ଭୁବନେଶ୍ବର: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ। ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା। ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି। ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି। ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ୪୦ ଗାଡ଼ିକୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ବିକ୍ରମ ଆରୁଖ।

ରାଜ୍ୟରେ ଯେଉଁ ନିଆଁ ଲାଗିଛି ତାକୁ ଅନୁଧ୍ୟାନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି। ଅତ୍ୟାଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବେ । ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ସେହିଭଳି ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି,  ନିଆଁ ଲାଗିବା ଏକ ନିୟମିତ ପ୍ରକ୍ରିୟା। ତେବେ ଏବର୍ଷ ତାପମାତ୍ରା ଅଧିକ ରହିଥିବାରୁ ନିଆଁ ବ୍ୟାପକ ହୋଇଛି। କିନ୍ତୁ ଏହାକୁ ଆୟତ୍ତ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। କୌଣସି ବଡ଼ ଗଛ ନଷ୍ଟ ହୋଇନାହିଁ, ଏପରିକି ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ। ନିଆଁ ପ୍ରତିବର୍ଷ ଲାଗିଥାଏ, ବିଭାଗ ପକ୍ଷରୁ ଏହାକୁ ଲିଭାଯାଏ ମଧ୍ୟ। ଏବେ ଶିମିଳିପାଳର ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ପିସିସିଏଫ୍ ।

The post ଶିମିଳିପାଳ ଜଙ୍ଗଲରେ ନିଆଁ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବୟାନ : କୌଣସି ଜୀବଜନ୍ତୁଙ୍କର ହୋଇନାହିଁ କ୍ଷତି first appeared on Sambad.



from ଜିଲ୍ଲା – Sambad https://ift.tt/3bquQ0Q