
ସମ୍ବଲପୁର : ରେକର୍ଡ ସମୟ ମଧ୍ୟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏକ ଅଂଶରେ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ୍ ଉଦ୍ଘାଟିତ ହୋଇଯାଇଛି। କଟକର ଅଶ୍ବିନୀ ହସ୍ପିଟାଲ୍ ଏହାର ପରିଚାଳନା ଦାୟିତ୍ବରେ ରହିଛି। ପୂର୍ବ ବର୍ଷ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସଂପୂର୍ଣ୍ଣ ଭାବେ କୋଭିଡ୍ ହସ୍ପିଟାଲ୍ କରା ଯାଇଥିଲା। ସେତେବେଳେ ତିଆରି କରା ଯାଇଥିବା ଭିତ୍ତିଭୂମିର ଉପଯୋଗ କରି ପ୍ରାୟ ସପ୍ତାହେ ମଧ୍ୟରେ ଏହି ନୂଆ ଡାକ୍ତରଖାନାକୁ ରୋଗୀ ସେବା ପାଇଁ ପ୍ରସ୍ତୁତ କରାଯାଇଛି। ବୁଧବାର ରାତିରୁ ଏହି ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବା ଆରମ୍ଭ ହୋଇଛି।
ସବୁଠୁ ବଡ଼ କଥା ହେଲା ଏହି ହସ୍ପିଟାଲ୍ରେ ଅନ୍ୟ ଡାକ୍ତରଖାନାର ବିପରୀତ ସାଧାରଣ ଶଯ୍ୟାଠାରୁ ଅଧିକ ଆଇସିୟୁ ଓ ଏଚ୍ଡିୟୁ ଶଯ୍ୟା ରହିଛି। ମୋଟ ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ରେ ୮୫ ଆଇସିୟୁ, ୬୫ ଏଚ୍ଡିୟୁ ଓ ୫୦ଟି ସାଧାରଣ ଶଯ୍ୟା ରହିବ। ୫୬ଟି ଭେଣ୍ଟିଲେଟର୍ ତଥା କିଛି ଶଯ୍ୟାରେ ଡାଇଲିସିସ୍ ବ୍ୟବସ୍ଥା ରହିବ। ସବୁ ସାଧାରଣ ଶଯ୍ୟାରେ ବି ପାଇପ୍ ଯୋଗେ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ରହିବ। ଏହାଦ୍ବାରା ବହୁ ଗୁରୁତର ରୋଗୀ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କହାଯାଇଛି। ଏହି ଡାକ୍ତରଖାନାରେ ଗୁରୁତର ଓ ରେଫରାଲ୍ ରୋଗୀଙ୍କ ଚିକିତ୍ସା କରାଯିବ। ଡାକ୍ତରଖାନାରେ ଭର୍ତ୍ତି ପାଇଁ ଫୋନ୍ ନମ୍ବର ୭୬୦୯୮୨୭୮୮୨ ବା ୭୬୦୮୦୮୭୮୮୨ରେ ଯୋଗାଯୋଗ କରିବାକୁ କହାଯାଇଛି। ଡାକ୍ତର ପରାମର୍ଶ କରି ରୋଗୀ ଭର୍ତ୍ତି ହେବା ଆବଶ୍ୟକ ମନେ କଲେ ଏଥି ପାଇଁ ଅନୁମତି ପ୍ରଦାନ କରିବେ। ଅନ୍ୟ କୌଣସି ବିବରଣୀ ପାଇଁ ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣ କକ୍ଷର ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୬୭୨୩ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ବୁଧବାର ସଂଧ୍ୟାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ ଡାକ୍ତରଖାନାର ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଶ୍ବିନୀ ହସ୍ପିଟାଲ୍ର ନିର୍ଦ୍ଦେଶିକା ଡା. ମାୟା ଗନ୍ତାୟତ, ଏସ୍ଏମ୍ସି କମିସନର୍ ଅନିରୁଦ୍ଧ ପ୍ରଧାନ, କୋଭିଡ୍ ଡାକ୍ତରଖାନାର ନୋଡାଲ୍ ଅଧିକାରୀ ବ୍ରଜ ସାହୁ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅଧିକାରୀ ଡା. ଅଲେଖ ମହାପାତ୍ର, ଅଶ୍ବିନୀ ହସ୍ପିଟାଲ୍ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ। ଏହି ହସ୍ପିଟାଲ୍ର ଉଦ୍ଘାଟନ ସହ ସମ୍ବଲପୁର ଜିଲ୍ଲାରେ ସରକାରୀ କୋଭିଡ୍ ଡାକ୍ତରଖାନା ସଂଖ୍ୟା ୨ ଓ ଶଯ୍ୟା ସଂଖ୍ୟା ୪୨୫ରେ ପହଞ୍ଚିଛି। ସେହିପରି ଆଇସିୟୁ ସଂଖ୍ୟା ମଧ୍ୟ ୧୩୫କୁ ବୃଦ୍ଧି ପାଇଛି। ଡିଏଚ୍ଏଚ୍ କୋଭିଡ୍ ହସ୍ପିଟାଲ୍କୁ ଅଶ୍ବିନୀ ହସ୍ପିଟାଲ୍ ପରିଚାଳନା କରୁଥିଲେ ବି ଏଠାରେ ରୋଗୀଙ୍କ ନିଶୁଳ୍କ ଚିକିତ୍ସା ହେବ ଓ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଖୁବ୍ ଶୀଘ୍ର ବୁର୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାଫଳରେ ମୋଟ ଶଯ୍ୟା ସଂଖ୍ୟା ୭୨୫ ଓ ଆଇସିୟୁ ସଂଖ୍ୟା ୧୮୫କୁ ବୃଦ୍ଧି ପାଇବ। ଏହାବ୍ୟତୀତ ଆରୋଗ୍ୟମ୍ ଓ ସମଲେଶ୍ବରୀ ନର୍ସିଂହୋମ୍ରେ ମଧ୍ୟ ଦେୟଯୁକ୍ତ କୋଭିଡ୍ ଚିକିତ୍ସା ପ୍ରଦାନ କରାଯାଉଛି।
The post ସମ୍ବଲପୁରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍ଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3gLXUCV
0 Comments