
ନିଆଳି: ନିଆଳି ବ୍ଲକ୍ ତଥା ଦେବୀକନ୍ଦଳ ଦ୍ବୀପାଞ୍ଚଳର କସର୍ଦ୍ଦାରେ ଐତିହାସିକ ଦିପୋଟି ମେଳଣ ପରମ୍ପରା ବଜାୟ ରଖିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ଏହି ପ୍ରସିଦ୍ଧ ମେଳଣ ପ୍ରଥମଥର ପାଇଁ ବନ୍ଦ ହେବାକୁ ଯାଉଛି। ଗତ ଶନିବାର ସନ୍ଧ୍ୟାରେ କସର୍ଦ୍ଦାର ପୁରୁଣା ବିଟ୍ ହାଉସ୍ ନିକଟରେ ଦୋଳଗୋବିନ୍ଦ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଳି ତହସିଲଦାର ବିଦ୍ୟାଧର ପତି, ସଦର ଏସ୍ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ନିଆଳି ଥାନାଧିକାରୀ ବିଜୟ କୁମାର ମଲ୍ଲିକଙ୍କ ସମେତ ଦୋଳଗୋବିନ୍ଦ କମିଟି ସଭାପତି ତଥା ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର, ବିଜେଡି ବ୍ଲକ୍ ସଭାପତି ତ୍ରିଲୋଚନ ମହାନ୍ତି, ଶଶିଶେଖର ମହାପାତ୍ର, ବିକ୍ରମ ମହାପାତ୍ର, ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଦେବୀକନ୍ଦଳ ଦ୍ବୀପାଞ୍ଚଳର ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିଲେ। କରୋନା ମହାମାରୀ ପୁନର୍ବାର କାୟା ବିସ୍ତାର କରୁଥିବାରୁ ମେଳଣ ବନ୍ଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ୧୨୫ ବର୍ଷର ପରମ୍ପରା ଭାଙ୍ଗିବାର ଆଶଙ୍କା ପ୍ରକାଶ ପାଇଥିବାରୁ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଚୈତ୍ର କୃଷ୍ଣପକ୍ଷ ତୃତୀୟା ତିଥି ରାତିରେ ଆୟୋଜିତ ହେଉଥିବା ଦିପୋଟି ମେଳଣ ପାଇଁ ଦୋଳ ବିମାନଗୁଡ଼ିକ ବାଜା-ବାଣ-ରୋସଣି ସହ ଆସି ଚତୁର୍ଥୀ ତିଥି ସନ୍ଧ୍ୟାରେ ଭୋଗ ପରେ ଫେରିଯା’ନ୍ତି। ମେଳଣ ପାଇଁ ପଞ୍ଜୀକୃତ ଠାକୁରଙ୍କ ସଂଖ୍ୟା ୪୪ଥିବା ବେଳେ ଏବେ ୬୪ଟି ଦୋଳ ବିମାନ ମେଳଣକୁ ଆସୁଥିବା ଦେଖାଯାଉଛି। ଦିପୋଟି ମେଳଣର ଅନ୍ତିମ ପର୍ବ ହରିହର ଭେଟ ବେଶ ଚିତ୍ତାକର୍ଷକ ତଥା ନିଆରା ପରମ୍ପରା। ମେଳଣର ଥାନପତି ଲକ୍ଷ୍ମୀନାରାୟଣ ନିଜ ବିମାନରେ ସେବକମାନଙ୍କ କାନ୍ଧରେ ବିରାଜ କଲା ପରେ ତରବଣର ଶ୍ରୀଗୋପାଳଜିଉଙ୍କ ବିମାନ ସେବକମାନଙ୍କ କାନ୍ଧରେ ଝୁଲିଝୁଲି ଆସି ଅବିର ଭେଟ ପରେ ପ୍ରତ୍ୟାଗମନ କରନ୍ତି। ପରେ ସବୁ ବିମାନ କ୍ରମାନ୍ବୟରେ ଆସି ଅବିର ଭେଟ ପରେ ନିଜ ଗ୍ରାମକୁ ଫେରି ଯାଇଥା’ନ୍ତି। ମେଳଣ ଦିନ ସ୍ଥାନୀୟ ଗୋପାଳମାନଙ୍କ ଦ୍ବାରା ଲଉଡ଼ି ଖେଳ, ଉଗାଳ, କୈବର୍ତ୍ତମାନଙ୍କ ଦ୍ବାରା ଚଇତି ଘୋଡ଼ାନାଚ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷିତ କରିଥାଏ। ତେବେ ଚଳିତବର୍ଷ କରୋନା ଯୋଗୁଁ ଐତିହାସିକ ଦିପୋଟି ମେଳଣ ବନ୍ଦ ନିଷ୍ପତ୍ତି ପରେ ଶ୍ରଦ୍ଧାଳୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟ ସ୍ଥାନରେ ବିମାନ ସହ ସର୍ବନିମ୍ନ ସେବାୟତମାନଙ୍କୁ ନେଇ ମେଳଣ ଆୟୋଜନ କରାଯାଉଛି। ହେଲେ, କସର୍ଦ୍ଦାର ଐତିହାସିକ ଦିପୋଟି ମେଳଣ କରୋନା କଟକଣା ଆଳରେ ସମ୍ପୂର୍ଣ୍ଣ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।
The post କରୋନା କଟକଣା ଯୋଗୁ ଭାଙ୍ଗିବ ୧୨୫ବର୍ଷର ପରମ୍ପରା; ଐତିହାସିକ ଦିପୋଟି ମେଳଣ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3f88ljw
0 Comments