
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଥିବା ଏକମାତ୍ର ଅକ୍ସିଜେନ୍ ଯୋଗାଣ ସଂସ୍ଥା ଉପରେ ଅଙ୍କୁଶ ଲଗାଇଛି ପ୍ରଶାସନ। ଘରୋଇ କମ୍ପାନି ଓ ଶିଳ୍ପସଂସ୍ଥା ବଦଳରେ ଅବିଭକ୍ତ କୋରାପୁଟର ୪ଟି କୋଭିଡ୍ ହସ୍ପିଟାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅକ୍ସିଜେନ୍ ଯୋଗାଇବା ପାଇଁ ହନୁମାନ ଅକ୍ସିଜେନ୍ ପ୍ରାଇଭେଟ୍ ଲିମିଟେଡ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାୟଗଡ଼ା ସହରର କୋଟଲାଗୁଡ଼ାରେ ରହିଛି ହନୁମାନ ଅକ୍ସିଜେନ୍ ପ୍ରାଇଭେଟ୍ ଲିମିଟେଡ୍। ୨୦ ହଜାର ଲିଟର କ୍ଷମତାବିଶିଷ୍ଟ ଏହି ପ୍ଲାଣ୍ଟ୍ ବିଭିନ୍ନ ଶିଳ୍ପସଂସ୍ଥା, ଘରୋଇ କଂପାନି ଓ ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଇ ଆସୁଛି। ଅକ୍ସିଜେନ୍ ପ୍ଲାଣ୍ଟ୍ର ପରିଚାଳକ ରବୀନ୍ଦ୍ର ବାରିକଙ୍କ କହିବାନୁଯାୟୀ କୋଭିଡ୍ ପୂର୍ବରୁ ପ୍ରତି ମାସରେ ବିଭିନ୍ନ ଶିଳ୍ପସଂସ୍ଥାକୁ ଛୋଟ ସିଲିଣ୍ଡର ୧୫୦୦ରୁ ୧୬୦୦ଟି ଯୋଗାଇଥାଏ ସଂସ୍ଥା। ସେହିପରି ସଂସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛୋଟ ଏବଂ ଯୁଗ୍ମ ସିଲିଣ୍ଡର ୧୫ରୁ ୨୦ଟି ଯୋଗାଇଥାଏ। ଏବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ୧୮ ତାରିଖରୁ ଶିଳ୍ପ ଓ ଘରୋଇ ସଂସ୍ଥାକୁ ପ୍ଲାଣ୍ଟ୍ରୁ ଅକ୍ସିଜେନ୍ ଯୋଗାଣ ବନ୍ଦ ରହିଛି। ୨୧ ତାରିଖରେ ଡ୍ରଗ୍ସ ଇନ୍ସପେକ୍ଟର-ଜିଲ୍ଲା ପ୍ରଶାସନ-ପୁଲିସ ମିଳିତ ଭାବେ ପ୍ଲାଣ୍ଟ୍କୁ ଆସି ସ୍ଥିତି ତଦାରଖ କରିବା ସହ ପ୍ରଶାସନର ବିନା ଅନୁମତିରେ କାହାକୁ ଅକ୍ସିଜେନ୍ ନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ନିର୍ଦ୍ଦେଶ ପରେ କେବଳ କୋଭିଡ୍ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରି ରଖାଯାଇଛି।
ରାୟଗଡ଼ା ଜେକେପୁର କୋଭିଡ୍ ହସ୍ପିଟାଲରେ ଦୈନିକ ୩୦ଟି ଅକ୍ସିଜେନ୍ ସିଲିଣ୍ଡର ବ୍ୟବହାର ହେଉଛି। ଏପ୍ରିଲ୍ ୧୮ରୁ ଆଜି ମଧ୍ୟରେ ୩ଟି ପର୍ଯ୍ୟାୟରେ ଜେକେପୁର କୋଭିଡ୍ ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବାକୁ ସଂସ୍ଥା ପ୍ରସ୍ତୁତ ରହିଛି। ସେହିପରି ମାଲକାନଗିରି କୋଭିଡ୍ ହସ୍ପିଟାଲକୁ ୨ଟି ପର୍ଯ୍ୟାୟରେ ୧୬୯ଟି ସିଲିଣ୍ଡର୍ ଯୋଗାଇ ଦିଆଯାଇଛି। ନବରଙ୍ଗପୁର ହସ୍ପିଟାଲରେ ଅକ୍ସିଜେନର ଆବଶ୍ୟକତା ବଢ଼ିବା ପରେ ସୋମବାର ସକାଳେ ୪୦ଟି ସିଲିଣ୍ଡର ପଠାଇବାକୁ କୁହାଯାଇଛି।
The post ଅକ୍ସିଜେନ୍ ଯୋଗାଣରେ ଅଙ୍କୁଶ first appeared on Sambad.from ଜିଲ୍ଲା | Sambad https://ift.tt/3nirGk2
0 Comments