
ସମ୍ବଲପୁର : ଗୋଟିଏ ପଟେ ଓଡ଼ିଶା ସରକାର କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା ନିମନ୍ତେ ଅନ୍ୟ ରାଜ୍ୟଗୁଡ଼ିକୁ ଅମ୍ଲାଜନ ଯୋଗାଇ ଦେଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ ଆରମ୍ଭ ହୋଇଯାଇଛି। ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ବଢ଼ିଯାଇଥିବାରୁ ସିଲିଣ୍ଡର କୃତ୍ରିମ ଅଭାବ ଦର୍ଶାଇ ଏହି ବ୍ୟାପାରରେ ସଂପୃକ୍ତ ବ୍ୟବସାୟୀମାନେ ମନଇଚ୍ଛା ଦର କଷୁଛନ୍ତି। କରୋନା ମହାମାରୀକୁ ଜାତୀୟ ବିପତ୍ତି ଭାବେ ବିବେଚନା କରାଯାଉଥିବା ବେଳେ ଏହି ସମୟରେ ବି ଲାଭଖୋର୍ ବ୍ୟବସାୟୀମାନେ ଜୀବନ ରକ୍ଷକ ଅକ୍ସିଜେନ ସିଲିଣ୍ଡର ଅଧିକ ଦରରେ ବିକ୍ରି କରି ବେଶ୍ ମାଲେମାଲ ହେଉଛନ୍ତି। ଗତବର୍ଷ ଏହି ସମୟରେ ଯେତିକି ଦରରେ ଅକ୍ସିଜେନ ସିଲିଣ୍ଡର ମିଳୁଥିଲା, ଏବେ ତାହାର ପାଖପାଖି ଦୁଇଗୁଣ ଦରରେ ବଢ଼ାଇ ଦିଆଯାଉଥିବା ଅଭିଯୋଗ ହେଉଛି।
ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଡେଇଁଲାଣି। ଗତ ୧୦ ଦିନ ମଧ୍ୟରେ ୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ କରୋନା ଭୟଙ୍କର ରୂପ ନେଇଛି। ରୋଗୀମାନଙ୍କ ଶ୍ବାସକ୍ରିୟାରେ ଅଧିକ ସମସ୍ୟା ଦେଖାଯାଉଛି। ରୋଗୀମାନଙ୍କ ନିମନ୍ତେ ଅକ୍ସିଜେନ ସିଲିଣ୍ଡର ଅଧିକ ଆବଶ୍ୟକତା ପଡ଼ୁଛି। ଏଭଳି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୋଗୀମାନଙ୍କୁ ଜୀବନ ବଞ୍ଚାଇବା ନିମନ୍ତେ ମାଗଣା ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ବିଭିନ୍ନ ସହୃଦୟ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକ ଜରିଆରେ ଅକ୍ସିଜେନ ସିଲିଣ୍ଡର ସଂଗ୍ରହ କରି ରୋଗୀମାନଙ୍କୁ ଯୋଗାଉଛନ୍ତି। ହେଲେ ସମ୍ବଲପୁରରେ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ପରିଲକ୍ଷିତ ହେଉଛନ୍ତି। ଯେଉଁ କେତୋଟି ସଂସ୍ଥା ଅକ୍ସିଜେନ ସିଲିଣ୍ଡର ବିକ୍ରି କରୁଥିଲେ ଏବେ ସେମାନଙ୍କ ପାଖରେ ଏହା ନଥିବା କହୁଛନ୍ତି। ଅକ୍ସିଜେନ ସିଲିଣ୍ଡର ନିମନ୍ତେ ଗୋଟିଏ ସପ୍ତାହରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିବା କହୁଥିବା ବେଳେ ଅନ୍ୟପଟେ କେତେକ ସଂସ୍ଥା ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ସୋସିଆଲ ଷ୍ଟାର କ୍ଲବର ଆତିଫ ଆଲମ ଅଭିଯୋଗ କରିଛନ୍ତି ଯେ, ସମ୍ବଲପୁର କରୋନା ଆକ୍ରାନ୍ତ ରୋଗୀମାନଙ୍କ ନିମନ୍ତେ ଗତବର୍ଷରୁ ଅକ୍ସିଜେନ ବ୍ୟାଙ୍କ ଆରମ୍ଭ କରାଯାଇଛି। ବିଭିନ୍ନ ବ୍ୟକ୍ତିବିଶେଷ ଓ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ରୋଗୀମାନଙ୍କୁ ମାଗଣା ଯୋଗାଇ ଦିଆଯାଉଛି। ସେମାନଙ୍କର ଏହି ବ୍ୟାଙ୍କରେ ଏବେ ୪୫ଟି ଅକ୍ସିଜେନ ସିଲିଣ୍ଡର ରହିଥିବା ବେଳେ ପ୍ରାୟତଃ ସବୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି। ବହୁ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଅକ୍ସିଜେନ ସିଲିଣ୍ଡର ଦାନ କରି ରୋଗୀମାନଙ୍କର ଜୀବନ ବଞ୍ଚାଇବା ପାଇଁ ଆଗ୍ରହ ଦେଖାଇଛନ୍ତି। ମାତ୍ର ସମ୍ବଲପୁର ବଜାରରେ ଅକ୍ସିଜେନ ସିଲିଣ୍ଡର ମିଳୁ ନାହିଁ। ଗତ ବର୍ଷ ଅକ୍ସିଜେନ ସିଲିଣ୍ଡର(ମିଡଅମ୍) ଗୋଟାକୁ ୮୪୦୦ ଟଙ୍କାରେ ମିଳିଯାଉଥିଲା। ଏବେ ବିକ୍ରି କିନ୍ତୁ ସିଲିଣ୍ଡର କୃତ୍ରିମ ଅଭାବ କରାଯାଉଛି। ଗତ ୨୩ ତାରିଖ ଦିନ ଏସ୍.ଏନ୍.ଗ୍ୟାସେସ୍ରୁ ରେଂଗାଲିର ସ୍ବାଧୀନ ଏକତା ସଂଗଠନ ଗୋଟାକୁ ୧୫ ହଜାର ଟଙ୍କା ଦରରେ ୨ଟି ଅକ୍ସିଜେନ୍ ସିଲିଣ୍ଡର କିଣିଛି। ଗୋଟିଏ ବର୍ଷ ବ୍ୟବଧାନରେ ଏତେ ୬୬୦୦ ଟଙ୍କା ଅଧିକ ଦରରେ ବିକ୍ରି କରାଯାଉଛି। ଜିଲ୍ଲା ପ୍ରଶାସନ କଳାବଜାରୀ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେଉ ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଏସ୍.ଏନ୍. ଗ୍ୟାସେସ୍ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେହେଁ ତାହା ସମ୍ଭବ ହୋଇପାରିନାହିଁ। ଅନ୍ୟ ଏକ ସଂସ୍ଥା ‘ଭାମା ଟୁଲସ୍’ ସହିତ ଯୋଗାଯୋଗ କରାଯିବାରୁ ଏହାର ଜଣେ ଅଂଶୀଦାର କହିଲେ, କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଅକ୍ସିଜନ ସିଲିଣ୍ଡର(ମିଡିଅମ) ୬/୭ ହଜାର ଟଙ୍କାରେ ମିଳିଯାଉଥିଲା। ୩/୪ଟି କଂପାନି ସିଲିଣ୍ଡର ଉତ୍ପାଦନ କରିଥାନ୍ତି। ସେସବୁ କଂପାନି ଏବେ ଚାହିଦା ମୁତାବକ ସିଲିଣ୍ଡର ଯୋଗାଇପାରୁ ନାହାନ୍ତି। ତେବେ, ତାଙ୍କ ସଂସ୍ଥା ନୂଆ ଅକ୍ସିଜେନ୍ ସିଲିଣ୍ଡର ବିକ୍ରି କରୁନାହିଁ, କେବଳ ସିଲିଣ୍ଡର ରିଫିଲିଂ କାମ କରୁଛି ବୋଲି ସେ କହିଛନ୍ତି।
The post ସମ୍ବଲପୁରରେ ଅକ୍ସିଜେନ ସିଲିଣ୍ଡରରେ କଳାବଜାର first appeared on Sambad.from ଜିଲ୍ଲା | Sambad https://ift.tt/3gHzmee
0 Comments