
ବାହାନଗା : ଅସହାୟ ବୃଦ୍ଧାଙ୍କର ବଞ୍ଚିବାର ରାହା ପାଲଟିଥିବା ରାସନ୍ ସାମଗ୍ରୀ ଓ ଭତ୍ତା ହଡ଼ପ କରୁଥିଲେ ଜଣେ ସରକାରୀ ବାବୁ। ପ୍ରଶାସନର ନାକ ତଳେ ଏହି ବ୍ୟକ୍ତି ଜଣକ ଉଭୟ ଭତ୍ତା ଓ ରାସନ୍ ସାମଗ୍ରୀ ଖାତାରୁ ଉଠାଇ ଖାଇଲେ। ଆଉ ସେପଟେ ଖାଇବାକୁ ନପାଇ ଉଡ଼ିଗଲା ଅସହାୟ ବୃଦ୍ଧାଙ୍କର ପ୍ରାଣବାୟୁ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ଆଦିବାସୀ ସାହିର ଏହି ଘଟଣା ଖାଲି ପ୍ରାଶାସନିକ ଅପାରଗତାକୁ ପଦାରେ ପକାଇନି, ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ଉପରେ ମଧ୍ୟ ସୃଷ୍ଟି କରିଛି ପ୍ରଶ୍ନବାଚୀ।
ବାହାନଗା ବ୍ଲକ ପଣପଣା ଆଦିବାସୀ ସାହିର ଫତେ ସିଂଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପାତି (୭୦) ଆଜିକୁ ୧୨ ବର୍ଷ ହେଲା ଏକୁଟିଆ ଅସହାୟ ଅବସ୍ଥାରେ ଏକ ଭଙ୍ଗା ଚାଳିଆରେ ରହୁଥିଲେ। ସମ୍ବଳ କହିଲେ ମାସକୁ ମିଳୁଥିବା ରାସନ୍ ଚାଉଳ ଓ ଭତ୍ତା ବାବଦରେ ୫ ଶହ ଟଙ୍କା। ସମୟକ୍ରମେ ସେ ପକ୍ଷାଘାତରେ ପୀଡ଼ିତ ହୋଇ ବିଛଣା ଧରିଲେ। ଏହି ସମୟରେ ନିକଟସ୍ଥ ଗ୍ରାମର ଜଣେ ସରକାରୀ କର୍ମଚାରୀ ପାତିଙ୍କ ଅସହାୟତାର ଫାଇଦା ଉଠାଇଥିଲେ। ଆଉ ସହାୟତା ବାହାନାରେ ପାତିଙ୍କୁ ପ୍ରତି ମାସରେ ମିଳୁଥିବା ରାସନ୍ ଚାଉଳ ଓ ଭତ୍ତା ଟଙ୍କା ହଡ଼ପ କରି ଚାଲିଲେ।

ସେପଟେ ଭୋକ ଉପାସରେ ଦିନ କାଟୁଥିଲେ ପାତି। ସାହି ପଡ଼ିଶାଙ୍କ ହାତଟେକାରେ ଯାହା ମିଳୁଥିଲା ତାକୁ ଖାଇ ଯନ୍ତ୍ରଣାସିକ୍ତ ଜୀବନ ଜିଉଁଥିଲେ। ପାତିଙ୍କ ଅସହାୟତା ଖବର ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଠାତ ଚେଇଁ ଉଠିଥିଲା ବ୍ଲକ ପ୍ରଶାସନ। ଚଳିତ ମାସର ଭତ୍ତା ତାଙ୍କ ଘରେ ଦେବାର ବନ୍ଦୋବସ୍ତ କରିଥିଲେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ବାରିକ। ଏ କଥା ବି ମାନିଥିଲେ ଯେ ପାତିଙ୍କ ଭତ୍ତା ଓ ରାସନ୍ ଚାଉଳ ହଡ଼ପ ହୋଇଛି । ହେଲେ, ସେତେବେଳକୁ ଢ଼େର ବିଳମ୍ବ ହୋଇ ସାରିଥିଲା। ଭୋକ ଉପାସରେ ଛଟପଟ ହୋଇ ଗତକାଲି ବିଳମ୍ବିତ ରାତିରେ ଆଖି ବୁଜିଥିଲେ ପାତି। ବିଡ଼ମ୍ବନାର ବିଷୟ ହେଉଛି, ପାତିଙ୍କ ଭତ୍ତା ଓ ରାସନ୍ ସାମଗ୍ରୀ ହଡ଼ପ ଅଭିଯୋଗ ସମ୍ପର୍କରେ ଏଯାଏ କୌଣସି ଯାଞ୍ଚ ହୋଇନି।
ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କିମି ଦୂର ଜାତୀୟ ରାଜପଥ ପାର୍ଶ୍ୱରେ ରହୁଥିଲେ ବି ଅନାହାରରେ ଜଣେ ମହିଳାଙ୍କର ମୃତ୍ୟୁ ଘଟଣାକୁ ଗାଁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ଜନକଲ୍ୟାଣ ପାଇଁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ କାର୍ଯ୍ୟ କରୁଥିବାବେଳେ ଏଭଳି ଘଟଣା ପ୍ରାଶାସନିକ ନିଷ୍କ୍ରିୟତାର ଚରମ ନିଦର୍ଶନ ବୋଲି କହିଛନ୍ତି ଗ୍ରାମବାସୀ। ପାତିଙ୍କ ମୃତ୍ୟୁ ସମ୍ପର୍କରେ ବାହାନଗା ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ରାଜେନ୍ଦ୍ର ନାରାୟଣ କରଙ୍କୁ ଜଣାଇବାରୁ ସେ ରେଡ୍କ୍ରସରୁ କିଛି ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।
The post ସହାୟତା ଆଳରେ ଧୋକା ଦେଲେ ସରକାରୀ ବାବୁ: ଭୋକ ଜ୍ବାଳାରେ ଛଟପଟ ହୋଇ ଚାଲିଗଲେ ‘ପାତି’ first appeared on Sambad.from ଜିଲ୍ଲା | Sambad https://ift.tt/32xVXl2
0 Comments