କଟକ: କଟକରେ ରହିଛି ଅନେକ ନିଆରା ପରଂପରା। ବିଭିନ୍ନ ପର୍ବପର୍ବାଣୀ, ଉତ୍ସବ ଆୟୋଜନ ସହିତ ବ୍ୟବସାୟର ପରଂପରା ବି ଏଥିରେ ଯୋଡ଼ି ହୋଇ ରହିଛି। ସେହିଭଳି ପରଂପରାରେ ଜାଗର ବା ମହାଶିବ ରାତ୍ରିରେ କଟକରେ ଆରମ୍ଭ ହୋଇଥାଏ ଦହି, ଲସି, ସର୍ବତ ଦୋକାନ। ଏହି ଦିନ ଶ୍ରଦ୍ଧାଳୁ ଉଜାଗର ରହି ମନ୍ଦିରରେ ଦୀପ ଜଳିବା ସହ ବ୍ରତ କରିଥାନ୍ତି। ନିଷ୍ଠାର ସହ ବତ୍ର କରିବା ପରେ ରାତିରେ ମହାଦୀପ ଦେଖି ନିଜ ବ୍ରତ ଭାଙ୍ଗିଥାନ୍ତି। ବ୍ରତ ଭାଙ୍ଗିବା ପରେ କିଏ ଫଳ ରସ ପିଇବାକୁ ତ ଆଉ କିଏ ସର୍ବତ ବା ଦହି ଲସି ପିଇବାକୁ ପସନ୍ଦ କରିଥାନ୍ତି। ସେହିଭଳି ‌ଲୋକଙ୍କ ପସନ୍ଦକୁ ନଜରରେ ରଖି ସହରରେ ଦହି, ଲସି, ସର୍ବତ ଦୋକାନ ଖୋଲିବା ଆରମ୍ଭ କରିଥିଲା। ଜାଗରରୁ ଏହି ଦୋକାନ ଖୋଲୁଥିବା ବେଳେ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲି ଥାଏ। ସହରର ପ୍ରମୁଖ ସ୍ଥାନ ବାଦାମବାଡ଼ି, ଦୋଳମୁଣ୍ଡାଇ, ଲିଙ୍କରୋଡ, ମଙ୍ଗଳାବାଗ, କଲେଜଛକ, ବକ୍ସିବଜାର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ସର୍ବତ ଦୋକାନ ଖୋଲି ଥିବା ବେଳେ ସହରର ଗଳିକନ୍ଦି, ସାହି ବଜାର ଭିତରେ ବି ଦୋକାନ ଖୋଲିଛି।

ଦହି ଲସି, ଦହି ରାବଡି, ରାବଡି ଲସି ଭଳି ସର୍ବତ ବିକ୍ରି ହେଉଥିବା ବେଳେ ଏଥିରେ ଦହି, ରାବଡି, ଶିରା, ବରଫ, ନଡିଆ, କାଜୁ, କିସମିସ, ଭିନ୍ନଭିନ୍ନ ଫ୍ଲେଭରର ସେଣ୍ଟ ଆଦି ବ୍ୟବହାର କରାଯାଇଥାଏ। ଗ୍ଲାସ ପିଛା ଦର ବିଭିନ୍ନ ସ୍ଥାନରେ ଏଥର ୩୦ ଟଙ୍କାରୁ ଆରମ୍ଭ ହୋଇ ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗତବର୍ଷ କରୋନା ଯୋଗୁଁ ବେପାର ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ଏହାର ପ୍ରଭାବ ବେପାର ଉପରେ ପଡ଼ିଛି। ପୂର୍ବରୁ ଜାଗର ଦିନ ଯେଉଁଠି ୪ଶହରୁ ଅଧିକ ଗ୍ଲାସ ସର୍ବତ ବିକ୍ରି ହେଉଥିଲା, ଏଥର ଦୁଇ ଶହ, ଅଢେଇ ଶହରେ ସୀମିତ ରହିଛି। କିନ୍ତୁ ସ୍ଥିତି ସୁଧୁରୁ ଥିବାରୁ ଆଗକୁ ବେପାର ଖୁବ୍‌ ଭଲ ହେବ ବୋଲି ଦୋକାନୀ ଆଶା ବାନ୍ଧିଛନ୍ତି।

Sambad

ଆଜି ଦୁଇ ଶହ ଗ୍ଲାସ ବିକ୍ରି ହୋଇଛି
ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ଶିବରାତ୍ରୀ ଠାରୁ ସର୍ବତ ବେପାର ଆରମ୍ଭ ହୋଇଛି। ଦହି ଲସି, ରାବିଡ଼ି ଲସି, ସର୍ବତ ରହିଥିବା ବେଳେ ଦର ସୁହାଇଲା ଭଳି ରହିଛି। ଏହି ସର୍ବତ ବେପାର ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ। ଗତ ବର୍ଷ ସର୍ବତ ବେପାର ଆରମ୍ଭ ହୋଇଥିଲା ସତ ହେଲେ କିନ୍ତୁ କରୋନା ଯୋଗୁଁ ବେପାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଚଳିତବର୍ଷ ମଧ୍ୟ ଏହାର ପ୍ରଭାବ ରହିଛି। ଯେଉଁଠି ଜାଗର ଦିନ ୪ଶହରୁ ଅଧିକ ସର୍ବତ ଗ୍ଲାସ ବିକ୍ରି ହୋଇଥାଏ ସେହି ଜାଗାରେ ଆଜି ୨ଶହ ଗ୍ଲାସ ବିକ୍ରି ହୋଇଛି। କିନ୍ତୁ ଆଶା ରହିଛି ଆଗକୁ ଭଲ ଦୁଇ ପଇସା ବେପାର ହେବ।
ଜନକ୍‌ ବାରିକ; ହ୍ୟାଲୋ ପଏଣ୍ଟ

ଚାରିମାସ ବେପାରକୁ ନେଇ ଚିନ୍ତା ରହୁଛି
କରୋନାର ପ୍ରକୋପ ସର୍ବତ ବ୍ୟବସାୟ ଉପରେ ଅଧିକ ରହିଛି। ଯେଉଁଠି ପୂର୍ବରୁ ଶିବରାତ୍ରି ଦିନ ୩ଶହ ଗ୍ଲାସ ସର୍ବତ ବିକ୍ରି ହେଉଥିଲା ଏବେ ତାହା ଶହେ ଦେଢ ଶହକୁ କମି ଯାଇଛି। ଆଗାମୀ ଚାରି ମାସ ବେପାରକୁ ନେଇ ଚିନ୍ତା ରହୁଛି। କିନ୍ତୁ ଆଶା କରୁଛି ଯେ ଭଲ ବେପାର ହେବ ଓ ଭଲ ଦୁଇ ପଇସା ଲାଭ ପାଇ ପାରିବୁ।
ଦେବାଶିଷ ମିଶ୍ର; ମା’ ମଙ୍ଗଳା ସର୍ବତ

The post କଟକ ପରଂପରା: ଜାଗରରୁ ଖୋଲିଲା ଦହି ଲସି, ସର୍ବତ ଦୋକାନ first appeared on Sambad.



from ଜିଲ୍ଲା – Sambad https://ift.tt/3ewE6lV