ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ-ଗଙ୍ଗପଡ଼ା ଛକ ଓ ଗଡ଼ଖୋର୍ଦ୍ଧାଠାରେ ୭ଟି ଭାଲୁଛୁଆ ଉଦ୍ଧାର ହୋଇଥିଲା। ଏହି ଘଟଣାକୁ ନେଇ ଏବେ ଖୋର୍ଦ୍ଧା ବନ ବିଭାଗ ହରଡ଼ଘଣାରେ ପଡ଼ିଛି। ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଭାଲୁଛୁଆ ଉଦ୍ଧାର ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ତେବେ କେବଳ ଭାଲୁଛୁଆ ଉଦ୍ଧାର ଉଦ୍ଧାର ଘଟଣା ନୁହେଁ, ବହୁ ଘଟଣାରୁ ଏବେ ବନ ବିଭାଗର ହୁଗୁଳା ବ୍ୟବସ୍ଥା ପଦାରେ ପଡ଼ିଛି।

ଗତ ୨୨ ତାରିଖରେ ଏହି ୭ଟି ଭାଲୁକୁ ଉଦ୍ଧାର କରାଯାଇଥିଲା। ଏହି ଭାଲୁମାନଙ୍କର ବୟସ ୩ରୁ ୮ ବର୍ଷ ହେବ ଅନୁମାନ କରାଯାଉଛି। ଚନ୍ଦକା ଜଙ୍ଗଲ, ନିକଟସ୍ଥ ଖୋର୍ଦ୍ଧା ଜଙ୍ଗଲ ତଥା ଆଖପାଖ ଜଙ୍ଗଲରେ ଏହି ପ୍ରଜାତିର ଭାଲୁ ଦେଖିବାକୁ ମିଳୁନଥିବାରୁ ଏହାକୁ ଚୋରାଚାଲାଣ ପାଇଁ ବାହାର ଜିଲ୍ଲାରୁ ଅଣାଯାଇଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଥିଲା। ପ୍ରକୃତ ଚିତ୍ର ଏବେ ବି ସାମ୍‌ନାକୁ ଆସିନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ‌ହେଉଛି, ଭାଲୁ ଛୁଆ ଉଦ୍ଧାର ହେବା ପରେ ୧୭୫ ବର୍ଗ କିମି ବ୍ୟାପ୍ତ ଚନ୍ଦକା-ଡମପଡ଼ା ଅଭୟରାଣ୍ୟ କିମ୍ବା ୫୦୦ ହେକ୍ଟରରୁ ଊର୍ଦ୍ଧ୍ବ ଅଞ୍ଚଳ‌ରେ ଥିବା ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଭାଲୁ ନାହାନ୍ତି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲା। ଇତିମଧ୍ୟରେ ଖୋର୍ଦ୍ଧା ରେଞ୍ଜ କର୍ମଚାରୀ ନିୟମିତ ଭାବେ ହଳଦିଆ, ବାଙ୍କୀ, ବଘେଇଟାଙ୍ଗୀ ଆଦି ଅଞ୍ଚଳରେ ତଦନ୍ତ କରି ଫେରିଛନ୍ତି। କିନ୍ତୁ ଏହି ଘଟଣାରେ ଏଯାଏଁ କୌଣସି ଟେର୍ ପାଇପାରିନାହାନ୍ତି ବନ ବିଭାଗ।

