
ଜୟପୁର: ଗୋଟିଏ କି ଦୁଇଟି ନୁହେଁ, ୪ଟି ନଳକୂପ ରହିଛି। ତା ସାଙ୍ଗକୁ ଗୋଟିଏ କୂଅ ବି ରହିଛି। କିନ୍ତୁ ପିଇବା ପାଇଁ ଲୋକଙ୍କୁ ପାଣି ମିଳୁନି। ଯେଉଁ ନଳକୂପ ତିଆରି ହେଉଛି ସେଥିରେ ପାଣି ଆସୁନି। ଯେଉଁଥିରେ ବି ଆସୁଛି ଅଧ ଘଣ୍ଟାଏରେ ଗୋଟିଏ ବାଲଟି ଭର୍ତ୍ତି ହେଉଛି। ଏଭଳି ସ୍ଥିତିରେ ପାଣି ପାଇଁ ହାହା କାର ପରିସ୍ଥିତି ସୃଷ୍ଟି ହେଉଛି। ଲୋକ ପାଣି ମୁନ୍ଦାଏ ପାଇବା ପାଇଁ ଚୂଆ ଉପରେ ନିର୍ଭର କରୁଛନ୍ତି। ନଚେତ କେନାଲ ପାଣିକୁ ଆଣି ବ୍ୟବହାର କରୁଛନ୍ତି। ଏହା କେଉଁ ଅପନ୍ତରା ଅଞ୍ଚଳର ଦୃଶ୍ୟ ନୁହେଁ, ତାହା ହେଉଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବଇଦଗୁଡା ଓ ଇନ୍ଦିରା କଲୋନିରେ ଦେଖିବାକୁ ମିଳିଛି। ଜୟପୁର ସହର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଗ୍ରାମରେ ଲୋକଙ୍କ ଜଳକଷ୍ଟ ଦେଖିବାକୁ ମିଳିଛି। ଏନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ ଏଥିପ୍ରତି କୌଣସି ସ୍ଥାୟୀ ପଦକ୍ଷେପ ନେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏକମ୍ବା ପଞ୍ଚାୟତରେ ଏହି ଦୁଇଟି ଗ୍ରାମ ରହିଛି। ବଇଦଗୁଡା ଗ୍ରାମରେ ପାଖାପାଖି ୪୦ ଘର ରହିଥିବା ବେଳେ ଇନ୍ଦିରା କଲୋନିରେ ୬୦ରୁ ଅଧିକା ପରିବାର ରହିଛନ୍ତି। ବଇଦଗୁଡା ଗ୍ରାମରେ ଗୋଟିଏ ନଳକୂପ ଓ ଗୋଟିଏ କୂଅ ରହିଛି। କୂଅର ପାଣି ବହୁ ତଳେ ରହଥିବା ବେଳେ ତାହା ଆବର୍ଜନା ହୋଇ ପଡି ରହିଛି ଯାହାକି ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ। ସେହିପରି ଭାବେ ନଳକୂପର ପାଣି ବାହାରୁଛି ସତ କିନ୍ତୁ ସେହି ପାଣିରୁ ଦୁର୍ଗନ୍ଧ ବାହାରୁଥିବାରୁ ତାହାକୁ ଲୋକେ ବ୍ୟବହାର କରିପାରୁ ନାହାନ୍ତି।

ସେହିଭଳି ଭାବେ ସମାନ ସ୍ଥିତି ଇନ୍ଦିରା କଲୋନିରେ ଦେଖିବାକୁ ମିଳିଛି। ସେଠାରେ ୪ଟି ନଳକୂପ ରହିଛି, କିନ୍ତୁ ସେଥିରୁ ୨ଟି ନଳକୂପ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡିଛି। ଯାହାଫଳରେ ସେଠାରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଅନ୍ୟ ଦୁଇଟି ନଳକୂପରୁ ସ୍ଥିତି ନ କହିବା ଭଲ। ଗୋଟିକରେ ପାଣି ବାଲଟି ଟିଏ ଭର୍ତ୍ତି ପାଇଁ ଅଧ ଘଣ୍ଟାଏ ସମୟ ଲାଗୁଥିବା ବେଳେ ତାହା ପୁଣି ଶେଷ ହୋଇ ଯାଉଛି। କିଛି ଲୋକ ପାଣି ନେବା ପରେ ବାକି ଲୋକଙ୍କୁ ପାଣି ମିଳିପାରୁ ନାହିଁ। ଅନ୍ୟ ଗୋଟିଏ ନଳକୂପରେ ପାଣି ବାହାରୁଛି କିନ୍ତୁ ସେଥିରୁ ଲୌହ ଗନ୍ଧ ବାହାରୁଥିବାରୁ ତାହାକୁ ବ୍ୟବହାର କରିପାରୁ ନାହାନ୍ତି। ସେଠାରେ ବହୁ ଦିନରୁ ଗୋଟିଏ କୂଅ ରହିଥିଲା, କିନ୍ତୁ ପ୍ଲଟିଂ ଯୋଗୁଁ ସେହି କୂଅକୁ ପୋତି ଦେଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମ ଠାରୁ ଦୂରରେ ଥିବା ଚୁଆରୁ ପାଣି ଆଣୁଛନ୍ତି, ତାହାକୁ ଛାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି। ଏଥିସହ କେନାଲର ପାଣିକୁ ମଧ୍ୟ ବ୍ୟବହାର ପାଣି ଆଣୁଛନ୍ତି। ସ୍ବଚ୍ଛ ପାଣି ଟୋପାଏ ମିଳିପାରୁ ନଥିବା ବେଳେ ଏଭଳି ଗୋଳିଆ ପାଣିକୁ ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଭାବେ ୨ଟି ଗ୍ରାମରେ ପାଣି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ଗ୍ରାମବାସୀମାନେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳପାରୁ ନାହିଁ।
ଗ୍ରାମବାସୀ ଲାଲୁ କାକଡିଙ୍କ କହିବାନୁଯାୟୀ, ଏହା ଆଜିକାଲିର ଘଟଣା ନୁହେଁ, ସବୁ ବେଳେ ଏମିତି ଅସୁବିଧା ଭୋଗିବାକୁ ପଡୁଛି। ପ୍ରଶାସନ ନିକଟରେ ଗୁହାରୀ କଲେ ନଳକୂପ ଖୋଳି ଦେଉଛନ୍ତି କିନ୍ତୁ ସେଥିରୁ ପାଣି ମଧ୍ୟ ବାହାରିପାରୁ ନାହିଁ। ଏହି ପାଣି ବ୍ୟବହାର କରୁଛି ଏଥିସହ ବିଭିନ୍ନ ରୋଗ ବି ଶିକାର ହେଉଛୁ। ପାଣି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟରେ ଅବଗତ କରିଥିଲୁ ଅଧିକାରୀମାନେ ଆସି ବୁଲି ଦେଖି ଯାଇଛନ୍ତି କିନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରୁନାହାନ୍ତି ବୋଲି କହିଛନ୍ତି।
The post ନଳକୂପ ଅଛି, କାମରେ ଲାଗୁନି; ପିଇବା ପାଇଁ ଚୂଆ ଓ କେନାଲ ପାଣି ଭରଷା first appeared on Sambad.from ଜିଲ୍ଲା | Sambad https://ift.tt/2QNrEo8
0 Comments