
ବଲାଙ୍ଗୀର : କରୋନାର ଭୟଙ୍କର ରୂପ। ଧୀରେ ଧୀରେ ଏହାକୁ ନେଇ ଚାରିଆଡ଼େ ଆତଙ୍କ। ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି। ସଂକ୍ରମଣ ହୁ ହୁ ହୋଇ ବଢୁଛି। ରୋଗୀ ଗୁରୁତର ହେଉଛନ୍ତି। କିନ୍ତୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗର ଅଭାବ ଯୋଗୁଁ, ମୃତକଙ୍କ ସଂଖ୍ୟା ବି ବଢୁଛି। ବଲାଙ୍ଗୀର ଜିଲ୍ଲାର ମେଡିକାଲ ହବ୍ ଭୀମଭୋଇ ମେଡିକାଲ କଲେଜ ହସପିଟାଲରୁ ଆସୁଛି ହୃଦୟ ବିଦାରକ ଚିତ୍ର। କିଏ ଭାଇର ମୃତ୍ୟୁରେ ଚିତ୍କାର କରୁଛି, ତ ଆଉ କିଏ ନିଜ ରୋଗୀ ପାଇଁ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବାରେ ସଂର୍ଘଷ କରୁଛି। ଏପରି ସରକାରୀ ଡାକ୍ତରଖାନାରେ ଅକ୍ସିଜେନ ସିଲିଣ୍ଡର ନଥିବା ଯୋଗୁଁ ସାଧାରଣ ରୋଗୀଙ୍କୁ ବି ବୁର୍ଲା ରେଫର କରାଯାଉଛି। ପ୍ରତିଦିନ ଏବେ ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଆଇସୋଲେସନ ୱାର୍ଡରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ଅବଶ୍ୟ କର୍ତ୍ତୃପକ୍ଷଙ୍କ ପାଖରେ ବି କୌଣସି ଉପାୟ ନାହିଁ। କାରଣ ଶଯ୍ୟା ସଂଖ୍ୟା ଯେତିକି ତାହାଠୁ ଢେର ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି। ଅନେକ ଗୁରୁତର ରୋଗୀଙ୍କୁ ଘରକୁ ଯିବାକୁ ବି କୁହାଯାଉଛି।

କରୋନା ଆଇସୋଲେସନ ୱାର୍ଡରେ ଜଣେ ବ୍ୟକ୍ତି ନିଜ ଭାଇଙ୍କୁ ଭର୍ତ୍ତି କରିଥିଲେ। କେଇଟା ସମୟ ପରେ ଭାଇଙ୍କ ମୃତଦେହ ବାହାରକୁ ଆସିଥିଲା। ନିଜ ଭାଇଙ୍କୁ ହରାଇ ସେ ଇଆଡୁ ସେଆଡୁ କହୁଥିଲେ। ଚିତ୍କାର କରି ପ୍ରଶାସନକୁ ଗାଳିଗୁଲଜ ବି କରିଥିଲେ। ଆଇସୋଲେସନ ୱାର୍ଡ ଆଗରେ ଘଣ୍ଟା ଘଣ୍ଟା ଧରି ଭାଇଙ୍କ ଶବ ପଡ଼ିରହିଥିଲା। ଗୋଟିଏ ଶବ ଉଠି ନଥିବା ବେଳେ, ଭିତରୁ ଆଉ ଗୋଟିଏ ଶବ ଆଣି ଗେଟ୍ ସାମନାରେ ରଖାଯାଇଥିଲା। ଡାକ୍ତରଖାନାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଚିକିତ୍ସା ବ୍ୟବସ୍ଥା ପ୍ରତି ଅନେକ ପ୍ରଶ୍ନ ଉଠିଲାଣି। ଖାଲି ସେତିକି ନୁହେଁ, ପ୍ରତିଦିନ ଆଇସୋଲେସନ ୱାର୍ଡ ଆଗରେ ସଂର୍ପକୀୟଙ୍କୁ ହରାଇଥିବା ବନ୍ଧୁ ପରିଜନଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ। ଗତ କିଛିଦିନ ହେବ ଏଭଳି ଦୃଶ୍ୟ ବଲାଙ୍ଗୀର ସରକାରୀ ଡାକ୍ତରଖାନାରେ ସାଧାରଣ ହୋଇଗଲାଣି।
ମୋବାଇଲରେ ରେକର୍ଡ ହୋଇଥିବା ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ଅକ୍ସିଜେନ ଦରକାର ହେଉଥିବା ବେଳେ, ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର କହୁଛନ୍ତି ଅକ୍ସିଜେନ ନାହିଁ। ଉଚ୍ଚ ଅଧିକାରୀ କହିଲେ ଦେବୁ। ନ ହେଲେ କିଣିକି ଆଣ ଲଗେଇଦେବୁ ବୋଲି କହୁଛନ୍ତି। କିନ୍ତୁ ଜଣେ ଗ୍ରାମାଞ୍ଚଳର ଗରିବ ରୋଗୀ ଏତେ ଯୋଗାଡ଼ କରିବ କେଉଁଠୁ? ତେଣୁ ଶେଷରେ ଅକ୍ସିଜେନ ନଦେଇ ତାଙ୍କୁ ବୁର୍ଲା ରେଫର କରିଦେଲେ। ସାଂଗରେ ଥିବା ବନ୍ଧୁ ପରିଜନ ଘଟଣାକୁ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ହେଲେ ଏଭଳି ହୃଦୟ ବିଦାରକ ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିଲେ ବି ହସପିଟାଲ ଅଧୀକ୍ଷକଙ୍କ କହିବା ହେଲା ବ୍ୟବସ୍ଥିତ କରିବାକୁ ଉଦ୍ୟମ ଚାଲିଛି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେମିତି କିଛି ବିଶେଷ ଅସୁବିଧା ନାହିଁ ବୋଲି କହିଛନ୍ତି।
The post ବଲାଙ୍ଗୀରରେ ଡରାଉଛି କରୋନା ସଂକ୍ରମଣ, ଡାକ୍ତରଖାନାରୁ ଆସୁଛି ହୃଦୟବିଦାକର ଚିତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3dvmlm8
0 Comments