କଟକ : କୋଭିଡ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ ଗଚ୍ଛିତ ରଖିବା ଓ ଏହାର କଳାବଜାର ବିରୋଧରେ ରାଜ୍ୟ ପୁଲିସ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ଲାଇଂ ସ୍କ୍ବାଡର ମିଳିତ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋ/ମେଡିସିନ ଷ୍ଟୋର, ଅମ୍ଳଜାନ ଭର୍ତ୍ତି କରାଯାଉଥିବା ଷ୍ଟୋର ଗୁଡିକରେ ଚଢଉ କରିଛି। କଟକ ଚାନ୍ଦିନୀଚୌକ ଛକ ନିକଟସ୍ଥ ମେଡିକାଲ ‌ଷ୍ଟୋର, ଭୁବନେଶ୍ବର ଏକ ଘରୋଇ ମେଡିକାଲ ସମେତ ବାଲେଶ୍ବର ଜିଲ୍ଲାର ସର୍ବାଧିକ ୧୪ଟି ମେଡିସିନ ଷ୍ଟୋର ଉପରେ ଚଢଉ କରାଯାଇଛି। ସେହିଭଳି ଯାଜପୁର ଜିଲ୍ଲାର ୩ଟି ମେଡିସିନ ଷ୍ଟୋର‌ରେ ଚଢଉ କରାଯାଇଛି। କୋରାପୁଟ, ସମ୍ବଲପୁର ଭଦ୍ରକ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଡିପୋରେ ଥିବା ସମସ୍ତ ରେକର୍ଡକୁ ଅନୁଧ୍ୟାନ କରାଯିବା ସହିତ ବିଭିନ୍ନ ହସ୍ପିଟାଲ ଓ ଅନ୍ୟ ସଂସ୍ଥାକୁ ବଣ୍ଟନ କରାଯାଉଥିବା ଔଷଧ ଓ ଷ୍ଟକ୍ ସଂପର୍କରେ ଯାଞ୍ଚ କରାଯାଇଛି। ଏଥି ସହିତ କୋଭିଡ-୧୯ ଔଷଧ ବଣ୍ଟନ ବ୍ୟବସ୍ଥା, ଔଷଧ ବିତରକ ଓ ମେଡିକାଲ ଡିପୋ‌ର ସମସ୍ତ ତଥ୍ୟ ସଂକ୍ରାନ୍ତରେ ପ୍ରତିଦିନ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମରେ ଡ୍ରଗ୍ ଇନସେପକ୍ଟର, ସ୍ପେଶାଲ ଟାସ୍କ୍ ଫୋର୍ସ, କ୍ରାଇମବ୍ରାଞ୍ଚ ଅଧିକାରୀ ଓ ସ୍ଥାନୀୟ ପୁଲିସ ସାମିଲ ହୋଇଛନ୍ତି। କୋଭିଡ ଔଷଧ କଳାବଜାର ରୋକିବାକୁ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା, ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଓ ଡ୍ରଗ କଣ୍ଟ୍ରୋଲରଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। କଟକ-ଭୁବନେଶ୍ବରର କଳାବଜାର ରୋକିବା ପାଇଁ ୭ଟି ଫ୍ଲାଇଂ ସ୍କ୍ବାଡ୍ ଗଠନ କରାଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ୧୫ଟି ସ୍କ୍ବାଡ୍ କାର୍ଯ୍ୟ କରୁଛି।

The post କୋଭିଡ ଔଷଧ କଳାବଜାର, ଫ୍ଲାଇଂ ସ୍କ୍ବାଡ୍‌ର ଚଢଉ, ବାଲେଶ୍ବରର ସର୍ବାଧିକ ୧୪ ମେଡିସିନ ଷ୍ଟୋର ଯାଞ୍ଚ first appeared on Sambad.

from ଜିଲ୍ଲା | Sambad https://ift.tt/3sJ7Qzq