ପୁରୀ : ମେ ୧୬ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସି କିପରି ଘରେ ମତଦାନ କରିପାରିବେ ସେ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପୋଷ୍ଟାଲ ବାଲାଟ ତିଆରି ହୋଇଛି। ଏଭଳି ୧୦୬୭ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରାଯାଇଛି। ଆସନ୍ତା ୩ ତାରିଖ ଅର୍ଥାତ୍‌ ସୋମବାରଠାରୁ ୭ ତାରିଖ ପର୍ଯ୍ୟନ୍ତ ପୁଲିଂ ଅଫିସର ଏମାନଙ୍କ ଘରକୁ ଯାଇ ପୋଷ୍ଟାଲ୍‌ ବାଲାଟ୍‌ ପେପରରେ ଭୋଟ ସଂଗ୍ରହ କରିବେ। କୋଭିଡ୍‌ କଟକଣା ବଜାୟ ରଖି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ସହଯୋଗ କରିବାକୁ ପିପିଲି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର୍‌ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି।

ରିଟର୍ଣ୍ଣିଂ ଅଫିସର୍‌ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସୂଚନା ମୁତାବକ, ବାଲାଟ୍‌ ପେପର ପାଇଁ ଜଣେ ଅଫିସର କଟକ ଓ ଆଉ ଜଣେ ଅଫିସର ବ୍ରହ୍ମପୁର ଯାଇଛନ୍ତି। ଆଉ ଜଣେ ଅଫିସର ପୁରୀରେ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ୍‌ ବାଲାଟ୍‌ ପେପର୍‌ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୋଟରମାନେ ଭୋଟଦାନ ସମୟରେ ସାମାଜିକ ଦୂରତା ରକ୍ଷା କରିବେ, ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଛି। ଏହାଛଡ଼ା ଏହି ସବୁ କଟକଣା ନିଶ୍ଚିତ କରିବାକୁ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ବତନ୍ତ୍ର ଅଧିକାରୀ ରହିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ନୂତନ ଭାବେ ଦାଖଲ ହୋଇଥିବା ପ୍ରାର୍ଥିପତ୍ର କାଏମ୍‌ ରହିଛି। ବୋଲି ସେ ସୂଚନା ଦେଇଛନ୍ତି।

The post ପିପିଲି ଉପନିର୍ବାଚନ: ଘରେ ଭୋଟ୍‌ ଦେବେ ବରିଷ୍ଠ ନାଗରିକ first appeared on Sambad.

from ଜିଲ୍ଲା | Sambad https://ift.tt/3gSVO4k