
କଟକ : ହିନ୍ଦୀ ପାଠ୍ୟକ୍ରମ ଭଳି ଶିକ୍ଷା ଅନୁଷ୍ଠାନ ଗୁଡିକରେ ସଂସ୍କୃତ ପ୍ରଶ୍ନପତ୍ରର ଉତ୍ତର ଓଡ଼ିଆ ବଦଳରେ ଦେବନାଗରୀ ଲିପି ଓ ସଂସ୍କୃତ ଭାଷାରେ ଦେବାକୁ ପ୍ରାର୍ଥନା କରି ଦାୟର ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କୁ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହିନ୍ଦୀ ଶିକ୍ଷକ ସଂଘ ସାଧାରଣ ସଂପାଦକ ଅକ୍ଷୟ କୁମାର ପଣ୍ଡାଙ୍କ ଆବେଦନର ଶୁଣାଣି କରି ଏହି ପ୍ରସଂଗରେ ଆବେଦନକାରୀଙ୍କ ଅଭିଯୋଗ (ରିପ୍ରେଜେଣ୍ଟେସନ୍) ଉପରେ ତିନି ମାସ ଭିତରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ହିନ୍ଦୀ ପ୍ରଶ୍ନପତ୍ରର ଉତ୍ତର ଛାତ୍ରଛାତ୍ରୀମାନେ ଦେବନାଗରୀ ଲିପି ଓ ହିନ୍ଦୀ ଭାଷାରେ ଲେଖୁଥିବା ସ୍ଥଳେ ସଂସ୍କୃତ ପ୍ରଶ୍ନପତ୍ରର ଉତ୍ତରକୁ ଓଡିଆ ଅକ୍ଷର ଓ ସଂସ୍କୃତ ଭାଷାରେ ଲେଖାଯାଉଛି। ଫଳରେ ଛାତ୍ରଛାତ୍ରୀ ମାନେ ହିନ୍ଦୀ ବିଷୟକୁ ଅଗ୍ରାଧିକାର ନଦେଇ ସଂସ୍କୃତ ବିଷୟ ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା। ଏଭଳି ସ୍ଥିତିରେ ହିନ୍ଦୀ ପାଠ୍ୟକ୍ରମ ଧୀରେଧୀରେ ବନ୍ଦ ହେବା ଅବସ୍ଥାକୁ ଯାଉଛି। କେନ୍ଦ୍ର ସରକାର ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବା ସହିତ ହିନ୍ଦୀ ଭାଷା ଉପରେ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଓଡିଶାରେ ମାଧ୍ୟମିକ ଶିକ୍ଷା ପରିଷଦ ଏଥିପ୍ରତି ଉପଯୁକ୍ତ ଧ୍ୟାନ ଦେଉନାହିଁ। ଏଭଳି ସ୍ଥିତିରେ ସଂସ୍କୃତ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉତ୍ତର ଲେଖିବା ବେଳେ ଦେବନାଗରୀ ଲିପି ଓ ସଂସ୍କୃତ ଭାଷା ବ୍ୟବହାର କରିବା ଉଚିତ। ଏ ନେଇ ବୋର୍ଡ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋର୍ତିମୟ ଗୁପ୍ତ, ତ୍ରିବିକ୍ରମ ମହାପାତ୍ର ଓ ପି. ପଦ୍ମାବତୀ ରାଓ ମାମଲା ପରିଚାଳନା କରୁଥିଲେ।
The post ସଂସ୍କୃତ ପ୍ରଶ୍ନପତ୍ରର ଉତ୍ତର ଦେବନାଗରୀ ଲିପିରେ ଲେଖିବା ପ୍ରସଂଗ: ୩ ମାସ ଭିତରେ ନିଷ୍ପତ୍ତି ନେବାକୁ ବୋର୍ଡକୁ ନିର୍ଦ୍ଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3vhdIll
0 Comments