
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକ ନିକଟରେ ବେଆଇନ ଗୋଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନ ଜବତ କରାଯିବା ସହ ୪୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଗେଲପୁର ଛକ ନିକଟରେ ବେଆଇନ ଭାବେ ପିକଅପ ଭ୍ୟାନରେ ଗୋ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଦୁଇଟି ଗାଡ଼ିକୁ ଅଟକ ରଖିଥିଲେ। ତେବେ ଅନ୍ୟ ତିନିଟି ଗାଡ଼ି ପଳାଇଥିଲା। ଯାଜପୁର ପାଣିକୋଇଲିରୁ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବା କୁହାଯାଉଛି।
ଖବର ପାଇ ଗୋସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଘଟଣାସ୍ଥଳରୁ ଦୁଇ ଗାଡ଼ିର ଚାଳକ ଓ ହେଲପର୍ ଫେରାର ହୋଇଯାଇଥିଲେ।
ଏହାପରେ ସେମାନେ ଗ୍ରାମାଞ୍ଚଳ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଦୁଇଟି ପିକଅପ ଭ୍ୟାନକୁ ଜବତ କରିଥିଲା। ଉଦ୍ଧାର କରାଯାଇଥିବା ୪୦ରୁ ଅଧିକ ଗାଈଗୋରୁଙ୍କୁ ମଇଦାପୁର ଗୋଶାଳାରେ ରଖାଯାଇଛି।
ଏ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଗେଲପୁର ଛକ ବାଟଦେଇ ପ୍ରତିଦିନ ପିକଅପ ଭ୍ୟାନରେ ବେଆଇନ ଗୋଚାଲାଣ ହେଉଥିବା ଜାଣି ମଧ୍ୟ ପୁଲିସ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।
The post ବେଆଇନ୍ ଗୋଚାଲାଣ ବେଳେ ୨ଟି ଗୋରୁ ବୋଝେଇ ପିକ୍ଅପ୍ ଜବତ: ୪୦ରୁ ଅଧିକ ଗୋରୁ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/3q9M86p
0 Comments