କଟକ : ଗ୍ୟାଙ୍ଗଷ୍ଟର‌ ହାଇଦର‌ ଫେରାର ଷଡ଼୍‌ଯନ୍ତ୍ରରେ ସମ୍ପୃକ୍ତି ଦର୍ଶାଇ ସମ୍ବଲପୁର ଜିଲ୍ଲା ପୁଲିସ କନଷ୍ଟେବଳ ଏବ˚ ସମ୍ବଲପୁର ସର୍କଲ୍‌ ଜେଲ୍‌ ୱାର୍ଡର‌ଙ୍କୁ ପୁଲିସ ଗିରଫ କରିଛି। କିନ୍ତୁ କଟକ ବଡ଼ ଡାକ୍ତରଖାନା ସର୍ଜରୀ ଵାର୍ଡରେ ଗୋଟିଏ ଦିନରେ ହାଇଦର‌‌କୁ କ୍ୟାବିନ୍‌ ଯୋଗାଇଦେବା ଏବ˚ ଚିକିତ୍ସା ଆଳରେ ୧୯ ଦିନ କ୍ୟାବିନରେ ରଖି ୱାର୍ଡରୁ ୱାର୍ଡ ବୁଲାଇବା ପଛରେ ଥିବା ମୁଖ୍ୟ କାର୍ପଟଦାର‌ କିଏ? ଭିମସାର‌ରୁ ହାଇଦର‌କୁ କଟକ ରେଫର‌ କରିଥିବା ଡାକ୍ତରଖାନା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କମିସନରେଟ୍‌ ପୁଲିସ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ କାହିଁକି? ଦୁଇଟି ଡାକ୍ତରଖାନାରେ ହାଇଦର‌ ଫେରାର ପୂର୍ବରୁ ଷଡ଼ଯନ୍ତ୍ରର ମୂଳଦୁଆ ପଡ଼ିଥିବା ସ୍ପଷ୍ଟ ହେଉଥିଲେ ବି ଏଯାଏ କୌଣସି କାର୍ଯ୍ୟାନୁ‌ଷ୍ଠାନ ହୋଇପାରୁ ନାହିଁ କାହିଁକି? ଏହିଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି।

ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର‌ ହାଇଦର‌ର ହାଇଡ୍ରୋସିଲ୍‌ ଅପରେସନ୍‌ ଦର୍ଶାଇ ବୁର୍ଲା ଭିମସାର‌ ଗଲା ମାର୍ଚ୍ଚ ୨୨ ତାରିଖରେ କଟକ ବଡ଼ ଡାକ୍ତରଖାନା ରେଫର‌ କରିଦେଇଥିଲା। ଯେଉଁ ଅପରେସନ୍‌ ଭିମସାର‌ରେ ହୋଇପାରିବ, ସେଥିପାଇଁ ହାଇଦର‌କୁ ବଡ଼ ଡାକ୍ତରଖାନା ରେଫର‌ କରାଯାଇଥିଲା। ସେଥିପାଇଁ କଣ କେହି ଦୋଷୀ ନୁହନ୍ତି? ବଡ଼ ଡାକ୍ତରଖାନାରେ ୨୩ ତାରିଖରେ ପହଞ୍ଚିବା ପରେ ସେହି ଦିନ ହିଁ ସର୍ଜରି ୱାର୍ଡରେ ହାଇଦର‌‌କୁ କ୍ୟାବିନ୍‌ ମିଳିଯାଇଥିଲା। ଯେଉଁଠି ଜଣେ ସାଧାରଣ ରୋଗୀ କ୍ୟାବିନ୍‌ ପାଇବାକୁ ପ୍ରାୟ ଏକ ମାସ ଲାଗିଯାଉଛି, ସେଭଳି ସ୍ଥିତିରେ ଗୋଟିଏ ଦିନରେ ହାଇଦର‌କୁ ବେଡ୍‌ ମିଳିବା ଓ ହାଇଦର ଆସିବା ଖବର ଶୁଣି ସର୍ଜର ୱାର୍ଡ କର୍ମଚାରୀ କ୍ୟାବିନ୍‌ ଚଟାଣ ଏସିଡ୍‌ ପକାଇ ସଫା କରିବା ପଛରେ କିଏ ଅଛନ୍ତି? ସେମାନେ କଣ ସଂପୂର୍ଣ୍ଣ ନିର୍ଦ୍ଦୋଷ? ହାଇଦର‌ ବୁର୍ଲାରୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ସମ୍ପର୍କିତ କାଗଜପତ୍ର, ସର୍ଜରି ଵାର୍ଡର ବେଡ୍‌ ଟିକଟ୍‌, କେଉଁ ଦିଦି ସର୍ଜରି ୱାର୍ଡରେ ଡ୍ୟୁଟି କରୁଥିଲେ, ଏସବୁ ସ˚କ୍ରାନ୍ତ କାଗଜପତ୍ର ମଙ୍ଗଳାବାଗ ଥାନା ପୁଲିସ ହାତରେ ଲାଗିଥିବା ବେଳେ ଜଣେ ରୋଗୀ କ୍ୟାବିନ୍‌ ପାଇବାକୁ ଥିବା ନିୟମାବଳୀ ସମ୍ପର୍କିତ ତଥ୍ୟ ବି ହସ୍ତଗତ ହୋଇଛି। କିନ୍ତୁ ଗୋଟିଏ ଦିନରେ ହାଇଦର‌କୁ କ୍ୟାବିନ୍‌ ଯୋଗାଇ ଦେଇଥିବା ବ୍ୟକ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସି ପାରୁନାହାନ୍ତି। ହାଇଦର‌ ୧୦ ତାରିଖରେ କଟକ ବଡ ମେଡିକାଲରୁ ଫେରାର ହେବା ଦିନ ସର୍ଜରି ୱାର୍ଡର କ୍ୟାମେରା ବନ୍ଦ ଥିବାବେଳେ ସେ ଦିଗରେ ପୁଲିସର ତଦନ୍ତ ବି ଆଗେଇ ପାରୁନି। କନଷ୍ଟେବଳ ଓ ୱାର୍ଡରଙ୍କ ଭଳି ଦୁଇ ତଳିଆ କର୍ମଚାରୀଙ୍କୁ ଷଡ଼ଯନ୍ତ୍ରକାରୀ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଦୁଇଟି ଡାକ୍ତରଖାନାର ଦୋଷ ଦୁର୍ବଳତାକୁ ଘୋଡ଼ାଇ ଦିଆଯାଉଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ହାଇଦର‌ ଫେରାର ପୂର୍ବରୁ ରଚାଯାଇଥିବା ଷଡ଼ଯନ୍ତ୍ର ସମ୍ପର୍କିତ ନୂଆନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ଗ୍ୟାଙ୍ଗଷ୍ଟର‌ ହାଇଦର‌ର ମଝିଆ ପୁଅ ଆଜାରୁଦ୍ଦିନ୍‌ ହାଇଦର‌ ଫେରାରର ଦୁଇ ଦିନ ପୂର୍ବରୁ ଅର୍ଥାତ ୮ ତାରିଖରେ କଟକ ସହରରୁ ଏକ ସିମ୍‌ କାର୍ଡ କିଣିଥିଲା। ଫେରାର ପରେ ପୁଲିସ ମୋବାଇଲ୍‌ ଲୋକେସନ୍‌ ସିମ୍‌ କାର୍ଡରୁ ଟ୍ରାକ୍‌ କରିବା ଆଶଙ୍କାରେ ନୂଆ ସିମ୍‌ କାର୍ଡ କିଣାଯାଇଥିଲା। କିନ୍ତୁ ହାଇଦର‌ ନିଜ ପ୍ରେମିକା ଓ ପରିବାର ଲୋକଙ୍କୁ ଯୋଗାଯୋଗ ସମୟରେ ସେମାନଙ୍କ ପୁରୁଣା ନମ୍ବରକୁ ହିଁ ଫୋନ୍‌ କରିଥିଲା। ପୁଲିସ ପୁରୁଣା ନମ୍ବରକୁ ଟ୍ରାକ୍‌ କରି ଆଜାରୁଦ୍ଦିନ୍‌ର ହାଇଦରାବାଦ୍‌ କିଙ୍ଗ୍‌ କୋଟି ମୁର୍ସିଦାବାଦ୍‌ରେ ଥିବା ଭଡ଼ା ଘର ଲୋକେସନ୍‌ ପାଇଥିଲା। ମୁର୍ସିଦାବାଦ୍‌ରେ ୧୧ ତାରିଖ ପରେ ଆଜାରୁଦ୍ଦିନ୍‌ ଫୋନ୍‌ ସୁଇଚ୍‌ ଅଫ୍‌ କରି ଫେରାର ହୋଇଯାଇଥିଲା। ସେଥିପାଇଁ ଆଜାରୁଦ୍ଦିନ୍‌, ହାଇଦର‌ର ସମ୍ପର୍କୀୟ ଭାଇ କାଳିଆ ଓ ସାନ ଜ୍ବାଇଁଙ୍କ ସମ୍ପର୍କରେ ପୁଲିସ ଖୋଜଖବର ପାଇପାରୁନାହିଁ। ହାଇଦର‌ର କରୋନା ପଜିଟିଭ୍‌ ଗଲା ୧୫ ତାରିଖରେ ଚିହ୍ନଟ ହୋଇଥିବାରୁ ପୁଲିସ ଆସନ୍ତା ୨୩ ତାରିଖରେ ତାର ପୁଣିଥରେ ପରୀକ୍ଷା କରିବ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାକୁ ରିମାଣ୍ତରେ ଆଣିବାକୁ ପୁଲିସ ଯୋଜନା କରିଛି। ହାଇଦର‌ ରିମାଣ୍ତରେ ଆସିଲେ ହିଁ ଫେରାର ୩ ସଂପର୍କୀୟଙ୍କ ଠିକଣା ପୁଲିସ ଠାବ କରିବାକୁ ସହଜ ହେବ ବୋଲି କୁହାଯାଉଛି। ମଙ୍ଗଳବାର ସମ୍ବଲପୁର ସର୍କଲ ଜେଲ୍‌ରେ ହାଇଦର‌‌ ଆସିବା ଦିନଠାରୁ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ପର୍ଯ୍ୟନ୍ତ ଏକ ଟିମ୍‌ ଯାଞ୍ଚ କରି ଆଜି କଟକ ଫେରିଛି।

ଅନ୍ୟପଟେ ହାଇଦର‌ ସ˚ସ୍ପର୍ଶରେ ଆସିଥିବା ୧୦ ପୁଲିସ ଅଫିସର, ସ୍ପେଶାଲ ସ୍କ୍ବାଡ୍‌ର ୧୨ କନଷ୍ଟେବଳ, ରିଜର୍ଭ ଅଫିସର ଦୁଇ ହାବିଲ୍‌ଦାର ଓ ୮ ଜଣ କନଷ୍ଟେବଳଙ୍କର କୋଭିଡ୍‌ ରିପୋର୍ଟ ଆଜି ନେଗେଟିଭ୍‌ ଆସିଛି। ୩୨ ଜଣଙ୍କ ମଧ୍ୟରୁ କେହି ଅଫିସର କିମ୍ବା କର୍ମଚାରୀ କୋଭିଡ୍‌ ସ˚କ୍ରମିତ ନଥିବା ଜଣାପଡ଼ିଛି। ଏସବୁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଦୁଇଟି ଡୋଜ୍ ଟିକା ନେଇ ସାରିଥିବାରୁ ସେମାନେ ସଂକ୍ରମିତ ହୋଇ ପାରି ନଥିବା କୁହାଯାଉଛି।

The post ହାଇଦର୍ ଚମ୍ପଟ୍‌ ଘଟଣା: ଖସିଗଲେ କି ଡାକ୍ତରଖାନାର ମୁଖ୍ୟ କାର୍ପଟଦାର‌? first appeared on Sambad.

from ଜିଲ୍ଲା | Sambad https://ift.tt/3sEH7Ei