ଭଦ୍ରକ : ବ୍ରାଉନ୍‌ସୁଗାର୍‌ କାରବାର ପଛରେ ବାଂଲାଦେଶର କୁଖ୍ୟାତ ଡ୍ରଗ୍‌ସ ମାଫିଆଙ୍କ ଲିଙ୍କ୍‌। ଭଦ୍ରକ ଜିଲ୍ଲାରେ ଗିରଫ ନିଶା ବେପାରୀଙ୍କ ଜବତ ଫୋନ୍‌ରୁ ଏହା ଜଣାପଡ଼ିଛି। ଲଗାତାର ତିନିଦିନ ହେଲା ଭଦ୍ରକରୁ ବ୍ରାଉନ୍‌ସୁଗାର୍‌ ଜବତ ହେବା ପରେ ଆଜି ପୁଣି ୨୬୫ ଗ୍ରାମ ଜବତ ହୋଇଛି। ନିଶା କାରବାରରେ ସଂପୃକ୍ତ ୨ ମହିଳାଙ୍କ ସହ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଏକ ନମ୍ବର ବିହୀନ ହିରୋହୋଣ୍ଡା ମୋଟର୍‌ ସାଇକେଲ୍‌ରେ ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଝାଡ଼େଶ୍ବର ଅଞ୍ଚଳର ଏସ.କେ. ବବୁଲୁ ଓରଫ୍ ମୁନା (୩୦) ଓ ଭଦ୍ରକ ସହରର ଡାହାଣୀଗଡ଼ିଆ ଅଞ୍ଚଳର ବିଶାଲ ଶର୍ମା(୧୯) ଜଳେଶ୍ବରରୁ ବ୍ରାଉନସୁଗାର ନେଇ ଭଦ୍ରକର ବଉଳପୋଖରୀ ଅଞ୍ଚଳକୁ ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏମାନଙ୍କୁ ପିଛାକରି କାବୁ କରିନେଇଥିଲା। ସେମାନଙ୍କ ନିକଟରୁ ୨୬୫ ଗ୍ରାମ ବ୍ରାଉନସୁଗାର ସହ ଏକ ଫୋନ୍ ଜବତ ମଧ୍ୟ କରିଥିଲା। ଫୋନକଲକୁ ଆଧାର କରି ପୁଲିସ ବ୍ରାଉନସୁଗାର ବେପାରୀଙ୍କ ସଂପର୍କରେ ଅଧିକ ତଥ୍ୟ ପାଇଛି। ପରେ ପୁଲିସ ଚରମ୍ପା ବଉଳପୋଖରୀ ଗ୍ରାମକୁ ଯାଇ ସେଠାରେ ଚଢ଼ଉ କରି ବର୍ଷାରାଣୀ ମଲ୍ଲିକ(୨୪) ଓ ବଚନ ମଲ୍ଲିକ(୪୫)ଙ୍କୁ ଗିରଫ କରିବା ସହ ସେମାନଙ୍କ ଫୋନ୍‌ ବି ଜବତ କରିଛି। ଜବତ ଫୋନ୍‌ରୁ ପୁଲିସକୁ କିଛି କୁଖ୍ୟାତ ବ୍ରାଉନ୍‌ସୁଗାର୍‌ ବେପାରୀଙ୍କର ଠିକଣା ମିଳିଛି। ସେହି ମାଫିଆ ସହ ମିଶି ଏମାନେ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚଳାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଫୋନ୍ ପେ ମାଧ୍ୟମରେ ଟଙ୍କା ପଠାଇ ଏମାନେ ବାଂଲାଦେଶରୁ ବ୍ରାଉନ୍‌ସୁଗାର ଆଣି ଜଳେଶ୍ବର, ଭଦ୍ରକ ଆଦି ଅଞ୍ଚଳରେ ଚୋରା କାରବାର ଚଳାଇଥିଲେ। ବ୍ରାଉନସୁଗାର କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଜବତ ବ୍ରାଉନସୁଗାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।

The post ବ୍ରାଉନ୍‌ସୁଗାର୍‌ କାରବାରରେ ବାଂଲାଦେଶ ଲିଙ୍କ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3xwUlXd