ଉଦଳା: କୋଟିପତି ଗଞ୍ଜେଇ ମାଫିଆ ଶରତ ନାଏକକୁ ଶୁକ୍ରବାର ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ପାଖାପାଖି ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ହାରାହାରି ୪୦ଲକ୍ଷ ଟଙ୍କା। ଉଦଳା ଓ କପ୍ତିପଦାର ଦୁଇଟି ସ୍ଥାନରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି । ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଓ ଦାମୀ କାର ମଧ୍ୟ ଜବତ କରାଯାଇଛି । ସୂଚନାରୁ ଜଣାପଡ଼ିଛି ଯେ ଏହି ଗଞ୍ଜେଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ।

ଜାଣିବାକୁ ମିଳିଛି କି ଦୀର୍ଘ ଦୁଇ ବର୍ଷ ହେବ ଜନବସତିରେ ରହି ଗଞ୍ଜେଇ କାରବାର କରି ଆସୁଥିଲା ମାଫିଆ । କେବଳ ନିଜ ଘରେ ନୁହେଁ, ଉଦଳାରେ ମଧ୍ୟ ସେ ଏକ ଘର ନେଇ ସେଠାରେ ଗଞ୍ଜେଇ କାରବାର କରୁଥଲା । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କପ୍ତିପଦା ଥାନାର କୟାଁଖୁଣ୍ଟା ଗ୍ରାମର ଶରତ ନାଏକ । ଗଞ୍ଜେଇ ମାଫିଆ ଶରତର ଏକ ବଡ ରାକେଟ୍ ରହିଥିବା ବେଳେ ସେ କେଉଁଠାରୁ ଗଞ୍ଜେଇ ଆଣୁଥିଲା ଏବଂ କାହାକୁ ବିକ୍ରି କରୁଥିଲା ସେ ବାବଦରେ କୌଣସି ସଠିକ୍ ସୂଚନା ଏଯାବତ୍‌ ମିଳି ପାରିନାହିଁ। ତେବେ ଏହି ଗଞ୍ଜେଇ ଜବତ ହେବା ପରେ ଏହା ପଛରେ ଏକ ବଡ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି ।

 

The post କୋଟିପତି ଗଞ୍ଜେଇ ମାଫିଆକୁ ଧରିଲା ପୁଲିସ୍‌, ୪୦ ଲକ୍ଷ ଟଙ୍କାର ସାଢେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3dnTSgK