ବଲାଙ୍ଗୀର : ଦିନେ ଦେଶର ସୀମା ଜଗୁଥିଲେ ସୈନିକ। ଦେହରେ ମିଲିଟାରି ଡ୍ରେସ୍‌, କାନ୍ଧରେ ବନ୍ଧୁକ ଓ ବୀର ଦର୍ପରେ ଶତ୍ରୁର ସାମ୍ନା କରୁଥିଲେ ବୀର ଯବାନ। ଯବାନଙ୍କୁ ନେଇ ଗର୍ବ ଅନୁଭବ କରୁଥିଲେ ପରିବାର ଲୋକେ। କିନ୍ତୁ ସବୁ ଠିକଠାକ ଚାଲିଥିବା ବେଳେ  ଅଜଣା ରୋଗରେ ଗୁରୁତର ହେଲେ ବୀର ଯବାନ କୃଷ୍ଣଚନ୍ଦ୍ର ପରୁଆ। ରୋଗଗ୍ରସ୍ତ ଯବାନଙ୍କୁ ଅବସର ଦିଆଗଲା। ହେଲେ ଏବେ ରୋଗ ଠାରୁ ଅଧିକ ଦାଉ ସାଧୁଛି ତାଙ୍କୁ ଦାରିଦ୍ର‌୍ୟ।

ବଲାଙ୍ଗୀର ସହର ମାଳପଡ଼ାର କୃଷ୍ଣଚନ୍ଦ୍ର ପରୁଆ। ୧୯୯୯ ମସିହାରେ ବି.ଏସ୍‌.ଏଫରେ ଭର୍ତ୍ତି ହୋଇଥିଲେ। ଜମ୍ମୁକାଶ୍ମୀର ସହିତ ଦେଶର ବିଭିନ୍ନ ସୀମାରେ ଯବାନ ଭାବରେ ସେ କାମ କରିଛନ୍ତି। ଗତ ତିନିବର୍ଷ ତଳେ ହଠାତ ଘରକୁ ଆସିଥିବା ସମୟରେ ଅଜଣା ରୋଗରେ ଆକ୍ରାନ୍ତ ହେଲେ। ପାରାଲେସିସ ଯୋଗୁଁ ହାତ ଗୋଡ଼ ପଡ଼ିଗଲା। ପରିବାର ଉପରେ ଲଦିହୋଇଗଲା ଦୁଃଖର ପାହାଡ଼। ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ବଲାଙ୍ଗୀରରୁ ବୁର୍ଲା କଟକରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ହସପିଟାଲକୁ ଦଉଡ଼ିଥିଲେ ସ୍ତ୍ରୀ ପଦ୍ମିନୀ। ଶେଷରେ ବି.ଏସ୍‌.ଏଫ୍‌ ଡିପାର୍ଟମେଣ୍ଟ ତରଫରୁ ଦିଲ୍ଲୀର ଏକ ହସପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ସେଠାରେ ଠିକଠାକ ଚିକିତ୍ସା କରାଯାଇନଥିବା ସ୍ତ୍ରୀ ପଦ୍ମିନୀ ପରୁଆ ଅଭିଯୋଗ କରିଛନ୍ତି। ଏପରିକି ବିଭାଗ ତରଫରୁ ତାଙ୍କ ସ୍ୱାମୀଙ୍କୁ ସ୍ୱେଚ୍ଛାକୃତ ଭାବେ ଅବସର ଦେଇଦିଆଗଲା। ବହୁବର୍ଷ ହେଲା ନା ପେନସନ ଟଙ୍କା  ମିଳିଛି ନା ଗ୍ରାଚୁଇଟି ଟଙ୍କା। ଦୁଇ ପୁଅଙ୍କୁ ପାଠ ପଢ଼ାଇବା ସାଂଗକୁ ରୋଗଣା ସ୍ୱାମୀଙ୍କୁ ଚିକିତ୍ସା କରାଇବାର ଚିନ୍ତାରେ ଘାରି ହେଉଛନ୍ତି ପଦ୍ମିନୀ। ସ୍ୱାମୀଙ୍କୁ ଗାଧୋଇ ଦେବାଠୁ ଖୁଆଇଦେବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି ସ୍ତ୍ରୀ।

ଦିନେ ହାତରେ ବନ୍ଧୁକ ଧରି ଦେଶର ସୀମାରେ ପ୍ରହରା ଦେଉଥିବା ବୀର ଯବାନ ଏବେ ରୋଗଗ୍ରସ୍ତ ହୋଇ ଥରିଲା ହାତରେ ବଂଚିବା ପାଇଁ ସଂର୍ଘଷ କରୁଛନ୍ତି। ୨୦ ବର୍ଷ ଧରି ଦେଶ ସେବାରେ ଜୀବନ ବିତାଇଥିବା ସ୍ୱାମୀ ରୋଗଗ୍ରସ୍ତ ହେବା ପରେ କେହି ତାଙ୍କ କଥା ଶୁଣୁନାହନ୍ତି। ତାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି। ଜଣେ ବି.ଏସ୍‌.ଏଫ୍‌ ଯବାନ ରୋଗଗ୍ରସ୍ତ ହୋଇ ସାହାଯ୍ୟ ସହଯୋଗରୁ ବଂଚିତ ହୋଇ ଦୟନୀୟ ଭାବରେ ଥିବାର ଖବର ପାଇଥିଲେ ବଲାଙ୍ଗୀର ଅବସରପ୍ରାପ୍ତ ସୈନିକ ସଂଘ ସଂଘର କର୍ମକର୍ତ୍ତା। ସୈନିକଙ୍କ ଘରକୁ ଯାଇ ତାଙ୍କର ଅସୁବିଧା ସଂର୍ପକରେ ବୁଝିଥିଲେ। ସଂଘର ସଂପାଦକ ପ୍ରତାପ ରଥ କହିଛନ୍ତି, ଜିଲ୍ଲାପାଳଙ୍କୁ ଭେଟି ସୈନିକ କୃଷ୍ଣଚନ୍ଦ୍ରଙ୍କ ଦୁଃଖର ବେଦନା ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି। ସମ୍ବଲପୁରରେ ସୈନିକ ବୋର୍ଡ ଥିବା ବେଳେ ସେଠାରେ ଦରକାର ମୁତାବକ କର୍ମଚାରୀ ନାହାନ୍ତି। ବଲାଙ୍ଗୀରଠାରେ ସୈନିକଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ।

The post ଅଲୋଡ଼ା ଦେଶପ୍ରେମ! ରୋଗଠୁ ବଳିଗଲାଣି ଦାରିଦ୍ର୍ୟର ଦାଉ first appeared on Sambad.

from ଜିଲ୍ଲା | Sambad https://ift.tt/3tnkTrt