଯିବା ସହ ନୋଟିସ୍ ମଧ୍ୟ ଦିଆଯାଉଛି। ବିଭିନ୍ନ ସମୟରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ପାଇଁ ବିଭିନ୍ନ ସୁରକ୍ଷିତ ପଦକ୍ଷେପ ନେବା ସଂପର୍କରେ ପରାମର୍ଶ ମଧ୍ୟ ଦିଆଯାଉଛି। କିନ୍ତୁ କିଛି ବି କରାଯାଉନି। ଏସ୍ସିବି କର୍ତ୍ତୃପକ୍ଷ କେବଳ ଫାୟାର ସେଫ୍ଟି ଲାଇସେନ୍ସ ନଥିବା ବିଭାଗଗୁଡ଼ିକରେ ଅଗ୍ନିନିରାପତ୍ତା କିଟ୍ ଲଗାଇ କାମ ସାରିଦେଉଛନ୍ତି। ଦରକାର ପଡ଼ିଲେ ସେହି କିଟ୍ ବି ନିଆଁକୁ ଆୟତ୍ତ କରିପାରୁନି କି ଖୋଲୁନି। ଏପରିକି ଅନେକ ଅଗ୍ନିନିରାପତ୍ତା କିଟ୍ର ଅବଧି ମଧ୍ୟ ସରିଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
The post ଏସ୍ସିବି ଆଞ୍ଚଳିକ ସିଟି ସ୍କାନ୍ ଡାର୍କରୁମ୍ରେ ନିଆଁ first appeared on Sambad.
from ଜିଲ୍ଲା – Sambad https://ift.tt/3cug5cx
0 Comments