ରାଉରକେଲା, (ମଳୟ ରଞ୍ଜନ ସାହୁ) : ଛଅ ଖଣ୍ଡ କାଠରେ ହେବ ସବାରୀ, ସେହି ସବାରୀରେ ମୁଁ ଯିବି ସେପାରି…। ମୃତ ଦେହକୁ ଶ୍ମଶାନ ଘାଟ ନେବାକୁ ବନ୍ଧୁ ଓ ପରିଜନମାନେ ତିଆରି କରନ୍ତି କୋକେଇ । ୨ଖଣ୍ଡ ବଡ ବାଉଁଶ ସହ ଅନ୍ୟ ୪ ଖଣ୍ଡ ଛୋଟ ବାଉଁଶକୁ ଶିଢ଼ି ପରି ବାନ୍ଧି ଦିଅନ୍ତି। ତା’ଉପରେ ବିଛାଇ ଦିଆଯାଏ ମଶିଣା। ମୃତ ଦେହକୁ ତା’ଉପରେ ଶୁଆଇ ବନ୍ଧୁ ପରିଜନମାନେ ‘ହରି ନାମ ସତ୍ୟ ହେ, ରାମ ନାମ ସତ୍ୟ ହେ…’ ଧ୍ବନି ଦେଇ ‌ନେଇ ଯାଆନ୍ତି ସତ୍କାର ପାଇଁ। ମୃତ ମଣିଷର ଶେଷ ଶଯ୍ୟା (କୋକେଇ) ତିଆରି ପରିବାର ପ୍ରତିପୋଷଣ କରୁଥିବା ସ୍ମାର୍ଟ ସିଟି ରାଉରକେଲାର ଏମିତି ଜଣେ ନିଆରା ମଣିଷ ହେଲେ ରାଜୁ ତୁରୀ। ତାଙ୍କର ଏପରି ନିଆରା ବେଉସା ପାଇଁ ସମସ୍ତେ ତାଙ୍କୁ ଡାକନ୍ତି କୋକେଇ ମଉସା।

ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୪୬ ବର୍ଷ ଧରି ସହରରେ ତିଆରି କରୁଛନ୍ତି କୋକେଇ। ହଜାରେ କି ଦୁଇ ହଜାର ନୁହେଁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ ହଜାରରୁ ଅଧିକ କୋକେଇ ତିଆରି କରି ସାରିଛନ୍ତି। ବର୍ଷ ୭୦ ଛୁଇଁଲାଣି। ଅଣ୍ଟା ସଳଖି ଭଲି ଛିଡା ହୋଇ ପାରୁ ନାହାନ୍ତି। ତଥାପି ଆଶା ବାଡ଼ିକୁ ସାହା କରି ରାଉରକେଲା ଓ ଏହାର ଆଖପାଖରେ ମୃତ୍ୟୁବରଣ କରୁଥିବା ପରିବାର ଲୋକଙ୍କ ଏକ ମାତ୍ର ସାହା ଭରସା ପାଲଟିଛନ୍ତି। ସେକ୍ଟର-୫ ଦୀପକ ସିନେମା ହଲ୍‌ ସମ୍ମୁଖ କଦମ୍ବ ଗଛ ମୂଳ ହେଉଛି ରାଜୁଙ୍କ କୋକେଇ ତିଆରି ସ୍ଥାନ। ଖରା, ବର୍ଷା ହେଉ ଅବା ଶୀତ। ଦିନ ହେଉ ଅବା ଅଧ ରାତି, ମୃତଙ୍କ ପରିବାର ଲୋକ ପହଞ୍ଚିଲା ମାତ୍ରେ ସେ‌ କୋକେଇ ତିଆରି ଦିଅନ୍ତି । ଏହି କାମ କରିବାକୁ ପରିବାର ଲୋକ ତାଙ୍କୁ ଅନେକ ବାର ବାରଣ କରିଛନ୍ତି। କିନ୍ତୁ ଏହି ମହତ କାର୍ଯ୍ୟରୁ ତାଙ୍କୁ ଅନେକ ଆନନ୍ଦ ମିଳୁଥିବାରୁ କାମକୁ ଛାଡି ପାରି ନାହାନ୍ତି। ଏଥିପାଇଁ ତାଙ୍କ ପରିବାର ଲୋକ ନିକଟସ୍ଥ ବସ୍ତିରେ ରହୁଛନ୍ତି। ସେ କିନ୍ତୁ କୋକେଇ ତିଆରି କରୁଥିବା ଜାଗାରେ ଝୁମ୍ପୁଡିଟିଏ କରି ରହନ୍ତି।

