ବ୍ରହ୍ମଗିରି : ସମୁଦ୍ର ଉପକୂଳ ବାଲିରେ ଦୁଇ ବର୍ଷ ହେଲା ମାଲେସିଆ ଜାହାଜର କଣ୍ଟେନର୍‌ ପୋତି ହୋଇ ରହିଛି। ସଂପୃକ୍ତ ଜାହାଜ କମ୍ପାନିର ମାଲିକ କଣ୍ଟେନର୍‌ଟିକୁ ଖଣ୍ତ ଖଣ୍ତ କରି କାଟୁଛନ୍ତି। କିନ୍ତୁ ଏହାର ମାତ୍ର ୧୦ ପ୍ରତିଶତ କଟା ହୋଇଛି। ବାକି ୯୦ ପ୍ରତିଶତ ସେମିତି ବାଲିରେ ପୋତି ହୋଇ ରହିଛି। ଫଳରେ ଉପକୂଳ ଖାଇବାରେ ଲାଗିଛି। ଉପକୂଳ ଜନବସତି ପାଇଁ ଏହା ବିପଦ ହେବାର ଆଶଙ୍କା ରହିଛି।

Sambad English

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରାଜହଂସ ନିକଟରେ ୨୦୧୮ ଅଗଷ୍ଟ ୯ରେ ଏକ ମାଲବାହୀ ମାଲେସିଆ ଜାହାଜ ଦୁର୍ଘଟଣାର ଶିକାର ହୋଇଥିଲା। ଜାହାଜଟି ଗୋପାଳପୁରଠାରୁ କିଛିଦୂରରେ ଦୁର୍ଘଟଣାର ଶିକାର ହେବା ପରେ ଭାସିଭାସି ଆସି ରାଜହଂସ ନିକଟରେ ଲାଗିଥିଲା। ଏଥିରେ ଥିବା ସମସ୍ତ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ। ପ୍ରଶାସନର ସହାୟତାରେ ସେମାନଙ୍କୁ ସେମାନଙ୍କ ଦେଶକୁ ପଠା ଯାଇଥିଲା। ସିଙ୍ଗାପୁରର ଆଉ ଏକ ଜାହାଜ ଆସି ଦୁର୍ଘଟଣାର ଶିକାର ହୋଇଥିବା ଜାହାଜକୁ କୋଲକୋତାକୁ ନେଇଥିଲା। କିନ୍ତୁ ୩୦ ହଜାର୍‌ ଟନ୍‌ କ୍ଷମତା ବିଶିଷ୍ଟ କଣ୍ଟେନର୍‌ଟି ବାଲିରେ ପୋତି ହୋଇ ଯାଇଥିବାରୁ ଏହାକୁ ନିଆଯାଇ ପାରି ନ ଥିଲା।

ତତ୍‌କାଳୀନ ପୁରୀ ଜିଲ୍ଲାପାଳ କଣ୍ଟେନର୍‌କୁ କାଟି ନେବାକୁ ସମ୍ପୃକ୍ତ ଜାହଜ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପରେ ସମ୍ପୃକ୍ତ କମ୍ପାନି ଏହାକୁ କାଟିବା ସହିତ ଡଙ୍ଗାରେ ଆଣି ସାତପଡ଼ା ଚିଲିକା ଉପକୂଳରେ ଜମା କରୁଥିଲା। ଏହା ପରେ କଣ୍ଟେନର୍‌ କାଟିବା ବନ୍ଦ ହୋଇଥିଲା। ଏବେ ପୁଣିଥରେ ଏହାର କଟା ଆରମ୍ଭ ହୋଇଛି। କିନ୍ତୁ ଏବେ ସୁଦ୍ଧା ମାତ୍ର ୧୦ ପ୍ରତିଶତ କଟା ଯାଇଛି। ବର୍ତ୍ତମାନ ଏହି କାମ ବନ୍ଦ ରହିଛି। ଏତେ ବଡ଼ କଣ୍ଟେନର୍‌ ଉପକୂଳ ବାଲିରେ ପୋତି ହେବା ଯୋଗୁ ଏହାର ଚାରିପଟୁ ବାଲି ବନ୍ଧ ଧସିବାରେ ଲାଗିଛି। ଉପକୂଳ ଢାଲୁ ହେବାରେ ଲାଗିବା ସହ ପୁଣି ଏକ ପ୍ରାକୃତିକ ମୁହାଣ ଖୋଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଠାରେ ପ୍ରାକୃତିକ ମୁହାଣ ଖୋଲିଲେ କୃଷ୍ଣପ୍ରସାଦ ବ୍ଲକ୍‌ରେ ଥିବା ଉପକୂଳବାସୀଙ୍କ ପାଇଁ ବିପଦ ଆଶଙ୍କା ବଢ଼ିବ।

The post ବ୍ରହ୍ମଗିରି: ଜାହାଜ କଣ୍ଟେନର୍‌ ପାଇଁ ଧସୁଛି ବାଲିବନ୍ଧ first appeared on Sambad.

from ଜିଲ୍ଲା | Sambad https://ift.tt/3nkABBm