ଲରମ୍ଭା/ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ଅଚଂଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢ଼ିଚାଲିଛି। ଏହାଛଡ଼ା ଗ୍ରାମାଞ୍ଚଳରେ ଲୋକେ ଦିନକୁ ଦିନ ଜ୍ବରରେ ଆକ୍ରାନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। ଗରିବ ଶ୍ରେଣୀର ଲୋକେ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଛନ୍ତି। ହେଲେ ସେଠାରେ ଡାକ୍ତର ନଥିବାରୁ ନିରାଶ ହୋଇ ଘରକୁ ଫେରୁଛନ୍ତି। ଏଭଳି ଦୃଶ୍ୟ ପାଟଣାଗଡ଼ ବ୍ଲକ୍‌ ଡାଙ୍ଗବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।

ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଡାଙ୍ଗବାହଲ, ଦମକିପାଲି, ସାରଥୀମୁଣ୍ତା, ପଣ୍ତରିପାଣି, ଠେଲକୋଛାପର, ଗୁଣଚାଡିହ, ଗଭରା, ଭୁଏପାଲି, ଚନ୍ଦନଜୁରି ଓ ଖୁରିପାଣି ଗାଁର ଲୋକେ ମୁଖ୍ୟତଃ ନିର୍ଭର କରିଥାନ୍ତି। ବର୍ତ୍ତମାନ ବହୁ ଲୋକ ଜ୍ବରରେ ଆକ୍ରାନ୍ତ ହୋଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଏମ୍‌ବିବିଏସ୍‌ ଡାକ୍ତର ଭରତ ମେହେର ଓ ଆୟୁଷ ଡାକ୍ତର ସୁନନ୍ଦା ମେହେର ଠିକ୍ ଭାବେ ଆସୁ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ରୋଗୀମାନେ ଘରକୁ ଫେରିଯାଇ କ୍ବାକ୍ ଦ୍ବାରା ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହୁଥିବାରୁ ଏଠାରେ ନିଯୁକ୍ତ ଫାର୍ମାସିଷ୍ଟ ରାଜିନ ଭୋଇଙ୍କ ଔଷଧ ଦୋକାନରୁ ଲୋକେ ପଇସା ଦେଇ ଚିକିତ୍ସିତ ହେବା ସହିତ ଔଷଧ କିଣି ଘରକୁ ଫେରୁଥିବା ଡାଙ୍ଗବାହଲ, ଦମକିପାଲି, ଗଭରା ଗ୍ରାମର ରୋଗୀମାନେ ଅଭିଯୋଗ କରିଛନ୍ତି।

ଏ ବିଷୟରେ ଫାର୍ମାସିଷ୍ଟ ଶ୍ରୀ ଭୋଇଙ୍କୁ ପଚାରିବାରୁ ସେ ତାଙ୍କ ଔଷଧ ଦୋକାନରେ ଚିକିତ୍ସା କରିପାରିବେ ବୋଲି କହିଥିଲେ। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଡା. ଭରତ ମେହେରଙ୍କୁ ପଚାରିବାରୁ ପାଟଣାଗଡ଼ ଡାକ୍ତରଖାନାକୁ ଡେପୁଟେସନ୍‌ରେ ଯାଇଥିବା ଯୋଗୁଁ ସେ ଉପସ୍ଥିତ ନଥିଲେ ବୋଲି ପ୍ରକାଶ କରିଛନ୍ତି।

The post ପାଟଣାଗଡ଼: ଗାଁ ଗାଁରେ ଜ୍ୱର, ଡାକ୍ତରଖାନାରେ ଚିକିତ୍ସା ନପାଇ ଘରକୁ ଫେରୁଛନ୍ତି ରୋଗୀ first appeared on Sambad.

from ଜିଲ୍ଲା | Sambad https://ift.tt/3337Lfq