କରୋନା ସଂକ୍ରମଣ ଭୟଥିଲେ ହେଁ ସେ ନିଜ କାମରୁ ଓହରି ନାହାନ୍ତି। ସଂକ୍ରମଣ ଭୟ ଥିଲେ ମଧ୍ୟ ମୁହଁରେ ମାସ୍କ ବାନ୍ଧି ଦିନ ରାତିରେ ସହର ଓ ଏହାର ଆଖପାଖ ଲୋକଙ୍କୁ କୋକେ‌ଇ ତିଆରି କରି ଦେଉଛନ୍ତି। ବୃଦ୍ଧ ଅବସ୍ଥାରେ ହାତ ଗୋଡ ଏତେଟା ଚାଲୁ ନଥିବାରୁ କାମରେ ସହାୟତା କରିବାକୁ ଜଣେ ଲୋକଙ୍କୁ ରଖିଛନ୍ତି। ଦୈନିକ ପ୍ରାୟ ୫ରୁ ୬ଟି କୋକେ ତିଆରି କରନ୍ତି। ପାରିଶ୍ରମିକ ବାବଦରେ କୋକେଇ ପିଛା ପ୍ରାୟ ୪୦୦ ଟଙ୍କା ନିଅନ୍ତି। ଏମିତିକି ରାତିରେ ଅଧିରେ କେହି ଜଣେ ଗରିବ ଲୋକଟିଏ କୋକେଇ ନେବାକୁ ଆସିଲେ, ତାକୁ ଫେରାନ୍ତି ନି। କହନ୍ତି, କୋ‌କେଇ ନେଇ ଯାଆ । ଆଗ ଶବ ସତ୍କାର କାମ ସାରି ଦେ। ପରେ ଆସି ଦେବୁ।

ପତ୍ନୀ, ଦୁଇ ପୁଅ, ଗୋଟିଏ ଝିଅ ନେଇ ରାଜୁଙ୍କ ପରିବାର। ଦୁଇ ପୁଅ ରୋଜଗାର କରୁଛନ୍ତି। ଝିଅକୁ ମଧ୍ୟ ସେ ବାହା ଦେଇ ସାରିଛନ୍ତି। ହାତ ଗୋଡ ଠିକ୍‌ ଭାବେ ଚାଲି ପାରୁ ନଥି‌ଲେ ହେଁ କାମକୁ ଛାଡି ପାରୁ ନାହାନ୍ତି। ରାଜୁ କହନ୍ତି, ରାତି ଅଧରେ କୋକେଇ ନେବାକୁ ଆସୁଥିବା ମୃତଙ୍କ ପରିବାର ଯେମିତି ନ ଫେରନ୍ତି ସେଥିପ୍ରତି ଯତ୍ନବାନ। ନିଜ ଝୁମ୍ପୁଡିରେ ଖରା, ବର୍ଷା, ଶୀତରେ ରାତି କଟାଉଛି। ଏଭଳି ମହତ କାର୍ଯ୍ୟରେ ମୋତେ ଆତ୍ମସନ୍ତୋଷ ମିଳୁଛି। ଜନ୍ମ ପରେ ମୃତ୍ୟୁ ନିଶ୍ଚିତ। ‘ ମୁଁ ସମସ୍ତଙ୍କ ପାଇଁ କୋକେଇ ତିଆରି କରୁଛି। ଦିନେ ଏହି କୋକେଇରେ ‌ମୋତେ ଯିବାକୁ ପଡ଼ିବ। ତଥାପି ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବି ସେତେ ଦିନ ପର୍ଯ୍ୟନ୍ତ ‌ସହରବାସୀଙ୍କୁ୍ କୋକେଇ ତିଆରି କରି ଦେଉଥିବି ବୋଲି କୁହନ୍ତି ରାଜୁ ମଉସା।

The post ମୃତ ମଣିଷର ନିଆରା ସାଥୀ: ରାଉରକେଲାର କୋକେଇ ମଉସା, ତିଆରି କଲେଣି ୫୦,୦୦୦ରୁ ଅଧିକ କୋକେଇ first appeared on Sambad.

from ଜିଲ୍ଲା | Sambad https://ift.tt/3xbPg6u