ଚଣ୍ତିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଗାଡ଼ି ପୋଡ଼ି ଘଟଣାରେ ୩୦୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ ଉଭୟ ପକ୍ଷର ୧୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ପରେ ପୁଲିସ ଡିଆଇଜି ଜୟନାରାୟଣ ପଙ୍କଜ ଓ ଯାଜପୁର ଏସ୍‌ପି‌ ରାହୁଲ ପିଆର୍‌ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଘଟଣାରେ ବିକ୍ରମତିରଣ ପଞ୍ଚାୟତ ସରପଞ୍ଚଙ୍କ ଭାଇ ଅନନ୍ତ ନାରାୟଣ ଧଳ ଓ ଭରତପୁର ସରପଞ୍ଚଙ୍କ ସ୍ବାମୀ ତଥା ଶିକ୍ଷକ ବସନ୍ତରାଜ ସାମଲ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏମାନଙ୍କ ନେତୃତ୍ବରେ ଗତକାଲିର ଘଟଣା ଘଟିଥିଲା ଏବଂ ଏମାନେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ବୋଲି ପୁଲିସ କହିଛି। ରାଜନୈତିକ ପତିଆରା ବୃଦ୍ଧି ପାଇଁ ଏଭଳି ଘଟଣା ଘଟିଥିବାବେଳେ ପୁଲିସର ଅବହେଳା ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି।

ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ୭ ଦିନ ହେବ ଉତ୍ତେଜନା ଲାଗି ରହିଥିଲା। ଏନେଇ ଥାନାରେ ଏକ ଅଭିଯୋଗ ମଧ୍ୟ ହୋଇଥିଲା। ପୁଲିସ ପକ୍ଷରୁ ଗ୍ରାମରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ସେକ୍ସନ ଫୋର୍ସ ମୁତୟନ କରାଯିବା ସହ ପାଟ୍ରୋଲିଂ କରାଯାଉଥିଲା। ତଥାପି ଗତ ୬ ତାରିଖ ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ପଞ୍ଚୁପାଣ୍ଡବ ଛକରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଡେରାବିଶ ଥାନା ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗ୍ରାମରେ ୨ ସେକ୍ସନ ଫୋର୍ସ ସହ ଦୁଇ ପିସିଆର ଭ୍ୟାନରେ ପୁଲିସ କର୍ମଚାରୀ ମହଜୁଦ ରହିଥିଲେ। ସେହି ସମୟରେ ଗୋଟିଏ ଗୋଷ୍ଠୀର ୫୦ରୁ ୬୦ଜଣ ବାଇକ୍‌ ଶୋଭାଯାତ୍ରାରେ ଆସିଥିଲେ। ଏହି ଶୋଭାଯାତ୍ରାକୁ ପୁଲିସ ବାରଣ କରିନଥିଲା। ପୁଲିସ ପାଖରେ ଅନେକ ବିକଳ୍ପ ରହିଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅନ୍ୟଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ସ୍ବୀକାର କରିଛନ୍ତି। ଏହି ଶୋଭାଯାତ୍ରାକାରୀମାନେ ପୁଲିସ ଉପସ୍ଥିତିରେ ଅନ୍ୟଗୋଷ୍ଠୀର ଜଣେ ଲୋକକୁ ନିସ୍ତୁକ ମାଡ଼ ମାରି ଚାଲିଯାଇଥିଲେ। ପୁଲିସ ଉପସ୍ଥିତିରେ ମାଡ଼ ମରାଯାଇଥିବାରୁ ଅନ୍ୟଗୋଷ୍ଠୀର ଲୋକେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହ ପୁଲିସ ଉପରକୁ ‌‌‌ଢେଲା ମାଡ଼ କରିଥିଲେ ଏବଂ ପୁଲିସର ୨ଟି ଗାଡ଼ି ଜାଳି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସ୍ଆ‌ଇ ମନୋଜ ପଣ୍ତା କହିଛନ୍ତି ଯେ, ମାରଣାସ୍ତ୍ର ସହିତ ଶତାଧିକ ଲୋକ ଆସିବାରୁ ଏହା ପୁଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ରେଖା ସେଠୀଙ୍କ ଅଭିଯୋଗକ୍ରମେ ଥାନା କେସ ନମ୍ବର ୭୩/୨୧ ଏକ ମାମଲା ରୁଜୁ ହୋଇଥିବା ବେଳେ ବାଲିଚନ୍ଦ୍ରପୁର ଥାନା ଏସ୍ଆ‌ଇ ମନୋଜ ପଣ୍ତାଙ୍କ ଏତଲାକ୍ରମେ କେସ ନମ୍ବର ୭୪/୨୧ରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ପଣସୁଧା ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

The post ପଣସୁଧା ଗୋଷ୍ଠୀସଂଘର୍ଷ : ୩୦୦ଜଣଙ୍କ ନାମରେ ମାମଲା,୧୯ କୋର୍ଟଚାଲାଣ; ଗାଁ ପୁରୁଷ ଶୂନ୍ୟ, ଡିଆଇଜିଙ୍କ ସମୀକ୍ଷା first appeared on Sambad.



from ଜିଲ୍ଲା – Sambad https://ift.tt/3ehG75j