
ଭଦ୍ରକ: ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କର ଏକ ଅଡିଓ ରେକର୍ଡିଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଭଦ୍ରକ ରାଜନୀତି ଉଷ୍ଣ ହେବାରେ ଲାଗିଛି। ଭାଇରାଲ ଫୋନ କଲ୍ ରେକର୍ଡିଂରେ ବିଧାୟକ ଶ୍ରୀ ରାୟ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁପ୍ରସାଦ ବେହେରାଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି, ଗୁରୁ ବାବୁ ତୁମକୁ ଆଗରୁ ମୁଁ ଦୁଇ ତିନିଥର କହିଥିଲି। ଏବେ ବି କହୁଛି, ଏଠି ପଲିଟିକାଲ୍ ପ୍ରୋବ୍ଲେମ୍କୁ ଜାଣିଶୁଣି ତମେ ଅଧିକ ଆଗ୍ରେଭେଟ୍ କରୁଛ। କେତେବେଳେ କ’ଣ କରୁଛ, ତାର ଠିକଣା ନାହିଁ। ତମ ମୋବାଇଲରେ ରେକର୍ଡିଂ ଅଛି କି? ତମେ ଯେତିକିରେ ରହିବା କଥା, ସେତିକିରେ ରୁହ। ଅଧିକ ହେଲେ ଡିଜିଙ୍କ ପାଖରେ ବସି ତମକୁ ମୋଟୁ ଥାନାକୁ ଫୋପାଡ଼ି ଦେବି। ଲ ସବୁ ବେଳେ ଲ ବାଟରେ ଯିବ।
ଏ ସଂପର୍କରେ ବିଧାୟକ ଶ୍ରୀ ରାୟଙ୍କୁ ପଚରାଯିବାରୁ ସେ କହିଥିଲେ, ଭାଇରାଲ୍ ଅଡିଓକୁ ଉଦ୍ଦେଶ୍ୟମୂଳକ ଭାବେ ଏଡିଟିଂ କରାଯାଇ ତାଙ୍କ ବିରୋଧରେ ଅପପ୍ରଚାର କରାଯାଇଛି। ସଂପୃକ୍ତ ଥାନା ଏଏସ୍ଆଇ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀ। ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକମାନଙ୍କୁ ସେ ଆଇନର ଭୟ ଦେଖାଇ ଲାଞ୍ଚ ମାଗନ୍ତି। ମିଛ କେସ୍ରେ ଯୋଡ଼ି ଲୋକଙ୍କୁ ହଇରାଣ ହରକତ କରନ୍ତି। ସେଥିପାଇଁ ଭିଜିଲାନ୍ସ ତାଙ୍କୁ ପୂର୍ବରୁ ଗିରଫ କରିବା ସହ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି। ଅନେକ ଲୋକ ତାଙ୍କ ବ୍ୟବହାର ଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମୋ ପାଖରେ ଫେରାଦ ହୋଇଥିଲେ। ଏ ଦୃଷ୍ଟିରୁ ଆଇନ୍ ହିସାବରେ କାମ କରିବା ପାଇଁ ତାଙ୍କୁ କହିଥିଲି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶ୍ରୀ ରାୟ।
ଅନ୍ୟପକ୍ଷରେ ଥାନା ଏଏସ୍ଆଇ ଗୁରୁପ୍ରସାଦ ବେହେରାଙ୍କୁ ଏ ନେଇ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ବିଧାୟକଙ୍କ ଅଡିଓ ରେକର୍ଡିଂ ଭାଇରାଲ୍ ପରେ ଏବେ ଆଉ ଏକ ଅଡିଓ ରେକର୍ଡିଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଥାନା ଏଏସ୍ଆଇ ଶ୍ରୀ ବେହେରା ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗୁଥିବା ନଜରକୁ ଆସିଛି। ସେପଟେ ଏହି ଘଟଣାକୁ ନେଇ ବିଜେପି ଆଜି ଭଦ୍ରକର ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ରାୟଙ୍କ କୁଶପୁତ୍ତଳିକା ଦାହ କରିଛି।
The post ଚାନ୍ଦବାଲି ବିଧାୟକଙ୍କ ଫୋନ୍ କଲ୍ ଭାଇରାଲ୍, ବାଂଶଡ଼ା ଥାନା ଏଏସ୍ଆଇଙ୍କୁ ବଦଳି ପାଇଁ ଧମକ first appeared on Sambad.from ଜିଲ୍ଲା | Sambad https://ift.tt/3f7SSQk
0 Comments