ଜଗତସିଂହପୁର ସଦର : ଜଗତସିଂହପୁର ସହରର ସାରଦା ମଣ୍ତପ ପରିସରରେ ନମ୍ବର ୱାନ୍‌ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍ ୧୦୪ ଧୁମ୍‌ମିଠାର ଶ୍ରୋତା ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ରେଡିଓ ଚକ୍‌ଲେଟ୍‌ର ନିର୍ଦ୍ଦେଶିକା ତଥା ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ‌ଯୋଗଦେଇ ରେଡିଓ ଚକ୍‌ଲେଟ୍‌ର କାର୍ଯ୍ୟକ୍ରମକୁ ଅଧିକ ସରସ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ, ‘ ଏବେ କରୋନା କମି କମି ଆସିଲାଣି। ତେଣୁ ସିଧା ପ୍ରଚାର/ପ୍ରସାରଣ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ। କେବଳ ଚିଠିରେ ନହୋଇ ମେସେଜ, ଇମେଲ୍‌ରେ ସମସ୍ତଙ୍କୁ ଯୋଡ଼ିବାର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ଆମେ କରୁନାହୁଁ, ଏହା ଶ୍ରୋତାମାନଙ୍କର କାର୍ଯ୍ୟକ୍ରମ। ଏହି ଷ୍ଟେସନ କେବଳ ମୋର ନୁହେଁ କିମ୍ବା ସୌମ୍ୟରଂଜନଙ୍କର ନୁହେଁ, ଏହା ଆପଣମାନଙ୍କର। କେବଳ ଆପଣମାନଙ୍କ ପାଇଁ ରେଡିଓ ଚକଲେଟ୍‌ ଏକ ନମ୍ବର ସ୍ଥାନରେ ରହିଛି। ତେଣୁ ସମସ୍ତଙ୍କ ସହଯୋଗ ରହିଲେ ଏହି କାର୍ଯ୍ୟକ୍ରମ ଅଧିକ ସରସ ସୁନ୍ଦର ହୋଇପାରିବ।’ ଏହି ଅବସରରେ ‘ ଓଡ଼ିଆରେ କଥା ହେଲେ ପୂରା ଓଡିଆରେ କଥା ହେବା’ , ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ କାର୍ଯ୍ୟକ୍ରମ, ଶୂଦ୍ରମୁନିଙ୍କ ଉପରେ କାର୍ଯ୍ୟକ୍ରମ, ଶ୍ରୋତାମାନଙ୍କ ପସନ୍ଦର ଗୀତ ବେଶୀ ବାଜିବ, କଳାକାରଙ୍କ ପାଇଁ କାର୍ଯ୍ୟକ୍ରମ, ଡାଏରି ଅଫ୍ ଏ ହାଉସ ୱାଇଫ୍‌ ଭଳି ଏକ ନୂଆ କାର୍ଯ୍ୟକ୍ରମ, ମେସେଜ୍‌ ପାଇଁ ଅଧିକ ସମୟ, ମିଠା ସାଥୀରେ ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଉଛି; ସେମାନଙ୍କ ପାଇଁ ଗସ୍ତଖର୍ଚ୍ଚର ବ୍ୟବସ୍ଥା ସହ ଚିଠିପତ୍ର କାର୍ଯ୍ୟକ୍ରମର ପୁନଃପ୍ରସାରଣ ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରାଯିବା ନେଇ ସେ ଆଲୋଚନା କରିଥିଲେ।

ଉକ୍ତ ଶ୍ରୋତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରାମ ମ୍ୟାନେଜର ଆର୍‌.ଜେ ସଂଗ୍ରାମ, ଆର୍‌.ଜେ ଆର୍ଯ୍ୟ, ଆର୍‌.ଜେ ନୀଲ୍, ଆର୍‌.ଜେ ଅନୀଲ, ଆର୍‌.ଜେ ଅଭି, ଆର୍‌.ଜେ କୋମଲ, ଆର୍‌.ଜେ ନିଭି, ଆର୍‌.ଜେ ପୂଜା, ଆର୍‌.ଜେ କୋଏଲଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଯୋଗଦେଇ ଉପସ୍ଥିତ ଶ୍ରୋତାମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ପରାମର୍ଶ ଲୋଡ଼ିଥିଲେ।

ଏହି ଅବସରରେ ଶ୍ରୋତା ପରିଷଦ ପକ୍ଷରୁ ରେଡିଓ ଚକ୍‌ଲେଟ୍‌ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ସଂଗ୍ରାମ ମିଶ୍ରଙ୍କୁ ବଡଭାଇ ଅଂଜନ ପରିଡା, ସଂପାଦକ ଅଜୟ ମହାନ୍ତି, ସଭାପତି ସୁନୀଲକାନ୍ତ ମହାନ୍ତି, ସଂଧ୍ୟାରାଣୀ ବିଶ୍ବାଳ ଓ ଆର୍‌.ଜେ ନଳିନୀକାନ୍ତ ବିଶ୍ବାଳ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ରେଡିଓ ସଂସ୍କାରର ନିର୍ଦ୍ଦେଶକ ସୌମ୍ୟରଂଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ବିଜୟଲକ୍ଷ୍ମୀ ମହାପାତ୍ର ଓ ସଂପାଦକ ଅରୁଣ କୁମାର ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସ ରଞ୍ଜନ ବେହେରା, ପ୍ରଦୀପ ଦାସ, ପ୍ରଶାନ୍ତ କୁମାର ସାହୁ, ପ୍ରମୋଦ ସାହୁ ଓ ସୁଧାକର ଦାସ ପ୍ରମୁଖ ସହଯୋଗ କରିଥିଲେ।

The post ଜଗତସିଂହପୁରରେ ରେଡିଓ ଚକ୍‌ଲେଟ୍ ଶ୍ରୋତା ସମ୍ମିଳନୀ : ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ, ସୁନ୍ଦର ହୋଇପାରିବ: ତନୟା first appeared on Sambad.



from ଜିଲ୍ଲା – Sambad https://ift.tt/38AT1rF