
ଅନୁଗୁଳ: ଜଗନ୍ନାଥପୁର ଗାଁର ଅନୁକୁଳ ବେହେରା। ଟିଟିପିଏସ ନିକଟ ଜଗନ୍ନାଥ ବଜାରରେ ତାଙ୍କର ଅଛି ଏକ ଛୋଟିଆ ଚା’ ଦୋକାନ। ବିସ୍କୁଟ ଓ ଅଳ୍ପ କେଇ ପ୍ରକାରର କେକ୍ ବି ରଖିନ୍ତି। ହେଲେ ଚା’ ବିସ୍କୁଟ ଖାଇବାକୁ ଆଉ ଲୋକ ନାହାନ୍ତି। ଯେଉଁଠି ସଂଜ ଗଡ଼ୁ ଗଡ଼ୁ ଚା’ କରିବା ପାଇଁ ତାଙ୍କୁ ସମୟ ଅଣ୍ଟୁ ନ ଥିଲା, ଆଜି ସେ ଏକ ପ୍ରକାର ହାତ ବାନ୍ଧି ବସିଛନ୍ତି। ଗ୍ରାହକ ଆସୁଛନ୍ତି, ହେଲେ ହାତ ଗଣତି। ସଂଜରେ ଚା’ ଦୋକାନର ଏମିତି ଅବସ୍ଥା ଦେଖି ଆକଳନ କରି ହେଉଛି ଯେ, ଦିନବେଳା ସ୍ଥିତି କେତେ ଦୟନୀୟ ନ ଥିବ !
ଏଇ କୋହଭରା କାହାଣୀ କେବଳ ଅନୁକୁଳଙ୍କର ନୁହଁ ବରଂ, ଟିଟିପିଏସରେ ତାଲା ପଡ଼ିବା ପରେ ଏମିତି ଶହ ଶହ ଚିତ୍ର ଓ ଚରିତ୍ର ଦେଖିବାକୁ ମିଳିଛି ଥର୍ମାଲ ବଜାର, ଆନନ୍ଦ ବଜାର ଓ ଜଗନ୍ନାଥ ବଜାରରେ। ଏହି ସବୁ ବଜାର ଟିଟିପିଏସ୍ ପାଇଁ ଗଢି ଉଠିଥିଲା। ଏଠାରେ ପାନ ଦୋକାନଠାରୁ ଆରମ୍ଭ କରି ଚା’, ଜଳଖିଆ, ରାସନ, ମୋବାଇଲ ମରାମତି, ଔଷଧ, ପନିପରିବା, କପଡ଼ା ଆଦି କୋକାନ ରହିଥିଲା। ଟିଟିପିଏସର କର୍ମଚାରୀ ଓ ଅଧିକାରୀମାନେ ଏହି ବଜାର ଉପରେ ନିର୍ଭର କରୁଥିଲେ। ଏଠାରେ ଥିବା ପ୍ରାୟ ଦୁଇ ହଜାର କର୍ମଚାରୀଙ୍କର ଇଏ ଥିଲା ପ୍ରମୁଖ ବଜାର। କିନ୍ତୁ ଟିଟିପିଏସ ବନ୍ଦ ହୋଇଯିବା ପରେ ମାନ୍ଦା ପଡ଼ିଛି ବଜାର। ବେପାର ଅଧାରୁ ଅଧିକ ତଳକୁ ଖସି ଆସିଛି। ଆଗଭଳି ଆଉ ଗହଳିଚହଳି ନାହିଁ। ଆଖପାଖ ଗାଁର ଲୋକେ ବଜାରକୁ ଆସୁଛନ୍ତି ସତ, କିନ୍ତୁ ବେପାର ଭଲ ହେଉନି। ତେଣୁ ଏବେ ଚିନ୍ତାରେ ଶତାଧିକ ଦୋକାନୀ। ଟିଟିପିଏସ ନାଁ ବଢୁଥିବାରୁ ଏବଂ ଏଠାରେ ତୃତୀୟ ପର୍ଯ୍ୟାୟ କାମ ହେବ ବୋଲି ଜଣାପଡ଼ିବା ପରେ ବହୁ ଯୁବ ଉଦ୍ୟୋଗୀ ଧାର କରଜ କରି ଦୋକାନ ଦେଇଥିଲେ। ସେମାନଙ୍କର ଆଶା ଥିଲା, ଟିଟିପିଏସ ଭଲ ଚାଲିଥିବାରୁ ସେମାନଙ୍କ ବେପାର ବଢି ବଢି ଚାଲିବ। କିନ୍ତୁ ସବୁ ଆଶା ଏବେ ସରିଯାଇଛି।
The post ଟିଟିପିଏସ ବନ୍ଦ ହେବା ପରେ ଜୀବନଜୀବିକାରେ ତାଲା; ଚିନ୍ତାରେ ଦୋକାନୀ first appeared on Sambad.from ଜିଲ୍ଲା | Sambad https://ift.tt/3duppha
0 Comments