ସିନାପାଲି : କ୍ଷେତରେ ପଡ଼ିଥିବା ନଡ଼ାକୁ ପୋଡ଼ିବାକୁ ଯାଇଥିଲେ। ହେଲେ ହଠାତ୍‌ ନିଆଁ ଚାରିଆଡ଼କୁ ବ୍ୟାପିଯିବାରୁ ତା ମଧ୍ୟରୁ ବାହାରିପାରିଲେ ନାହିଁ। ଜିଅନ୍ତା ଜଳିଗଲେ ନୂଆପଡ଼ା ଜିଲ୍ଲା ସିନାପାଲିର ଚାଷୀ ନୀଳାମ୍ବର ମେହେର (୫୫ବର୍ଷ)।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିନାପାଲି ବ୍ଲକ ସିନାପାଲି ଗ୍ରାମର ନୀଳାମ୍ବର ରବିବାର ତାଙ୍କ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ଶୁଖିଲା ନଡ଼ାରେ ନିଆଁ ଲଗାଇବା ମାତ୍ରେ ପବନରେ ନିଆଁ ସବୁଆଡ଼କୁ ବ୍ୟାପି ଯାଇଥିଲା। କିଡ୍‌ନିରୋଗୀ ହୋଇଥିବାରୁ ନୀଳାମ୍ବର ସେହି ଧୂଆଁ ଓ ନିଆଁଘେରରୁ ବାହାରି ପାରିନଥିଲେ ଓ ପଡ଼ିଯାଇଥିଲେ। ତାଙ୍କ ଦେହରେ ବି ନିଆଁ ଲାଗିଯାଇଥିଲା। ଧୂଆଁ ଓ ନିଆଁ ଦେଖି ଗ୍ରାମବାସୀ ସେଠାରେ ପହଞ୍ଚି ନୀଳାମ୍ବର ନିଆଁ ଘେରରେ ଥିବା ଦେଖିଥିଲେ। ସେତେବେଳକୁ ସେ ପୋଡ଼ି ଯାଇଥିଲେ। ଗ୍ରାମବାସୀ ତୁରନ୍ତ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସିନାପାଲି ଥାନା କେସ୍ ନଂ ୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ନୀଳାମ୍ବରଙ୍କ ବଡ଼ଭାଇଙ୍କର ମଧ୍ୟ ୨ ବର୍ଷ ତଳେ ନିଆଁରେ ପୋଡ଼ି ମୃତ୍ୟୁ ଘଟିଥିଲା।

The post ‌କ୍ଷେତର ନଡ଼ା ପୋଡ଼ିବାକୁ ଯାଇଥିଲେ, ଜିଅନ୍ତା‌ ଜଳିଗଲେ ଚାଷୀ first appeared on Sambad.



from ଜିଲ୍ଲା – Sambad https://ift.tt/3v0Kpnv