ବନ୍ତଳା : ସମ୍ପର୍କରେ ଦୁହେଁ ସମ୍ପର୍କୀୟ ଭାଇ-ଭଉଣୀ। ଲୁଚିଛପି ପରସ୍ପର କରୁଥିଲେ ପ୍ରେମ। ଘରୁ ପଳାଇ ବାହାରେ କରିଥିଲେ ବିବାହ। ସୁରତରେ ରହୁଥିଲେ। କିନ୍ତୁ, କିଛି ଦିନ ତଳେ ସ୍ବାମୀ-ସ୍ତ୍ରୀ ଦୁହେଁ ଗାଁକୁ ଆସିଥିଲେ। ସୋମବାର ହଠାତ୍‌ ସ୍ବାମୀଙ୍କର ମୃତ୍ୟୁ ଘଟିବା ପରେ ଉଭୟ ବାପଘର ଏବଂ ଶାଶୂଘର ପାଇଁ ଶବ ହୋଇଛି ଅଛୁଆଁ। ପ୍ରେମ ବିବାହ ପାଇଁ ଶବ ଆଜି ହୋଇଛି ପର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଆଜି ଘଟିଥିବା ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘର ଆଗରେ ଦୀର୍ଘ ୬ଘଣ୍ଟା କାଳ ଆମ୍ବୁଲାନ୍‌ସରେ ଶବ ପଡ଼ି ରହିବା ପରେ ବାପା, ମା ଭାଇ ବନ୍ଧୁ କେହି ନ ପଚାରିବାରୁ ଶେଷରେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଶ୍ମଶାନରେ ଶବକୁ ସତ୍କାର କରିବା ପାଇଁ ନିଆଯାଇଛି। ପରିବାର ବିରୋଧରେ ନିଜ ସମ୍ପର୍କୀୟ ଭଉଣୀ ସହ ବିବାହର ଏହା କୁ-ପରିଣତି ବୋଲି କୁହାଯାଉଛି।

ପ୍ରାପ୍ତ ତଥ୍ୟ ମୁତାବକ, ଏ ପ୍ରେମ ବିବାହ ହୋଇଥିଲା ଆଜକୁ ଛଅ ବର୍ଷ ତଳେ। ଯୁବକ ଜଣ ସୁରତ୍‌ ସୂତାକଳରେ କାମ କରୁଥିଲେ। ସମ୍ପର୍କୀୟ ଦାଦା ଝିଅ ଭଉଣୀକୁ ପ୍ରେମ କରି ବସିଥିଲେ। ଭାଉ-ଭଉଣୀର ସମ୍ପର୍କକୁ ଉଭୟେ ସ୍ବାମୀ-ସ୍ତ୍ରୀର ମାନ୍ୟତା ଦେବାକୁ ଚାହିଁଥିଲେ। ଯାହା କେବଳ ପରିବାର ନୁହେଁ, ପୂରା ଗାଁକୁ ନିନ୍ଦିତ କରିଥିଲା। ଉଭୟେ ଲୁଚିଛପି ଗାଁରୁ ପଳାଇଥିଲେ। ବାହାରେ ବିବାହ କରି ସୁରତ୍‌ରେ ରହିଥିଲେ। ଇତିମଧ୍ୟରେ ତାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ପୁଅର ବୟସ ପ୍ରାୟ ସାଢ଼େ ତିନି ବର୍ଷ ହେବ। ଉଭୟଙ୍କ ବିବାହ ପରଠାରୁ ପାରିବାରିକ ସମ୍ପର୍କ ଚ୍ଛିନ୍ନ ହୋଇଥିଲା। ନିଜ ବାପଘର କିମ୍ବା ଶାଶୂ ଘର ଲୋକଙ୍କ ସହିତ ମିଳାମିଶା ନ ଥିଲା। କିଛି ଦିନ ତଳେ ଉଭୟ ଦମ୍ପତ୍ତି ବନ୍ତଳା ଅଞ୍ଚଳର ଅନ୍ୟ ଜଣେ ସମ୍ପର୍କୀୟ ଘରକୁ ଆସିଥିଲେ। ସେଠାରୁ ଯୁବକ ଜଣକ ସୋମବାର ଦିନ ବ୍ୟାଙ୍କ୍‌କୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଯୁବକଙ୍କୁ ହୃଦ୍‌ଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେଣୁ, ଶବକୁ ସତ୍କାର କରିବା ପାଇଁ ଯୁବକଙ୍କ ପତ୍ନୀ ଆମ୍ବୁଲାନ୍‌ସ ଯୋଗେ ଯୁବକଙ୍କ ଶବକୁ ଗାଁକୁ ନେଇଥିଲେ। ଉଭୟ ବାପଘରେ ଏବଂ ଶାଶୂ ଘର ସାମ୍ନାରେ ରଖିଥିଲେ। ଦିନ ପ୍ରାୟ ସାଢ଼େ ୧ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ଶବ ଘର ସାମ୍ନାରେ ପଡ଼ି ରହିଲା। କିନ୍ତୁ, କାହା ହୃଦୟରୁ ଶବ ପାଇଁ ଆହା ପଦେ ବାହାରିଲା ନାହିଁ। ଆତ୍ମୀୟ ସ୍ବଜନଙ୍କ ପାଇଁ ଶବ ପର ପାଲଟିଗଲା। ଦୀର୍ଘ ୬ଘଣ୍ଟା କାଳ ଶବ ଘର ସାମ୍ନାରେ ପଡ଼ି ରହିବା ପରେ କିଛି ସ୍ବେଚ୍ଛାସେବୀ ହସ୍ତକ୍ଷେପ କରି ଶବକୁ ବନ୍ତଳା ଥାନାକୁ ନେଇଥିଲେ। ସେଠାରୁ ଝିଅର ଜଣେ ଭିଣୋଇ ଶବକୁ ନେଇ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଶାଣି ଭୂଇଁଙ୍କୁ ଶବ ସତ୍କାର କରିବା ପାଇଁ ନେଇଥିବା ଜଣାପଡ଼ିଛି। ବନ୍ତଳା ଅଞ୍ଚଳରେ ଘଟିଥିବା ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

The post ପ୍ରେମ ପାଇଁ ଶବ ଅଛୁଆଁ: ପ୍ରେମ ନାଁରେ କଳଙ୍କ; ଭାଇ-ଭଉଣୀରୁ ସ୍ୱାମୀ-ସ୍ତ୍ରୀ ହୋଇଥିଲେ first appeared on Sambad.

from ଜିଲ୍ଲା | Sambad https://ift.tt/3efn3mL