ରଣପୁର : ରଣପୁର ବ୍ଲକ୍‌ ଦର୍ପନାରାୟଣପୁର ଫାଣ୍ଡି ଅଧୀନ ବେଗୁନିଆପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଦମ୍ପତି ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା କରିଛନ୍ତି। ଉଭୟଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ମୃତ ଦମ୍ପତି ‌ହେଲେ, ଭିକାରି ସାହୁ ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ। ଏହି ଦମ୍ପତି ଭୁବନେଶ୍ବରରେ ରହୁଥିବା ବେଳେ, ପ୍ରାୟ ୩ ଦିନ ତଳେ ଗ୍ରାମକୁ ଆସିଥିଲେ। ତେବେ କୌଣସି କାରଣରୁ ଗୁୁରୁବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଦମ୍ପତିଙ୍କ ଘର କବାଟ ବନ୍ଦ ରହିଥିଲ। ‌ଯେଉଁଥିପାଇଁ ଗ୍ରାମବାସୀଙ୍କ ସନ୍ଦେହ ପ୍ରକାଶ ପାଇଥିଲା। ଗ୍ରାମବାସୀ କବାଟ ଭାଙ୍ଗି ଦେଖିବା ପରେ ଘର ମଧ୍ୟରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା। ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଛି, ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ। ଦମ୍ପତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଟାହିଟାପାରା ଶୁଣି ଆତ୍ମହତ୍ୟା କରିଦେଇଥିବା ଚର୍ଚ୍ଚା ‌ହେଉଛି। ଖବର ଲେଖା ହେବା ସୁଦ୍ଧା ମଧ୍ୟରାତ୍ରୀ ଯାଏଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି। ଏନେଇ ଆମ ନିକଟରେ କୌଣସି ଅଭି‌ଯୋଗ ପହଞ୍ଚିନଥିବା ରଣପୁର ପୁଲିସ କହିଛି।

The post କରୋନା ଆକ୍ରାନ୍ତ ଦମ୍ପତିଙ୍କ ଆତ୍ମହତ୍ୟା! ରଣପୁରରେ ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/2QI940T