
ନବରଙ୍ଗପୁର : ଏବେ ଲୋକଙ୍କୁ ଏମିତି କରୋନା ଡର ଗ୍ରାସ କରିଛି, ଯେକୌଣସି ମୃତ୍ୟୁକୁ ବି ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି। ଆଜି ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଏକ ଶବକୁ ୬ ଘଣ୍ଟା ବୁଲାଇବାକୁ ପଡ଼ିଛି। ଏମିତିକି, ପ୍ରଶାସନର ହସ୍ତକ୍ଷେପ ପରେ ସତ୍କାର ପାଇଁ ମଶାଣିରେ ଜାଗା ମିଳିଛି।
ସୂଚନା ଅନୁଯାୟୀ ନବରଙ୍ଗପୁର ସହରର ଜଣେ ବ୍ୟକ୍ତିଙ୍କ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକ ଶେଷକୃତ୍ୟ ପାଇଁ ନବରଙ୍ଗପୁର ନେଇ ଆସିଥିଲେ ଶବ। ଶବ କିନ୍ତୁ ଏକ ପଲିଥିନ୍ରେ ଗୁଡ଼ା ହୋଇଥିଲା। ସକାଳ ପ୍ରାୟ ୭ଟାରେ ନବରଙ୍ଗପୁର ସହର ମଝିରେ ଥିବା ଇଛାବତିଗୁଡ଼ା ଶ୍ମଶାନରେ ସଂପର୍କୀୟମାନେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ବିରୋଧ କରିଥିଲେ ଏବଂ ମଶାଣିରେ ସତ୍କାର କରିବାକୁ ଦେଇନଥିଲେ। ଫଳରେ, ପ୍ରାୟ ୬ଘଣ୍ଟା ଶେଷକୃତ୍ୟ ହୋଇପାରି ନଥିଲା। ଶବ ସହ ଶ୍ମଶାନରେ ଅପେକ୍ଷା କରି ରହିଥିଲେ ସଂପର୍କୀୟ। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ଲୋକେ କାହା କଥା ଶୁଣି ନଥିଲେ। ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତହସିଲଦାର ରବିନ୍ଦ୍ର କୁମାର ରାଉତ, ତହସିଲ କର୍ମଚାରୀ ଓ ରାଜସ୍ବ ବିଭାଗ କର୍ମଚାରୀ ସହରର ଅନ୍ୟତ୍ର ଏକ ସ୍ଥାନ ଶେଷକୃତ୍ୟ ପାଇଁ ଚିହ୍ନଟ କରିଥିଲେ। ସହର ଉପକଣ୍ଠ ଆରଟିଓ କାର୍ଯ୍ୟାଳୟ ଠାରୁ ଦୂରରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଶେଷକୃତ୍ୟ ହୋଇଥିଲା।
କରୋନା ସମୟରେ ମୃତ୍ୟୁସଂଖ୍ୟା ଏତେ ବଢ଼ିବାରେ ଲାଗିଛି ଯେ, ଯେକୌଣସି ମୃତ୍ୟୁ ପାଇଁ ବି କରୋନା ଦାୟୀ ବୋଲି ଲୋକେ ଭାବୁଛନ୍ତି। ଏହା ତାହାର ଏକ ଜ୍ବଳନ୍ତ ଉଦାହରଣ।
The post ଯେକୌଣସି ମୃତ୍ୟୁରେ ବି କରୋନା ଡର! ମଶାଣିରେ ଜାଗା ମିଳିଲନି, ୬ ଘଣ୍ଟା ବୁଲିଲେ first appeared on Sambad.from ଜିଲ୍ଲା | Sambad https://ift.tt/3v1hj6I
0 Comments