ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ବିନାଭକ୍ତରେ ଅନୁଷ୍ଠିତ ହୋଇଛି। ଚାରିପ୍ରହର ପୂଜା ସହ ଧବଳେଶ୍ୱରଙ୍କ ଚଳନ୍ତି ପ୍ରତିମା ନବନିର୍ମିତ ଚାନ୍ଦି ବିମାନରେ ବେଢ଼ା ପରିକ୍ରମା କରିବା ପରେ ମଧ୍ୟରାତ୍ରୀରେ ବହୁ ପ୍ରତୀକ୍ଷିତ ମହାଦୀପ ଦେଉଳ ଶିଖରକୁ ଉଠିଥିଲା। ପ୍ରତିବର୍ଷ ଜାଗରରେ ପୀଠରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମାତ୍ର ଚଳିତବର୍ଷ ମହାମାରୀ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ ଜାଗର ପାଇଁ ପୀଠରେ କଟକଣା ଲାଗୁ କରି ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରିବା ସହ ପୀଠରେ ଦିନକ ପାଇଁ  ୧୪୪ ଧାରା ଜାରି କରାଯାଇଥିଲା। ଫଳରେ ମହାଶିବରାତ୍ରୀରେ ଯେଉଁ ପୀଠ ଗହଳଚହଳରେ ଫାଟି ପଡିଥାଏ ଆଜି ସେଠା‌କାର ଦୃଶ୍ୟ ଖାଁ ଖାଁ ଥିଲା। ଦେବ ଦେବ ଶ୍ରୀଧବଳେଶ୍ୱରଙ୍କୁ ଦର୍ଶନ କରି ମନ୍ଦିର ବେଢ଼ାରେ ଜାଗର ଜାଳିବାରୁ ବଞ୍ଚିତ ହୋଇଛନ୍ତି ଅଗଣିତ ଶ୍ରଦ୍ଧାଳୁ। କେବଳ ସେବକମାନେ ପୀଠରେ ଉପସ୍ଥିତ ରହି ଠାକୁରଙ୍କ ମହାଶିବରାତ୍ରୀ ନୀତିକାନ୍ତି ଓ ସ୍ୱତନ୍ତ୍ର ସେବାପୂଜା କୋଭିଡ ନିୟମ ମୁତାବକ ନିର୍ବାହ କରିଛନ୍ତି।

ମହାଶିବରାତ୍ରୀ ଉପଲକ୍ଷେ ଆଜି ଭୋର ୪ଟାରେ ନୀତି ପାଳିଆସେବକ ଶରତ ଚନ୍ଦ୍ର ପତ୍ରୀ ମନ୍ଦିର ଦ୍ୱାର ଫିଟାଇ ଠାକୁରଙ୍କ ପହୁଡ଼ ଖୋଲିଥିଲେ। ପରେ ମଙ୍ଗଳଆଳତି, ଶ୍ରୀମୁଖ ପଖାଳ, ଅଗୁର ଚନ୍ଦନ ଶ୍ରୀକର୍ପୁର ଆଦି ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ପବିତ୍ର ଜଳରେ ଠାକୁରଙ୍କ ସ୍ନାନ ବିଭିନ୍ନ ପୁଷ୍ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଲାଗି ହୋଇଥିଲା। ମଧ୍ୟାହ୍ନରେ ଶଙ୍କୁଡ଼ି ଭୋଗନୀତି, ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ଦହି ବାଟୁଳା ଭୋଗ ଲାଗି କରାଯାଇଥିଲା। ଏହା ପରେ ସନ୍ଧ୍ୟା ସାଢ଼େ ୬ଟାରୁ ଜାଗରର ସ୍ୱତନ୍ତ୍ର ଚାରିପ୍ରହର ପୂଜା ଆରମ୍ଭ ହୋଇଥିଲା। ପ୍ରତି ପ୍ରହର ପୂଜାରେ ଧବଳେଶ୍ୱରଙ୍କୁ କ୍ଷୀର, ଘିଅ, ମହୁ, ୧୦୮ପଇଡ଼ ଜଳ, ଲହୁଣୀ, ଆଖୁରସ ଓ ଗଙ୍ଗାଜଳରେ ଅଭିଷେକ କରାଯାଇଥିଲା। କନ୍ଦ, ମିଶ୍ରି, ରମ୍ଭାଫଳ ଆଦି ବିଭିନ୍ନ ଦ୍ରବ୍ୟର ସମିଶ୍ରଣରେ ଘର୍ଷଣ କରାଯାଇ ବାବାଙ୍କ ଅତି ପ୍ରିୟ ପୁଷ୍ପ କେତକୀ, ଗୟଶଃ, ଦୁଧୁରା ଅର୍ପଣ କରାଯାଇ ଆଳତି ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ପ୍ରହର ପୂଜାର ଶେଷ; ଅର୍ଥାତ ୩ୟ ପ୍ରହର ପୂଜାର ଆରମ୍ଭ ସମୟ ମଧ୍ୟରାତ୍ରିରେ ଅରୁଆ ଚାଉଳ ଚୁନା, ଗୁଡ଼, ଘିଅରେ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଧବଳେଶ୍ବରଙ୍କ ଅତି ପ୍ରିୟ  ‘ମାଣ୍ଡୁଅ ଭୋଗ’କୁ ସେବକମାନେ ଲାଗି କରିଥିଲେ।

ଏହାପରେ ସେବକମାନେ ଦାନଦକ୍ଷିଣା ଅର୍ଥରେ ନୂଆ କରି ନିର୍ମିତ ହୋଇଥିବା ୫୧କେଜି ଓଜନର ଚାନ୍ଦିବିମାନରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କୁ ବିଜେ କରାଇ ମହାଦୀପ ସହ ବେଢ଼ା ପରିକ୍ରମା କରିଥିଲେ। ପରେ ମହାଦୀପ ମନ୍ଦିର ଶିଖରକୁ ଉଠିଥିଲା। ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରି, ସମ୍ପାଦକ ନରେନ୍ଦ୍ର ପଣ୍ଡା, ବରିଷ୍ଠ ପୂଜକ ପରମାନନ୍ଦ ପତ୍ରୀଙ୍କ ସହ ସମସ୍ତ ସେବକମାନେ ଉପସ୍ଥିତ ରହି ଜାଗର ନୀତି ସମ୍ପନ୍ନ କରିଥିଲେ। ଏଥିରେ ଦେବୋତ୍ତର ବିଭାଗ ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ପୀଠରେ ୧୪୪ ଧାରା ଜାରି ହୋଇଥିବାରୁ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓ ଉପସ୍ଥିତ ରହି ବ୍ୟବସ୍ଥା ତଦାରଖ କରିଥିଲେ। ଆଇନ ଶୃଙ୍ଖଳା ପାଇଁ ଏସ୍‌ଡିପିଓ ପ୍ରଶାନ୍ତ ମଲ୍ଲଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ସହିତ ଗୁରୁଡ଼ିଝାଟିଆ ଓ ଧବଳେଶ୍ବର ଫାଣ୍ଡି ପୁଲିସ ପୀଠରେ ଉପସ୍ଥିତ ରହିଥିଲେ।

The post ମଧ୍ୟରାତ୍ରୀରେ ଉଠିଲା ଧବଳେଶ୍ୱରଙ୍କ ମହାଦୀପ first appeared on Sambad.



from ଜିଲ୍ଲା – Sambad https://ift.tt/3tp1t5h