ଅନ୍ୟପକ୍ଷରେ ବନ ବିଭାଗର ରିପୋର୍ଟ ଅନୁସାରେ, ନବେ ଦଶକରେ ଚନ୍ଦକା ଓ ବରୁଣେଇ ଜଙ୍ଗଲରେ ଭାଲୁଙ୍କ ମୁକ୍ତ ବିଚରଣ ଥିଲା। କିନ୍ତୁ ୨୦୦୭ ବେଳକୁ ଚନ୍ଦକା ଅଭୟାରଣ୍ୟର ବୁଆଳିଗଡ଼, ଭାଲୁମୁଣ୍ତିଆ, ବୁଡ଼ିଖାଇ, ଚାନ୍ଦିନୀ ମୁଣ୍ତିଆ ଓ କୋଡ଼ାମୁଣ୍ତ ଆଦି ଅଞ୍ଚଳ‌ରେ ୬ଟି ଭାଲୁ ରହିଥିବା ଚିହ୍ନଟ କରାଯାଇଥିଲା। ୨୦୦୩ରେ ଶେଷଥର ପାଇଁ କୁଜି ମାହଲ କାଜୁ ଜଙ୍ଗଲରେ ଭାଲୁ-ମଣିଷ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୋଟିଏ ଭାଲୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ଲୋକମାନେ ଭାଲୁକୁ ମାରି ଦେଇଥିଲେ। ଏହାପରେ ଖୋର୍ଦ୍ଧା ବନଖଣ୍ତରେ ଭାଲୁ ଦେଖିବାକୁ ମିଳିନାହିଁ। ତେବେ କିଛି ମାସ ମଧ୍ୟରେ ଖୋର୍ଦ୍ଧା ବନାଞ୍ଚଳରେ ଏକାଧିକ ଘଟଣାରେ ବେଆଇନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ଗତବର୍ଷ ନଭେମ୍ବର ମାସରେ କେବଳ ଖୋର୍ଦ୍ଧା ବନଖଣ୍ତ, ବେଗୁନିଆ ଓ ଟାଙ୍ଗୀ ବନଖଣ୍ତରେ ୩ଟି ପୃଥକ ମାମଲାରେ ୪ରୁ ଅଧିକ ଶିକାରୀ ଗିରଫ ହୋଇଥିଲେ। ବାସ୍ତବ କଥା ହେଲା, ୩୫୫୩ ବର୍ଗ କିମି ପରିବ୍ୟାପ୍ତ ଖୋର୍ଦ୍ଧା ବନାଞ୍ଚଳର ସୁରକ୍ଷା ପାଇଁ ଗଠିତ ୯୫ଟି ବିଟ୍ କାର୍ଯ୍ୟାଳୟରେ ୭୨ ଜଣ ଫରେଷ୍ଟ ଗାର୍ଡ, ୨୮ ଜଣ ଫରେଷ୍ଟର ରହିବା କଥା। ବର୍ତ୍ତମାନ ୯୫ଟି ବିଟ୍ କାର୍ଯ୍ୟାଳୟ ମଧ୍ୟରୁ ୩୦ରୁ ଅଧିକ ବିଟ୍ କାର୍ଯ୍ୟାଳୟ ଅକାମୀ ହୋଇପଡ଼ିଛି। ତୃଣମୂଳ ସ୍ତରରେ ଜଙ୍ଗଲର ସୁରକ୍ଷା ପାଇଁ ନିୟୋଜିତ ଥିବା ୧୦୦ ଜଣ ଫରେଷ୍ଟଗାର୍ଡ ଓ ଫରେଷ୍ଟର୍‌ଙ୍କ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ବ ପଦବି ଖାଲିପଡ଼ିଛି। ଗୋଟିଏ ପଟେ ବିସ୍ତୃତ ବନାଞ୍ଚଳର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଥିବା ତନଖି ଫାଟକ ବନ୍ଦ ହୋଇଯାଇଥିବା ବେଳେ କର୍ମଚାରୀଙ୍କ ସଂଖ୍ୟାହ୍ରାସ, ଚୋରା ବନ୍ୟଜନ୍ତୁ ଶିକାରୀ ଓ ବେପାରୀଙ୍କୁ ବେଶ୍ ସୁହାଉଛି।

ତେବେ, ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜର ସତୀଶ ମିଶ୍ର କହିଛନ୍ତି ଯେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ତନାଘନା ଚାଲିଛି। କିନ୍ତୁ ଆମେ ଏ ଯାଏଁ ଘଟଣା ସମ୍ପର୍କରେ କେବଳ ସନ୍ଦେହ ଓ ଆଶଙ୍କା ମଧ୍ୟରେ ରହିଛୁ। ସେହିଭଳି ଏସିଏଫ୍ ଗୌର ଗୋପାଳ ସି କହିଛନ୍ତି ଯେ ଗତକାଲି ଚିଫ୍ କଞ୍ଜର୍‌ଭେଟର୍‌ ଅଫ୍ ଫରେଷ୍ଟ (ସିସିଏଫ୍) ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ ଦାୟିତ୍ବ ନେବ। ଏଥିରେ ବନ ବିଭାଗକୁ ଯାହା ନିର୍ଦ୍ଦେଶ ମିଳିବ, ସେଇ ଅନୁସାରେ କାମ କରାଯିବ।

The post କ୍ରାଇମ୍‌ବ୍ରାଞ୍ଚ୍‌କୁ ଗଲା ଭାଲୁଛୁଆ ଉଦ୍ଧାର ଘଟଣା: ହରଡ଼ଘଣାରେ ବନ ବିଭାଗ first appeared on Sambad.

from ଜିଲ୍ଲା | Sambad https://ift.tt/3u3V9k7