
କଟକ : ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ କେବଳ ଭର୍ଚୁଆଲ ମୋଡ୍/ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ) ଓ ଟ୍ରିବୁନାଲ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି।
ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୫ ତାରିଖରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ନିୟମାବଳୀ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକ ପାଳନ କରିବେ। ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକ ୨୦୨୧, ଫେବ୍ରୁଆରି ୧୧ର ଏସଓପି ଅନୁସାରେ କାର୍ଯ୍ୟ ଜାରିରଖିବେ। ଯଦି କୋଭିଡ-୧୯ ସ୍ଥିତି ଯୋଗୁଁ ଆବଶ୍ୟକ ପଡେ ତେବେ ଜିଲ୍ଲା ଜଜ୍ଙ୍କୁ ଅବଗତ କରି ସଂପୃକ୍ତ ବିଚାରପତି ଭର୍ଚୁଆଲ ଶୁଣାଣି ପାଇଁ ନିଷ୍ପତ୍ତି ନେଇପାରିବେ। ସେହିଭଳି ଭାବେ ଯଦି କୋଭିଡ-୧୯ ସ୍ଥିତି ଯୋଗୁଁ ଆବଶ୍ୟକ ସ୍ଥଳେ ଭର୍ଚୁଆଲ ଶୁଣାଣି ପାଇଁ ମଧ୍ୟ ଟ୍ରିବୁନାଲ ନିଷ୍ପତ୍ତି ନେଇ ପାରିବେ। କିନ୍ତୁ ଏଥିପାଇଁ ହାଇକୋର୍ଟଙ୍କୁ ଅବଗତ କରି ନିଷ୍ପତ୍ତି ନିଆଯିବ। ଯେଉଁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ସେଠାରେ ହାଇକୋର୍ଟଙ୍କୁ ଅବଗତ କରି ନିମ୍ନ ଅଦାଲତ ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ସାମୟିକ ଭାବେ ବନ୍ଦ (ସସପେଣ୍ଡ) କରାଯାଇ ପାରିବ। ଏଥି ପାଇଁ ସଂପୃକ୍ତ ଜିଲ୍ଲା ଜଜ୍ ବା ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ହାଇକୋର୍ଟଙ୍କୁ ଜଣାଇବେ। ଅଦାଲତରେ ଅଭିଯୁକ୍ତଙ୍କୁ ହାଜର କରାଯିବା ପ୍ରସଂଗରେ ପଥମ ଥରକୁ ବାଦ୍ ଦେଇ ଅନ୍ୟ ସମୟରେ ଭିଡିଓ କନଫେରନ୍ସିଂ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିୟମାବଳୀରେ ସ୍ପଷ୍ଟ କରାଯାଇଛି। ମାମଲା ସଂପର୍କିତ କଜ୍ ଲିଷ୍ଟ, ଅଦାଲତ ପ୍ରଦାନ କରୁଥିବା ନିର୍ଦ୍ଦେଶନାମା ଓ ଶୁଣାଣିର ପରବର୍ତ୍ତୀ ତାରିଖ ନିର୍ଦ୍ଧାରିତ ସମୟରେ ଜିଲ୍ଲା ଅଦାଲତ ୱେବସାଇଟରେ ଅପ୍ ଲୋଡ୍ କରାଯିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
The post ନିମ୍ନ ଅଦାଲତ ପାଇଁ ସାନି ନିର୍ଦ୍ଦେଶନାମା ଜାରି କଲେ ହାଇକୋର୍ଟ : ୫ରୁ ଭିଡିଓ କନ୍ଫେରେନ୍ସିଂରେ ଶୁଣାଣି first appeared on Sambad.from ଜିଲ୍ଲା | Sambad https://ift.tt/3mbevke
0 Comments