ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ବୁଡ଼ାବାହାଲ ପଞ୍ଚାୟତ ଧୂମାପାଲି ଗାଁରେ ଋଣ ଦେବା ନାଁରେ ମହିଳାମାନଙ୍କଠାରୁ ଠକେଇ ହୋଇଛି। ଏମାନଙ୍କଠାରୁ ଟଙ୍କା ଠକିନେଇ ଦୁଇଜଣ ଯୁବକ ଫେରାର ହୋଇଯାଇଥିବା ସଇନ୍ତଳା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ଧୂମାପାଲି ଗ୍ରାମକୁ ଗତ ୧୩ ତାରିଖ ସକାଳ ସାଢ଼େ ୭.୩୦ରେ ବଲାଙ୍ଗୀର ଫାସଡ଼ ଗ୍ରାମର ରବୀନ୍ଦ୍ର ରାଠୋର ଓ ରଣଜିତ ରାଠୋର ନାମକ ଦୁଇଜଣ ଯୁବକ ଆସିଥିଲେ। ଫର୍‌ ୟୁ ସ୍ମଲ ଫାଇନାନ୍ସ କମ୍ପାନିରୁ ଆସିଥିବା କହି ଗାଁ ଗାଁ ବୁଲି ମହିଳାମାନଙ୍କୁ ଋଣ ପ୍ରଦାନ କରୁଥିବା କହିଥିଲେ।

ଋଣ ନେବାକୁ ଇଚ୍ଛୁକ ମହିଳାମାନେ ତାଙ୍କର ଆଧାର କାର୍ଡ଼, ଭୋଟର କାର୍ଡ଼, ବ୍ୟାଙ୍କ ପାସବୁକ, ରାସନ କାର୍ଡ଼ ସହ କିଛି ଟଙ୍କା ଦେବାକୁ କହିଥିଲେ। ଗ୍ରାମର ଦମୟନ୍ତୀ, ଦୟମତୀ, ଉର୍ମିଳା, ନୀଳକାନ୍ତି, ଲଳିତା, ଯମୁନା, ବେଲମତୀ ଓ କୁମୁଦିନୀ ପ୍ରମୁଖ ୧୩ଜଣ ମହିଳା ସେମାନଙ୍କ କଥାରେ ବିଶ୍ବାସ କରି ସମସ୍ତ କାଗଜପତ୍ର ସହ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ମହିଳାଙ୍କଠାରୁ ୧୯ ହଜାର ୫ ଶହ ୨୦ ଟଙ୍କା ନେଇ ପଳାଇଥିଲେ। ବୁଧବାର ସକାଳେ ଉକ୍ତ ମହିଳାମାନେ ରବୀନ୍ଦ୍ର ଓ ରଣଜିତ ଦେଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାରୁ ସେମାନେ ଋଣ ଦେବାକୁ ମନା କରିଦେଇଥିଲେ। ପରେ ଉକ୍ତ ନମ୍ବରରେ ଫୋନ୍‌ କରିବାରୁ କେହି ଉଠାଇନଥିଲେ। ଠକେଇର ଶିକାର ହୋଇଥିବା ଜାଣିପାରି ମହିଳାମାନେ ବୁଧବାର ସନ୍ଧ୍ୟାରେ ସଇନ୍ତଳା ଥାନାରେ ଅଭିଯୋଗ କରିଛନ୍ତି।

The post ଋଣ ଦେବା ନାଁରେ ଠକେଇ: ୧୯ହଜାର ୫ଶହ ଟଙ୍କା ନେଇ ଠକ ଫେରାର first appeared on Sambad.

from ଜିଲ୍ଲା | Sambad https://ift.tt/3tiSfHZ