
ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ପୁଣି ଚେଙ୍କ ଚିକିତ୍ସା। ଯାହାର ଭୟଙ୍କର ପରିଣତି ଭୋଗିଛି ଜଣେ ୪ମାସର ଶିଶୁପୁତ୍ର। ଅକାଳରେ ଜୀବନ ହାରିଥିବା ବେଳେ ପରିବାର ଲୋକ ସ୍ତବ୍ଧ ହୋଇ ଯାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ବାରମ୍ବାର ସଚେତନତା ସତ୍ତ୍ବେ କେଉଁ ପରିସ୍ଥିତିରେ ଶିଶୁପୁତ୍ରକୁ ଚେଙ୍କ ଦିଆଗଲା ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ ଲକିଗୁଡ଼ା ଗ୍ରାମର ତ୍ରିନାଥ ନାୟକ ଓ ଡମୁଣୀ ନାୟକଙ୍କ ୪ମାସର ଶିଶୁପୁତ୍ର ବାରମ୍ବାର ଅସୁସ୍ଥ ହେଉଥିଲା। ପ୍ରାୟ ଦୁଇ ମାସ ତଳେ ଶିଶୁପୁତ୍ରର କାନ୍ଦ ବନ୍ଦ ନ ହେବାରୁ ପରିବାର ଲୋକ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତଥାପି ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଆସିନଥିଲା। ତେଣୁ ଆଶାକର୍ମୀଙ୍କ ସହାୟତାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଔଷଧ ଦେବାରୁ କିଛି ଦିନ ପାଇଁ ଶିଶୁ ସୁସ୍ଥ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଣି ଅସୁସ୍ଥ ହୋଇଥିଲା। ଦୁଇ ମାସ ମଧ୍ୟରେ ପ୍ରାୟ ୩ଥର ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ପରିବାର ଲୋକ। ଭଲ ହେଉ ନଥିବା ଦେଖି ୧୦ଦିନ ତଳେ ପାରମ୍ପରିକ ଚିକିତ୍ସାର ସାହାରା ନେଇଥିଲେ ପରିବାର। ଛାତି ଏବଂ ପେଟରେ ପ୍ରାୟ ୫୦ଥର ଚେଙ୍କ ଦେଇଥିଲେ। ଚେଙ୍କ ଦେବାପରେ ବି ଦିନେ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ପରିବାର ଲୋକ କହିଛନ୍ତି। କିନ୍ତୁ ଆଜି ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସଚ୍ଚିକାନ୍ତ ଲେଙ୍କା ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
The post ଚେଙ୍କ ନେଲା ଶିଶୁର ଜୀବନ first appeared on Sambad.from ଜିଲ୍ଲା | Sambad https://ift.tt/3mbDhRc
0 Comments